ଭୁବନେଶ୍ୱର: ପୂର୍ବ ସରକାରରେ ବିଧାନସଭା ପ୍ରାୟ ଅଧାରୁ ବନ୍ଦ ହେବାର ଯେଉଁ ଧାରା ଥିଲା, ଏ ସରକାରରେ ତାହା ଜାରି ରହିଛି । ୧୮ ଦିନ ବାକି ଥାଇ ମାତ୍ର ୧୧ ଦିନରେ ସରିଯାଇଛି ବିଧାନସଭାର ଶୀତ ଅଧିବେଶନ । ଆଜି ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିବାରୁ ଗୃହକୁ ମୁଲତବୀ ରଖିବା ପାଇଁ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ପ୍ରସ୍ତାବକ୍ରମେ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରିଥିଲେ ।
ନଭେମ୍ବର ୨୭ ରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା । ମୋଟ ୨୯ ଦିନର କାର୍ଯ୍ୟ ଦିବସ ଥିଲା । ନଭେମ୍ବର ୨୮ରେ ଅତିରିକ୍ତ ବଜେଟ୍ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଗତ କରିଥିଲେ । ଡିସେମ୍ବର ୪,୫ ଓ ୬ ତାରିଖ ତିନି ଦିନ ଧରି ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା । ୮ ତାରିଖରେ ୧୭,୪୦୦ କୋଟିର ଅତିରିକ୍ତ ବଜେଟ୍ ବିଲ୍ ବିଧାନସଭାରେ ପାରିତ ହୋଇଥିଲା ।