ଭୁବନେଶ୍ୱର: ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଗତକାଲି ଅପରାହ୍ନରୁ ଲାଗିଛି ନିରବ ଅବଧି କଟକଣା । ମାତ୍ର ପ୍ରଶାସନ ସହଯୋଗରେ ଶାସକ ଦଳ ବିଜେପି ଏହାର ଖୋଲା ଉଲ୍ଲଂଘନ କରି ଚାଲିଛି ବୋଲି ବିଜେଡି ଅଭିଯୋଗ କରିଛି ।
ଭୋଟରଙ୍କୁ ପ୍ରଭାବିତ କରିବାକୁ ନୂଆପଡ଼ାରେ ଖୁଲମ୍ ଖୋଲା ଟଙ୍କା ବଣ୍ଟା ଚାଲିଛି । ଏହାର ମାଳ ମାଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଦୁର୍ଭାଗ୍ୟର କଥା, ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଏହାକୁ ବିରୋଧ କରୁଥିବା ବିଜେଡି ନେତାଙ୍କୁ ପୁଲିସ ଗିରଫ କରିଛି । ଶାସକଦଳର ହାତବାରିସୀ ହୋଇଥିବା ପୁଲିସର ଶିକାର ହୋଇଛନ୍ତି ବିଜେଡିର ଏନଏସି ସଭାପତି ସୁବାସ ପଣ୍ଡା ଏବଂ ବିଜେଡି ନେତା ବବଲୁ ଖାନ୍ । ବିଜେପି ଏଜେଣ୍ଟମାନେ ଟଙ୍କା ବାଣ୍ଟୁଥିବା ବେଳେ ଏ ଦୁହେଁ ପ୍ରତିରୋଧ କରିବାରୁ ଦଣ୍ଡ ଭୋଗିଛନ୍ତି । ପୁଲିସ ଏମାନଙ୍କୁ ରାତିସାରା ଅଟକ ରଖିବା ପରେ ଆଜି ଗିରଫ କରିଛି ।
ଖାଲି ସେତିକି ନୁହେଁ, ନିରବ ଅବଧି କଟକଣା ସତ୍ତ୍ୱେ ବାହାର ଅଞ୍ଚଳର ବିଜେପି ନେତାମାନେ ଅଞ୍ଚଳ ଛାଡ଼ିନାହାନ୍ତି । ଛତିଶଗଡ଼ ଗୁଣ୍ଡାଙ୍କୁ ଧରି ବିଜେପି ନେତାମାନେ ଦଳୀୟ ଏଜେଣ୍ଟଙ୍କ ସହାୟତାରେ ଗାଁ ଗାଁରେ ଟଙ୍କା ବାଣ୍ଟୁଛନ୍ତି । ପ୍ରଶାସନ ଏଥିପାଇଁ ଭରପୂର ସହଯୋଗ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏ ନେଇ ଦଳର ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା ଏବଂ ଅତାବିରା ବିଧାୟକ ନିହାର ମହାନନ୍ଦ ଅଞ୍ଚଳରେ ବୁଲୁଥିବାର ଫଟୋ ପ୍ରମାଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସେହିଭଳି ନିରବ ଅବଧି କଟକଣା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ମାଆ କଳ୍ପନା ଢ଼ୋଲିକିଆ ଆଜି ସୋସିଆଲ ମିଡିଆରେ ପୁଅ ପାଇଁ ଭୋଟ ନିବେଦନ କରିବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ବିଜେଡି ଅଭିଯୋଗ କରିଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ଦ୍ୱାରା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ନିର୍ବାଚନ କମିସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ନୂଆପଡ଼ାରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରାନ୍ତୁ ବୋଲି ନିବେଦନ କରିଛନ୍ତି ।
ଆସନ୍ନ ପରାଜୟକୁ ଦେଖି ବିଜେଡି ଭୟଭୀତ: ବିଜେପି
ଗତ ୨୪ ବର୍ଷ ଶାସନ ପରେ ବି ନିର୍ବାଚନ ଲଢିବା ପାଇଁ ବିଜେଡି ଆତ୍ମବିଶ୍ୱାସ ହରାଇ ବସିଛି । ନିଜ ଶାସନକାଳର ସଫଳତା ବଖାଣିବା ପରିବର୍ତ୍ତେ ଭୋଟରଙ୍କୁ ଧମାକାଇ, ଭୟଭୀତ କରାଇ ଜନମତକୁ ବିଭ୍ରାନ୍ତ କରିବାର ଅପ୍ରୟାସ କରୁଛି ବିଜେଡି । ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସିଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବି ବିଜେଡି ଅହିଂସାର ଉଚ୍ଚାରଣ କରି ହିଂସାର ଆଚରଣ କରୁଛି । ଆଜି ନୂଆପଡା ଏନଏସି ଅଧ୍ୟକ୍ଷଙ୍କ ପୁତୁରା କିଛି ଦଳୀୟ ଗୁଣ୍ଡାଙ୍କ ସହିତ ମିଶି ବିଜେପି କାର୍ଯ୍ୟକର୍ତାଙ୍କୁ ବନ୍ଧୁକ ଦେଖାଇ ମାରି ଦେବାର ଧମକ ଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ । ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦି, ଭୟ ଓ ହିଂସାର ଆଦୈା ସ୍ଥାନ ନାହିଁ । ନୂଆପଡା ଉପନିର୍ବାଚନରେ ଆସନ୍ନ ପରାଜୟକୁ ଦେଖି ବିଜେଡି ଭୟଭୀତ ହେବା ସହିତ ଅତ୍ୟନ୍ତ ନିମ୍ନସ୍ତରକୁ ଓହ୍ଲାଇ ଏଭଳି ଦୁର୍ଭାଗ୍ୟଜନକ କାଣ୍ଡ ଭିଆଇଛି । ଏହାକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି ।
ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବି “ହ୍ୟାଙ୍ଗ ଓଭର” ଯାଇନାହିଁ । ଆମେ ବ୍ୟାଲେଟକୁ ବିଶ୍ୱାସ କରୁଥିବାବେଳେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେଡି ବୁଲେଟର ଆଶ୍ରୟ ନେବା ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରର ମହାନ ପର୍ବରେ ଶାନ୍ତିପୂର୍ଣ୍ଣ ଭୋଟଦାନ ପାଇଁ ଆବଶ୍ୟକୀୟ ବାତାବରଣ ସୃଷ୍ଟି କରିବାରେ ସହଯୋଗ କରନ୍ତୁ ଏବଂ ହିଂସାତ୍ମକ ଆଚରଣରୁ କ୍ଷାନ୍ତ ରୁହନ୍ତୁ ବୋଲି ଡା.ମହାନ୍ତି ନିବେଦନ ଓ ପରାମର୍ଶ ଦେଇଛନ୍ତି ।