ଭୁବନେଶ୍ୱର: ଭଉଣୀର କଙ୍କାଳ ମୁଣ୍ଡାଇ ଶେଷରେ ନ୍ୟାୟ ପାଇଲେ ଜିତୁ ମୁଣ୍ଡା । ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କର ପ୍ରାପ୍ୟ ଟଙ୍କାକୁ ତାଙ୍କ ଘରକୁ ଯାଇ ଦେଇ ଆସିଛନ୍ତି । ଭଉଣୀ ରଖିଥିବା ଟଙ୍କା ବ୍ୟାଙ୍କରୁ ଉଠାଇବା ପାଇଁ ତାଙ୍କୁ ପ୍ରମାଣପତ୍ର ଆଣିବାକୁ ବାଧ୍ୟ କରାଯାଇଥିଲା । ମୃତ ଭଉଣୀର କଙ୍କାଳକୁ କାନ୍ଧରେ ପକାଇ ବ୍ୟାଙ୍କ ନେଇଥିଲେ । ଏହି ହୃଦୟ ବିଦାରକ ଦୃଶ୍ୟ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଆମର ନିଷ୍ଠୁର ବ୍ୟବସ୍ଥା ଏବଂ ଗରିବ ଅସହାୟ ମଣିଷର ଅବସ୍ଥା ପଦାକୁ ଆଣିଛି ।
ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଡିଆନାଳୀ ଯାଇ ଜିତୁ ମୁଣ୍ଡାଙ୍କୁ ଭେଟିଥିଲେ । ତାଙ୍କ ଜିଲ୍ଲାର ଏହି ବରିଷ୍ଠ ନେତାଙ୍କୁ ଅପାଠୁଆ, ଅଶିକ୍ଷିତ ଜିତୁ ଚିହ୍ନିଥିଲେ ନା ନାଇଁ ତାହା କାହାରିକୁ ଜଣା ନ ଥିଲେ ମଧ୍ୟ ତାଙ୍କୁ ଦେଖିଲା ମାତ୍ରେ ଭୋ ଭୋ ହୋଇ କାନ୍ଦିଥିଲେ । କେଉଁ ପରିସ୍ଥିତିରେ ତାଙ୍କୁ ଭଉଣୀର କଙ୍କାଳ ବାହାର କରିବାକୁ ପଡ଼ିଲା ତାହା ବର୍ଣ୍ଣନା କରିଥିଲେ । ଜିତୁଙ୍କ ମୁହଁରୁ ସବୁ ଶୁଣିଲା ପରେ ହତବାକ୍ ହୋଇଯାଇଥିଲେ ବଦ୍ରି । ଦୁନିଆର ଆଖି ଖୋଲି ଦେଇଥିବାରୁ ତାଙ୍କୁ ସାବାସି ଦେଇ ହୀରୋ ବୋଲି କହିଥିଲେ । ଆମର ଦୁର୍ବଳତା ଦେଖାଇଥିବା ଏହି ନିରୀହ ଅଶିକ୍ଷିତ ଲୋକ ସମସ୍ତଙ୍କର ହୀରୋ ବୋଲି ସେ କହିଥିଲେ ।
ତେବେ ଜିତୁଙ୍କ ଘଟଣାରୁ ଭଙ୍ଗା ମାନବିକତାର ଆଉ ଏକ କରୁଣ ଚିତ୍ର ସାମନାକୁ ଆସିଛି । ଆଜି ତାଙ୍କୁ ଭେଟିଲା ପରେ ଅନାଲୋଚିତ ସମ୍ବେଦନଶୀଳ ଏହି ଦିଗକୁ ଗଣମାଧ୍ୟମ ସାମନାରେ ରଖିଛନ୍ତି ବଦ୍ରି ପାତ୍ର ।
ଜିତୁ ମୁଣ୍ଡାଙ୍କୁ ତାଙ୍କ ମୃତ ଭଉଣୀର ଟଙ୍କା କେମିତି ଫେରସ୍ତ ମିଳିବ ତାହା ବ୍ୟାଙ୍କ କର୍ମଚାରୀ ବୁଝାଇ ପାରିଲେନି କି ପ୍ରମାଣପତ୍ର ଯୋଗାଡ଼ରେ ସହଯୋଗ କରିବାକୁ ଆଗେଇ ଆସିଲେନି । ଭଉଣୀର ମୃତ୍ୟୁ ପ୍ରମାଣପତ୍ର ତା’ର କଙ୍କାଳ ବୋଲି ବୁଝିଲେ ଅପାଠୁଆ ଜିତୁ । ସେଥିପାଇଁ କବର ଖୋଳି କଙ୍କାଳ ବାହାର କଲେ ଏବଂ ତାକୁ କାନ୍ଧେଇ ଟାଣ ଖରାରେ, ପିଚୁ ରାସ୍ତାରେ, ଖୋଲା ପାଦରେ ୩ କିଲୋମିଟର ଦୂର ବ୍ୟାଙ୍କକୁ ଚାଲି ଚାଲି ଗଲେ । ରାସ୍ତାରେ ସମସ୍ତେ ତାଙ୍କୁ ଚାହିଁଥିଲେ ବି ମାନବିକତା ଦେଖାଇଲେନି ।
ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ପରେ ତାଙ୍କୁ ଦେଖି ସମସ୍ତେ ଦୌଡ଼ି ଆସିଲେ । କର୍ମଚାରୀଙ୍କଠାରୁ ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚିଗଲେ । ତହସିଲଦାର, ବିଡିଓ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ପାଖରେ ବି ଖବର ପହଞ୍ଚିଥିଲା । ବ୍ୟାଙ୍କବାଲା, ପୁଲିସ, ତହସିଲଦାର, ବିଡିଓ ସମସ୍ତେ ତାଙ୍କୁ ଜଳ ଜଳ କରି ଚାହିଁଥିଲେ । କଙ୍କାଳ ନେଇ ଶୀଘ୍ର ଏଠାରୁ ଯାଆ ବୋଲି ପୁଲିସ ଧମକାଇଥିଲା । ସମସ୍ତଙ୍କ ସାମନାରେ ଜିତୁ ପୁଣି ସେହି କଙ୍କାଳକୁ ଧରି ଗାଁ ଶ୍ମଶାନକୁ ଫେରିଥିଲେ । ତାହାପୁଣି ଟାଣ ଖରା, ପିଚୁ ରାସ୍ତା, ବିନା ଚପଲରେ । ପୁଲିସ, ବିଡିଓ, ତହସିଲଦାର କେହି ତାଙ୍କୁ ଅଟକାଇଲେ ନାହିଁ । ଏହି ବାବୁମାନେ ତାଙ୍କୁ ସରକାରୀ ଗାଡ଼ିରେ ବସାଇ ଗାଁରେ ଛାଡ଼ି ଦେଇଥିଲେ କ’ଣ ମାରା ହୋଇଯାଇଥାନ୍ତା ବୋଲି ବଦ୍ରି ପ୍ରଶ୍ନ କରିଛନ୍ତି ।
ସରକାରୀ କଳଠାରୁ ସାଧାରଣ ଜନତା । କାହାରି ବି ମାନବିକତା ରହିଲାନି । ଉଦୁ ଉଦୁ ଖରାରେ କଙ୍କାଳକୁ ଧରି ଚାଲୁଥିବା ଜିତୁ ମୁଣ୍ଡାଙ୍କୁ ରାସ୍ତାରେ ଲୋକ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟର ହାତ ନ ବଢ଼ାଇବା କି ସମବେଦନା ନ ଜଣାଇବା ଆହୁରି ଦୁର୍ଭାଗ୍ୟର କଥା ।
ଏଠି ମାନବିକତା ମରିଯାଇଛି । ମଣିଷପଣିଆ ନାହିଁ । ନିରୀହ ଅସହାୟ ଲୋକଙ୍କ ପ୍ରତି ପ୍ରଶାସନ ସମ୍ବେଦନଶୀଳ ନୁହେଁ । ତେଣୁ କାହା ଉପରେ ଭରସା କରାଯିବ? ଏହି ବ୍ୟବସ୍ଥା ଏବଂ ମାନସିକତାକୁ ସୁଧାରିବା ପାଇଁ ଜିତୁ ମୁଣ୍ଡା ସମସ୍ତଙ୍କ ଆଖି ଖୋଲି ଦେଇଛନ୍ତି । ଆରଡିସି ତଦନ୍ତରେ ଅନେକ କଥା ଚପି ଯାଇପାରେ । ଏହାର ବିଚାର ବିଭାଗୀୟ ତଦନ୍ତ କରାଗଲେ ଦୁର୍ବଳତା ସାମନାକୁ ଆସିପାରିବ ବୋଲି ବଦ୍ରି କହିଛନ୍ତି ।
Continue Reading







