ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ଅନୁସନ୍ଧାନ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ନେଇ କେନ୍ଦ୍ରକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେବା ସହ ଆଜି ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା ଉଦ୍ୟମ, ପ୍ରୋତ୍ସାହନ ଓ ଷଡଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ।
ସୂଚନାଯୋଗ୍ୟ ଯେ, ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା। ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଥିବାର ସନ୍ଦେହ କରାଯାଉଛି। ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି।
ତେଣୁ ଏହାର ଉପଯୁକ୍ତ ବିସ୍ତୃତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।