ଭୁବନେଶ୍ୱର: ବ୍ୟାଙ୍କ ବାଲାଙ୍କଠାରୁ ପୁଲିସ, ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ । ଜିତୁ ମୁଣ୍ଡାଙ୍କ ପ୍ରତି ସମସ୍ତେ ନିର୍ଦ୍ଦୟ ହୋଇଯାଇଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କୁ ସେ ବାରମ୍ବାର ନେହୁରା ହୋଇଥିଲେ ଭଉଣୀର ଟଙ୍କା ଉଠାଇ ଦେଇଦେବାକୁ । ମାତ୍ର ତାଙ୍କ କଥା ଶୁଣାଯାଇ ନ ଥିଲା । ମୃତ ଭଉଣୀର କଙ୍କାଳକୁ ଧରି ବ୍ୟାଙ୍କରେ ପହଞ୍ଚିଲା ପରେ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିଥିଲେ । ପୁଲିସ ବି ଆସି ଉପସ୍ଥିତ ହୋଇଥିଲେ । ତାଙ୍କୁ ଗାଁକୁ ଫେରିଯିବାକୁ ତାଗିଦ କରିଥିଲେ । ସମସ୍ତଙ୍କ ସାମନାରେ ସେହି କଙ୍କାଳକୁ କାନ୍ଧରେ ପକାଇ ଜିତୁ ମୁଣ୍ଡା ଟାଣ ଖରାରେ ପିଚୁ ରାସ୍ତା ଉପରେ ଫେରିଥିଲେ ଗାଁ ଶ୍ମଶାନକୁ । କିନ୍ତୁ, ତାଙ୍କୁ ଗାଡ଼ିରେ ବସାଇ ଘରେ ଛାଡ଼ି ଆସିବାକୁ ପୁଲିସର ବିବେକ କହିଲାନି । ସହଯୋଗ ପାଇଁ ବ୍ୟାଙ୍କବାଲା, ସାଧାରଣ ଜନତା କେହି ବାହାରିଲେନି । ଅପାଠୁଆ, ଗରିବ ଜିତୁ ମୁଣ୍ଡାଙ୍କ ପାଇଁ ସମସ୍ତେ ନିର୍ଦ୍ଦୟ ପାଲଟିଗଲେ । ମାନବିକତାକୁ ହରାଇ ବସିଲେ ।
ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ଆଜି ତାଙ୍କର ପ୍ରାଥମିକ ତଦନ୍ତରେ ଏହି ନିର୍ଣ୍ଣୟରେ ପହଞ୍ଚିଛନ୍ତି । ଅଧ ଘଣ୍ଟାରୁ ଅଧିକ ସମୟ ଜିତୁ ମୁଣ୍ଡାଙ୍କଠାରୁ ତାଙ୍କର ଅନୁଭୂତି ଶୁଣିବା ଏବଂ ଦୁଇ ଘଣ୍ଟାରୁ ଅଧିକ ସମୟ ବ୍ୟାଙ୍କରେ ରହି ମ୍ୟାନେଜରଙ୍କୁ ପଚରା ଉଚୁରା ଏବଂ ସିସିଟିଭି ଛାନଭିନ୍ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଆରଡିସି । ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳାର ଖୁଲାସା କରିଥିଲେ ।
ଜିଲ୍ଲାପାଳଙ୍କ ସହ ଆରଡିସି ୧ ଘଣ୍ଟାରୁ ଅଧିକ ସମୟ ଧରି ଧରି କେବଳ ବ୍ୟାଙ୍କ ସିସିଟିଭିର ଯାଞ୍ଚ କରିଥିଲେ । ସେଥିରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ନିରାଶ କରି ଫେରାଇ ଦେଉଥିବା ସ୍ପଷ୍ଟ ଜଣାପଡୁଛି । ସିସିଟିଭିର ଅଡିଓ ନ ଥିବାରୁ କ’ଣ କଥାବାର୍ତ୍ତା ହୋଇଛି ଅବଶ୍ୟ ଜଣାପଡ଼ି ନ ଥିଲା । ଜିତୁ ମୁଣ୍ଡା ଦିନ ୧୧ଟା ୨୬ରେ ବ୍ୟାଙ୍କକୁ ପଶିଥିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଥିଲେ । ସେହି ସମୟ ଭିତରେ ସେ ୪ ଥର ବ୍ୟାଙ୍କ କର୍ମଚାରୀଙ୍କୁ ଭେଟିଛନ୍ତି । ଦ୍ୱିତୀୟ ଥର ବ୍ୟାଙ୍କ ମ୍ୟାନେଜରଙ୍କ ପାଖରୁ ନିରାଶ ହୋଇ ଫେରୁଛନ୍ତି । ଏହା ପରେ ସେ କ୍ଷୁବ୍ଧ ହୋଇ ଗାଁକୁ ଯାଇଛନ୍ତି ଏବଂ ମଶାଣିରେ ପୋତା ହୋଇଥିବା ମୃତ ଭଉଣୀର କଙ୍କାଳ ଧରି ପୁଣି ବ୍ୟାଙ୍କ ଆସିଛନ୍ତି ।
ଜିତୁ ମୁଣ୍ଡା ଓ ତାଙ୍କ ଭଉଣୀ କଲରା ମୁଣ୍ଡାଙ୍କୁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ପୂର୍ବରୁ ଭଲ ଭାବରେ ଚିହ୍ନିଥିଲେ । ଭାଇଭଉଣୀ ପୂର୍ବରୁ ୮ ଥର ବ୍ୟାଙ୍କକୁ ଆସି ଟଙ୍କା ଉଠାଇଛନ୍ତି । ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ କାରବାର ସମ୍ପର୍କରେ ଜ୍ଞାନ ମଧ୍ୟ ରହିଛି । ମାତ୍ର ମୃତ ଭଉଣୀର ଜମା ଥିବା ୧୯ ହଜାର ୩୦୦ ଟଙ୍କା ଉଠାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସହଯୋଗ ନ କରି ନିଶ୍ଚିତ ଭାବରେ ଅବହେଳା କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନ ବୋଲି ଆରଡିସି ପ୍ରକାଶ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି ।
ଆରଡିସିଙ୍କ ତଦନ୍ତରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ଚଞ୍ଚକତା ଭଳି ଅନ୍ୟ ଏକ ସାଂଘାତିକ ଦିଗର ସନ୍ଧାନ ମିଳିଛି । ଜିତୁଙ୍କ ଭଉଣୀ କଲରା ମୁଣ୍ଡାଙ୍କର ଗତ ଜାନୁଆରୀ ମାସରେ ମୃତ୍ୟୁ ହୋଇଥିଲା । ମାତ୍ର ଫେବ୍ରୁଆରୀ ମାସରେ ତାହା ପଞ୍ଜିକୃତ ହୋଇଛି । ଡେଥ୍ ସାର୍ଟିଫିକେଟ୍ ପାଇବା ପାଇଁ ଜିତୁ କୋର୍ଟରେ ଏକ ଆଫିଡେଭିଟ୍ କରିଛନ୍ତି । ଡେଥ୍ ସାର୍ଟିଫିକେଟ୍ ପାଇଁ କୌଣସି ଆଫିଡେଭିଟ୍ ର ଆବଶ୍ୟକତା ନ ଥିଲା ବେଳେ କିଏ ଏବଂ କାହିଁକି ଏହି ଆଫିଡେଭିଟ୍ କରାଇଛନ୍ତି ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଆରଡିସି । ଆବେଦନ ଅନୁଯାୟୀ ଏପ୍ରିଲ୍ ୪ ସୁଦ୍ଧା ଜିତୁଙ୍କୁ ଡେଥ୍ ସାର୍ଟିଫିକେଟ୍ ମିଳିଯିବା କଥା । ହେଲେ ଏପ୍ରିଲ୍ ୨୮ ତାରିଖ ପର୍ଯ୍ୟନ୍ତ କାହିଁକି ମିଳି ନ ଥିଲା, କିଏ ତାକୁ ଅଟକାଇଥିଲା ତାହାର ତଦନ୍ତ ହେବ ବୋଲି ଆରଡିସି କହିଛନ୍ତି ।
ପୁଲିସର ନିଷ୍ଠୁରତାକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଆରଡିସି । ଜଣେ ମୃତ ମହିଳାଙ୍କ କଙ୍କାଳ ଧରି ତାଙ୍କ ଭାଇ ବ୍ୟାଙ୍କକୁ ଆସିଥିବା ଖବର ପୁଲିସ ଅବିଳମ୍ବେ ପାଇ ବ୍ୟାଙ୍କକୁ ଆସିଥିଲା । କଙ୍କାଳ ଧରି ବ୍ୟାଙ୍କ ବରଣ୍ଡାରେ ବସିଥିବା ଭାଇ ଜିତୁ ମୁଣ୍ଡାଙ୍କୁ ଘେରି ରହିଥିଲା । ଜିତୁଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ସେଠାରୁ ଚାଲିଯିବାକୁ ତାଗିଦ କଲା । ଏଥିରେ ଡରି ଯାଇ ଜିତୁ ମୁଣ୍ଡା ଗାଁ ମଶାଣି ମୁହାଁ ହୋଇଥିଲେ । ଯେମିତି କଙ୍କାଳକୁ ଆଣିଥିଲେ ସେମିତି ଧରି ଖାଲି ପାଦରେ ଚାଲି ଚାଲି ଫେରିଥିଲେ ଗାଁକୁ । ପୁଲିସ ତାଙ୍କୁ ଗାଡ଼ିରେ ବସାଇ ଆଣିପାରିଥାନ୍ତା କି ଆମ୍ବୁଲାନସ୍ ଡକାଇ ପାରିଥାନ୍ତା । ମାତ୍ର ମାନବିକତା ରହିଲାନି । ରାସ୍ତାରେ ଦେଖଣାହାରୀ ବି ତାଙ୍କୁ ସହାନୁଭୂତି ଦେଖାଇଲେନି । ତାଙ୍କ ତଦନ୍ତ ରିପୋର୍ଟରେ ସରକାରଙ୍କୁ ସବୁ ଜଣାଇବେ ବୋଲି ଆରଡିସି କହିଛନ୍ତି । ତେଣିକି ସରକାର ଯାହା କାର୍ଯ୍ୟାନୁଷ୍ଠାନ ନେବେ ।
ବର୍ଷିଲେ ନବୀନ
ଭଉଣୀ କଙ୍କାଳ ଧରି ବ୍ୟାଙ୍କ ଯିବା ଘଟଣାକୁ ନେଇ ଆଜି ବିଧାନସଭାରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଗତ ‘ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ’ ସଂକଳ୍ପ ଉପରେ ତାଙ୍କର ଅଭିଭାଷଣ ରଖିବା ପୂର୍ବରୁ ଜିତୁ ମୁଣ୍ଡା ଘଟଣାର ଅବତାରଣା କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ, ଆଜି ଆମ ରାଜ୍ୟରେ ମହିଳାମାନଙ୍କ ଅଧିକାର ଏବଂ ସମ୍ମାନ ସହ ଜଡ଼ିତ ଏକ ଗମ୍ଭୀର ବିଷୟ ଉଠାଇବାକୁ ଯାଇ ମୁଁ ଅତ୍ୟନ୍ତ ମର୍ମାହତ। ଓଡ଼ିଶାର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଉଛି, ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣିତ କରିବା ଏବଂ ତାଙ୍କର ପ୍ରାପ୍ୟ ପାଇବା ପାଇଁ ପରିବାର ଲୋକଙ୍କୁ ମହିଳାଙ୍କ କଙ୍କାଳ କବରରୁ ଖୋଳି ବାହାର କରି ବ୍ୟାଙ୍କକୁ ନେବାକୁ ପଡ଼ିଛି। ଭଉଣୀର ମୃତ୍ୟୁ ପରେ ଜମା ଅର୍ଥରାଶି ଉଠାଇବାକୁ ତାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ି ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଅଧିକାରୀମାନେ ତାଙ୍କୁ ହଇରାଣ କରି ମୃତ୍ୟୁର ପ୍ରମାଣ ମାଗିଥିଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟାଙ୍କରେ ପ୍ରମାଣ ସ୍ୱରୂପ କଙ୍କାଳ ଦେଖାଇବା ପରେ ତାଙ୍କୁ ପୁଣି ସେହି କଙ୍କାଳକୁ ପାଦରେ ଚାଲି ଚାଲି ଘରକୁ ବୋହି ଆଣିବାକୁ ପଡ଼ିଥିଲା। ଏହା ଏକ ସମ୍ବେଦନହୀନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର ଚରମ ଅବହେଳା ଏବଂ ଶୂନ୍ୟ ଉତ୍ତରଦାୟିତ୍ୱକୁ ଦର୍ଶାଉଛି।
ଆଜି ଆମ ମହିଳାମାନଙ୍କର ଏ ହେଉଛି ସ୍ଥିତି। ଏହା ହିଁ ‘ନ୍ୟୁୟର୍କ ପୋଷ୍ଟ’ ଏବଂ ‘ବିବିସି’ ଓଡ଼ିଶା ବିଷୟରେ ରିପୋର୍ଟ କରିଛନ୍ତି ଏବଂ ସାରା ବିଶ୍ୱ ଆମ ବିଷୟରେ ଏହା ହିଁ ପଢୁଛି। ବ୍ୟାଙ୍କିଙ୍ଗ୍ ସେବା କେନ୍ଦ୍ରୀୟ ବିଷୟ ହୋଇଥିବା ବେଳେ ‘ଡବଲ୍ ଇଞ୍ଜିନ୍ ସରକାର’ରେ ଗୋଟେ ସମ୍ବେଦନହୀନ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶା ଇତିହାସରେ ଏଭଳି ଅମାନୁଷିକ ଶାସନ କେବେ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଓଡ଼ିଶା ନ ଆସିବା ପାଇଁ ନିଜ ନାଗରିକମାନଙ୍କୁ ଏକ ପରାମର୍ଶ ଜାରି କରିବାକୁ ପଡ଼ିଛି।
ରାଜ୍ୟରେ ଥିବା ବିଜେପି ସରକାରଙ୍କ ମହିଳାଙ୍କ ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ। ଶାସନ କେବଳ ମିଛ ପ୍ରଚାର ଏବଂ ଦେଖାଣିଆ ପ୍ରଦର୍ଶନରେ ସୀମିତ ହୋଇ ରହିଛି। ମୁଖ୍ୟମନ୍ତ୍ରୀ କୌଣସି ବିବୃତି ଦେବା ପୂର୍ବରୁ ନିଜର ଆତ୍ମସମୀକ୍ଷା କରିବା ଉଚିତ। ଏପରି ଦୁଃଖଦ ଓ ଲଜ୍ଜାଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିବା ଓଡ଼ିଶାର ଶୋଚନୀୟ ସ୍ଥିତିର ଜ୍ୱଳନ୍ତ ଉଦାହରଣ ବୋଲି ନବୀନ କହିଥିଲେ ।
କଙ୍କାଳ ବି ସୁରକ୍ଷିତ ନୁହେଁ
ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଓଡ଼ିଶାରେ ଏଠି ମହିଳାଙ୍କ କଙ୍କାଳ ବି ସୁରକ୍ଷିତ ନାହିଁ । କେନ୍ଦୁଝର ଜିତୁ ମୁଣ୍ଡା ଘଟଣା ଓଡ଼ିଶାର ମୁଣ୍ଡ ଲଜ୍ଜାରେ ତଳକୁ କରିଦେଇଛି ବୋଲି ସେ କହିଛନ୍ତି ।