ଭୁୁବନେଶ୍ୱର: ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଏହି ଦିନିକିଆ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଭାରତର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋଚନା ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ସ୍ୱତନ୍ତ୍ର ଅଧିବେଶନକୁ ନେଇ ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ସରଗରମ ରହିଛି । ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ।
ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପଛରେ ଅସଲ କାରଣ ଯାହା ଚର୍ଚ୍ଚା ହେଉଛି, ସଂସଦରେ ମହିଳା ସଂରକ୍ଷଣ ବିଲ୍ କୁ ଯୋଡି ସୀମା ନିର୍ଦ୍ଧାରଣ ବିଲ୍ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ବିରୋଧୀଙ୍କ ଷଡ଼ଯନ୍ତ୍ର ଯୋଗୁଁ ମହିଳା ସଂରକ୍ଷଣ ବିଲ୍ ଆଗକୁ ବଢ଼ି ପାରିଲାନି ବୋଲି ବିଜେପି ଆରୋପ ଲଗାଇଛି । ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ମହିଳା ଆକ୍ରୋଶ ସମାବେଶ କରାଯାଉଛି । ବିଜେପି ଶାସିତ ରାଜ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ନାରୀ ଶକ୍ତି ବନ୍ଦନ ଅଧିନିୟମ ସପକ୍ଷରେ ପ୍ରସ୍ତାବ ପାରିତ କରିବାକୁ ଯୋଜନା ହୋଇଛି । ସେହି ଯୋଜନାରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା କୁହାଯାଉଛି ।
ତେବେ ସରକାରଙ୍କର ଏହି ଉଦ୍ୟମକୁ ଉଭୟ ବିଜେଡି ଏବଂ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି ।
ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବାରେ ବିଜେପିର ଆନ୍ତରିକତା ନାହିଁ । ବିରୋଧୀଙ୍କୁ ନିନ୍ଦିତ କରିବା ପାଇଁ ଏହି ଅଧିବେଶନ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଏହି ସ୍ୱତନ୍ତ୍ର ଅଧିବେଶନ ଡାକରାକୁ ଡ୍ରାମାବାଜି ବୋଲି କହିଛନ୍ତି । ନିଜର ରାଜନୈତିକ ଚାଲ୍ ଓ ଦୋଷ ଦୁର୍ବଳତା ଘୋଡ଼ାଇବା ପାଇଁ ବିଜେପିର ଡ୍ରାମାବାଜିକୁ ଲୋକେ ବୁଝିସାରିଲେଣି ବୋଲି ସେ କହିଛନ୍ତି ।
କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ବିଜେପିର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ନାରୀ ବନ୍ଦନା ନାଁରେ ବିଜେପିର ନାଟକବାଜି ବିରୋଧରେ କାଲି ବିଧାନସଭା ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।