ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଏହାଦ୍ୱାରା ବିଧାୟକ, ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ତିନିଗୁଣା ବଢ଼ିଛି । ବିଧାୟକମାନେ ପୂର୍ବରୁ ମାସକୁ ଲକ୍ଷେ ପାଉଥିଲେ । ଏବେ ସେମାନଙ୍କୁ ମିଳିବ ସାଢ଼େ ତିନି ଲକ୍ଷ ।
ବିଧାୟକଙ୍କ ଆତିଥ୍ୟ ଭତ୍ତା ମାସିକ ୪୦ ହଜାରରୁ ବଢ଼ି ୯୬ ହଜାର, ନିର୍ବାଚନମଣ୍ଡଳୀ ଏବଂ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ୨୦ ହଜାରରୁ ବଢ଼ି ୭୫ ହଜାର, ରାଜ୍ୟ ଭିତରେ କମିଟି ବୈଠକ ଭତ୍ତା ୧୫୦୦ ରୁ ବଢ଼ି ୩ ହଜାର, ରାଜ୍ୟ ବାହାରେ ବୈଠକ ଭତ୍ତା ୨୦ ହଜାରରୁ ବଢ଼ି ୧୦ ହଜାର, ଯାତ୍ରା ଭତ୍ତା କିମି ପିଛା ୨୫ଟଙ୍କାରୁ ବଢ଼ି ୩୫ ଟଙ୍କା, ମାସିକ ପରିବହନ ଭତ୍ତା ୧୫ ହଜାରରୁ ବଢ଼ି ୫୦ ହଜାର, ମାସିକ ଭତ୍ତା ୨ ହଜାରରୁ ବଢ଼ି ୧୦ ହଜାର, ବିଜୁଳି ବିଲ୍ ୫ ହଜାରରୁ ବଢ଼ି ୨୦ ହଜାର, ଚିକିତ୍ସା ଭତ୍ତା ୫ ହଜାରରୁ ବଢ଼ି ୩୫ ହଜାର, ଦୈନିକ ରହିବା ବ୍ୟବସ୍ଥା ୧ ହଜାରରୁ ବଢ଼ି ୨ ହଜାର, ଗାଡ଼ି କିଣିବା ପାଇଁ ଅଗ୍ରୀମ ୫ ଲକ୍ଷରୁ ବଢ଼ି ୧୦ ଲକ୍ଷ ଟଙ୍କା ହୋଇଛି ।
ସୂଚନାଥାଉକି, ପୂର୍ବରୁ ଓଡ଼ିଶାରେ ବିଧାୟକମାନେ ୩୫ ହଜାର ଟଙ୍କା ମୂଳ ଦରମା ଏବଂ ଯାତ୍ରା ଏବଂ ଅଧିବେଶନରେ ଯୋଗଦାନ ଭତ୍ତାକୁ ଛାଡ଼ି ୬୫ ହଜାର ଟଙ୍କା ଅନ୍ୟାନ୍ୟ ଭତ୍ତା ପାଉଥିଲେ । କ୍ୟାବିନେଟ୍ ମନ୍ତ୍ରୀମାନଙ୍କର ଦରମା ୪୦ ହଜାର ଟଙ୍କା ଏବଂ ରାଷ୍ଟ୍ରମନ୍ତ୍ରୀମାନେ ୩୮ ହଜାର ଟଙ୍କା ଦରମା ପାଉଥିଲେ ।
ନୂଆ ବ୍ୟବସ୍ଥାରେ ବାଚସ୍ପତିଙ୍କ ଦରମା ଦୁଇଗୁଣାରୁ ଅଧିକ ହୋଇଛି । ପୂର୍ବରୁ ବାଚସ୍ପତି ୪୦,୫୦୦ ଟଙ୍କା ଦରମା ପାଉଥିଲେ । ଏବେ ତାହା ୯୮ ହଜାରକୁ ବୃଦ୍ଧି ପାଇଛି । ବୈଠକ ଭତ୍ତା ୮୦୦ରୁ ବଢ଼ି ୨୦୦୦ ଟଙ୍କା ହୋଇଛି । ଗାଡ଼ି ଭତ୍ତା ୧୯ ହଜାରରୁ ୮୯ ହଜାରକୁ ବୃଦ୍ଧି ହୋଇଛି । ସେହିପରି ଆତିଥ୍ୟ ଭତ୍ତା ମାସିକ ୪୦ ହଜାରରୁ ବୃଦ୍ଧି ପାଇ ୧ଲକ୍ଷ ୮୧ ହଜାର ହୋଇଛି । ସରକାରୀ ବାସଭବନ ନ ପାଇଲା ପର୍ଯ୍ୟନ୍ତ ବାଚସ୍ପତିଙ୍କ ରହିବା ବାବଦ ଦୈନିକ ଭତ୍ତା ୧୦୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ହୋଇଛି ।
ସଂଶୋଧିତ ବ୍ୟବସ୍ଥାରେ କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ପ୍ରତି ପାଞ୍ଚ ବର୍ଷକୁ ଥରେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ବଢ଼ିବ । ବିଧାନସଭାରେ ବିଲ୍ ଆକାରରେ ନ ଆଣି ସିଧାସଳଖ ଅର୍ଡିନାନ୍ସ ଜରିଆରେ ଏହି ବୃଦ୍ଧି କରାଯାଇପାରିବ ।
ବିଧାୟକମାନଙ୍କ ଦରମା ବୃଦ୍ଧି ବହୁତ ଦିନର ପୁରୁଣା ଦାବି । ବିଜେପି ସରକାର ଆସିବା ପରେ ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାସ୍କର ମଢ଼େଇଙ୍କ ନେତୃତ୍ୱରେ ନିମନ୍ତେ ଏକ ଉପଦେଷ୍ଟା କମିଟି ଗଠନ କରିଥିଲେ । ଦରମା ଏବଂ ପେନସନ୍ ବୃଦ୍ଧି ନିମନ୍ତେ କମିଟିର ଅନୁମୋଦନକୁ ଅପେକ୍ଷା କରାଯାଇଥିଲା । ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଲ୍ ଆଗତ କରିଥିଲେ ।