ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ଦାୟିତ୍ୱରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ତଥା ରାଜସ୍ୱମନ୍ତ୍ରୀ ଚନ୍ଦ୍ରଶେଖର ବାୱାନକୁଲେ । ୧୬ ତାରିଖରେ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀ ବାୱାନକୁଲେ ମହାରାଷ୍ଟ୍ରର ଜଣେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା । ଅତୀତରେ ମହାରାଷ୍ଟ୍ର ରାଜ୍ୟ ବିଜେପିର ସେ ସଭାପତି ଥିଲେ । ନିର୍ବାଚନ ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ରହିଛି । ଓଡ଼ିଶାରେ ଦୁଇଟି ରାଜ୍ୟସଭା ଆସନ ବିଜେପିର ସୁନିଶ୍ଚିତ ଥିବା ବେଳେ ଚତୁର୍ଥ ଆସନରେ ଲଢ଼େଇ ହେଉଛି । ବିଜେଡି ଏବଂ କଂଗ୍ରେସର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ବିଜେପି ସମର୍ଥନରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ର ବିଜେପି ନେତୃତ୍ୱ ବାୱାନକୁଲେଙ୍କୁ ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବାରୁ ବିଜେପି ପାଇଁ ଚତୁର୍ଥ ଆସନର ଗୁରୁତ୍ୱ ସହଜରେ ବୁଝାପଡୁଛି ।