ଭୁବନେଶ୍ୱର : ଜାତୀୟ ଉଠା ବ୍ୟବସାୟୀ ଦିବସ (୨୦ ଜାନୁଆରୀ) ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଭେଣ୍ଡିଂ ଜୋନ୍ ମହାସଂଘ(Vending Zone) ର ମିଳିତ ଉଦ୍ୟମରେ ଆଜି ଭୁବନେଶ୍ୱରରେ ଏକ ବିଶାଳ ପଦଯାତ୍ରା ଓ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କ୍ଷୁଦ୍ର ଓ ଉଠା ବ୍ୟବସାୟୀ ଯୋଗଦେଇ ଅର୍ଥନୀତିରେ ନିଜ ଅବଦାନକୁ ଉଜାଗର କରିବା ସହ Street Vendors (Protection of Livelihood and Regulation of Street Vending) Act–2014 ର ସଠିକ୍ କାର୍ଯ୍ୟାନ୍ୱୟନ ଦାବିକୁ ସ୍ୱର ଦେଇଥିଲେ।
ଏହି ବିଶାଳ ପଦଯାତ୍ରା ସକାଳ ୯ ଟାରୁ ବିଏମସି କାର୍ଯ୍ୟାଳୟ ଠାରୁ ଆରମ୍ଭ ଇନଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ, ୟୁନିଟ୍–୫, ଠାରେ ପହଂଚି ଥିଲା ଓ ସେହିଠାରେ ବାର୍ଷିକ ସମ୍ମିଳନୀ ଅୟୋଜିତ ହୋଇଥିଲା। ସେଠାରେ ଉଠା ବ୍ୟବସାୟୀଙ୍କ ସମସ୍ୟା, ଭେଣ୍ଡିଂ ଜୋନ୍, ସାମାଜିକ ସୁରକ୍ଷା, ପୁନର୍ବାସ ଓ ଆଇନଗତ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ସରକାରଙ୍କୁ ଦାବିପତ୍ର (Memorandum) ପ୍ରଦାନ କରାଯାଇଥିଲା।
ଏହାଛଡା ତାଙ୍କର ବାର୍ଷିକ ପୁସ୍ତକ ‘ ବଞ୍ଚିବାର ଆଶା ‘ ଉନ୍ମୋଚିତ ହୋଇଥିଲା ତଥା ସଂଗଠନର କିଛି ପରିବାର ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।
ଏହି ସଭାରେ ଅତିଥି ଭାବେ ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ ଓ ସମସ୍ତ ବ୍ୟବସାୟୀ ଭାଇ ଭଉଣୀଙ୍କୁ ଖୁବ୍ ଉତ୍ସାହିତ କରିଥିଲେ।