ଭୁବନେଶ୍ୱର: ନିଟ୍-ୟୁଜି ପରୀକ୍ଷାରେ ଦୁର୍ନୀତି ଓ ଜାଲିଆତିର ଚେର ସାରା ଦେଶକୁ ବ୍ୟାପିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଭୋପାଳର ମେଡିକାଲ୍ ଛାତ୍ର ୩୦ ବର୍ଷୀୟ ଶୁଭମ୍ ଖୈରନାରଙ୍କୁ ନାଶିକରୁ ଗିରଫ କରାଯାଇଛି। ସିବିଆଇର ୪ଟି ଟିମ୍ ନାସିକ୍ ର କ୍ରାଇମବ୍ରା ଅଫିସରେ ପହଞ୍ଚି ଶୁଭମ୍ କୁ ନିଜ ହେପାଜତକୁ ନେଇଛନ୍ତି। ନାସିକ୍ ର ଏକ ପ୍ରିଣ୍ଟିଙ୍ଗ ପ୍ରେସ୍ ରୁ ପରୀକ୍ଷାର ୧୫ ଦିନ ପୂର୍ବରୁ ପ୍ରଶ୍ନପତ୍ରର ହାର୍ଡ କପି ଚୋରି ହୋଇଥିଲା। ଏଥିରୁ ଏକ ‘ଗେସ୍ ପେପର୍’ ପ୍ରସ୍ତୁତ ହୋଇ ଶୁଭମ୍ ଙ୍କ ପାଖରେ ପହଞ୍ଚିଥିଲା। ଶୁଭମ୍ ଏହାକୁ ପିଡିଏଫ୍ କରି ଚେନ ନେଟଓ୍ବର୍କ ଜରିଆରେ ହରିୟାଣାର ଗୁରୁଗ୍ରାମରେ ଥିବା ତାଙ୍କର ସହେଯାଗୀ ଡାକ୍ତରଙ୍କୁ ପଠାଇଥିଲେ। ସେଠାରୁ ଏକ ସଂଗଠିତ ନେଟଓ୍ବର୍କ ମାଧ୍ୟମରେ ସାରା ଦେଶକୁ ବ୍ୟାପିଥିଲା। ଏଥିରେ ପ୍ରାୟ ୪୫ ଜଣଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ମୁଖ୍ୟ ଅଭିଯୁକ୍ତ ଶୁଭମ୍ ଖୈରନାର ଏହି ଗେସ୍ ପେପରକୁ ୧୦ ଲକ୍ଷରେ କିଣିଥିଲେ ଏବଂ ଚେନ୍ ନେଟଓ୍ବର୍କ ଜରିଆରେ କୋଟି କୋଟି ଟଙ୍କା ପାଇଥିଲେ। କେତେକ ଆଶାୟୀଙ୍କୁ ୩୦ ହଜାରରୁ ୩୦ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୫ ଜଣ ଗିରଫ ହୋଇଥିଲା ବେଳେ ରାକେଟ୍ ପଛର ପ୍ରକୃତ କାର୍ପଟଦାରକୁ ଖୋଜୁଛି ସିବିଆଇ ।
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ ବିକ୍ଷୋଭ ଜାରି ରହିଥିଲା ବେଳେ ଆଜି ସମଗ୍ର ରାଜ୍ୟରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ହୋଇଛି । ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କଟକ ଜିଲ୍ଲା ପକ୍ଷରୁ ଖ୍ରୀଷ୍ଟ ମହାବିଦ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସେହିପରି ବ୍ରହ୍ମପୁର, ବାରିପଦା, ଅନୁଗୁଳ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ମଧ୍ୟ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
ଏହି ଆନ୍ଦୋଳନରେ ଶତାଧିକ ଛାତ୍ର ଓ ଯୁବ କର୍ମୀମାନେ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ନାରାବାଜି କରିଥିଲେ । ଆନ୍ଦୋଳନକାରୀ ଯୁବ ଛାତ୍ର ନେତାମାନେ କହିଥିଲେ ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛି । ପୁନଃ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଘଟଣା କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ।
ନେତୃବୃନ୍ଦ ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ପରୀକ୍ଷା ବ୍ୟବସ୍ଥାରେ ତୁରନ୍ତ ସଂଶୋଧନ ଆଣିବାକୁ ଦାବି କରାଯାଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଛାତ୍ରନେତାମାନେ ଦାବି କରିଥିଲେ । କେନ୍ଦ୍ର ସରକାର ଯଦି ଏହି ଘଟଣାରେ କଠୋର ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।