ଭୁବନେଶ୍ୱର: ରାତି ପାହିଲେ ନୂଆପଡ଼ା ଭୋଟ । କାଲି ସକାଳ ସାଢ଼େ ୫ଟାରୁ ଆଗ ମକ୍ ପୋଲ୍ ଏବଂ ତା’ ପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏଁ ମତଦାନ ହେବ । ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର । ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୪ ହଜାର ୧୦୮ ।
ନିର୍ବାଚନମଣ୍ଡଳୀରେ ଥିବା ୩୫୮ ଟି ବୁଥ୍ ମଧ୍ୟରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ମାଓ ଅଧ୍ୟୁଷିତ ଓ ଦୁର୍ଗମ ବୁଥରେ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ବାକି ବୁଥରେ ଅପରାହ୍ନ ୫ଟା ଯାଏଁ ଭୋଟଗ୍ରହଣ ହେବ ।
ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମସ୍ତ ୩୫୮ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସବୁ ବୁଥ୍ ରେ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି । ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅତି ସମ୍ବେଦନଶୀଳ ଚିହ୍ନଟ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।
ଆଜି ସକାଳୁ ନୂଆପଡ଼ାର ନ୍ୟାସନାଲ କଲେଜ ପଡ଼ିଆରୁ ଇଭିଏମ୍, ଭିଭିପାଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ଅଭିମୁଖେ ଯାତ୍ରା କରିଥିଲେ ପୋଲିଂ ଟିମ୍ । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ୮ଟି ବୁଥ୍ ରେ ପୋଲିଂ ଟିମ୍ ବାୟୁସେନାର ସ୍ୱତନ୍ତ୍ର ହେଲିକପଟର ଯୋଗେ ଯାଇଛନ୍ତି ।
ନୂଆପଡ଼ା ଉପନିର୍ବାଚନ ରଣାଙ୍ଗନରେ ଅଛନ୍ତି ୧୪ ଜଣ ପ୍ରାର୍ଥୀ । ତେବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ବିଜେପିରୁ ଜୟ ଢ଼ୋଲକିଆ, ବିଜେଡିରୁ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଛନ୍ତି ।