ଭୁବନେଶ୍ୱର: ଆଜି ହେଉଛି ଜୁନ୍ ୪ । ଠିକ୍ ଦୁଇବର୍ଷ ତଳେ ୨୦୨୪ ମସିହାର ଆଜିର ଦିନରେ ଓଡ଼ିଶାର ୨୪ ବର୍ଷର ବିଜେଡି ସରକାରର ପତନ ଘଟିଥିଲା । ସାଧାରଣ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ଏହି ବିଶେଷ ଦିନକୁ ମନେ ପକାଇ ଓଡ଼ିଶାବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
‘ପ୍ରିୟ ଓଡ଼ିଶାବାସୀ,
ଆଜି ଜୁନ୍ ୪ ତାରିଖ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ । ଦୁଇବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ । ଆପଣଙ୍କର ସେହି ପବିତ୍ର ଜନମତ କେବଳ, ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ୱଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଡବଲ ଇଞ୍ଜିନ ସରକାର ଗତ ଦୁଇବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି । ଆମ ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ।
ଆପଣଙ୍କର ଅତୁଟ ବିଶ୍ୱାସ ଓ ଆସ୍ଥା ଆମ ସଂକଳ୍ପକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିଛି । ସେବା ଏବଂ ବିକାଶ ମାଧ୍ୟମରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ । ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ‘ବିକଶିତ ଭାରତ’ ସହିତ ‘ସମୃଦ୍ଧ ଓଡ଼ିଶା’ ଗଠନର ଏହି ମହାଯଜ୍ଞରେ ସାମିଲ ହୋଇ ପ୍ରିୟ ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା ।
ବିଜେଡିର ଜବାବ
ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ,
ଆଜି ୪ ଜୁନ୍ । ଆପଣଙ୍କ ସରକାର ଓଡ଼ିଶାରେ ଦୁଇ ବର୍ଷ ପୂର୍ଣ୍ଣ କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ଠାରୁ ଅଧିକ ଭୋଟ୍ ପାଇଥିଲେ ମଧ୍ୟ, ବିଜେପି ସରକାର ଗଠନ କରିଥିଲା । ଆପଣଙ୍କର ଏକ୍ସ୍ ପୋଷ୍ଟରେ ଗତ ଦୁଇ ବର୍ଷର ସଫଳତାର ଦାବି ଦେଖିଲୁ । ଏହାର ପ୍ରତ୍ୟୁତ୍ତରରେ ଆମେ “ଡବଲ୍ ଇଞ୍ଜିନ୍ ସରକାର”ର ଗତ ୨୪ ମାସର ଶ୍ରେଷ୍ଠ ୨୪ ବିଫଳତାର ଏକ ତାଲିକା ପ୍ରଦାନ କରୁଛୁ ।
୧. ମାତ୍ର ୧୮ ମାସରେ ୪୮,୭୯୮ଟି ମହିଳା ନିର୍ଯାତନା ଅପରାଧ
୨. ସାଧାରଣ ସ୍ଥାନରେ ଯୌନ ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ୱର୍ ୧
୩. ହିଂସାତ୍ମକ ଅପରାଧରେ ଓଡ଼ିଶା ନମ୍ୱର ୧
୪. ମହିଳା ବିରୋଧୀ ଅପରାଧରେ ଓଡ଼ିଶା ନମ୍ୱର୍ ୨
୫. ୨୦୨୫ରେ ଓଡ଼ିଶାରେ ୨,୨୯,୮୮୧ଟି ଅପରାଧ ରୁଜୁ, ଯାହା ୨୦୨୪ର ୨,୧୪,୧୧୩ ତୁଳନାରେ ୭.୩% ବୃଦ୍ଧି
୬. ଅଭିବୃଦ୍ଧି ହାର ହ୍ରାସ ପାଇଛି- ୨୦୨୩-୨୪ରେ ୯.୬%ରୁ ୨୦୨୪-୨୫ରେ ୭.୨% ଏବଂ ୨୦୨୫-୨୬ରେ ୭.୯%
୭. ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ମାତ୍ର ୩୯ କୋଟି ଟଙ୍କା ଏଫଡିଆଇ ଆସିଛି, ଯାହା ଦେଶର ମୋଟର ମାତ୍ର ୦.୦୦୯%
୮. ଜେଏଡବଲ୍ୟୁ ଇଭି, ଆର୍ସେଲର୍ମିତ୍ତଲ୍ ଷ୍ଟିଲ୍, ଏସ୍. ରାମ୍ ଏନ୍. ରାମ୍ ସେମିକଣ୍ଡକ୍ଟର, ୱାରି ସୋଲାର, “ୱେଲସ୍ପନ ପ୍ରକଳ୍ପ ସମେତ ଅନେକ ବଡ଼ ପ୍ରକଳ୍ପ ଓଡ଼ିଶାରୁ ପ୍ରସ୍ଥାନ କରିଛନ୍ତି
୯. ରପ୍ତାନୀ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ତମ ସ୍ଥାନରୁ ୨୦୨୪ରେ ୧୫ ତମକୁ ଖସିଛି
୧୦. ଜାତୀୟ ଷ୍ଟାର୍ଟଅପ୍ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠ ସ୍ଥାନରୁ ୨୦୨୫ରେ ୨୦ ତମକୁ ଖସିଛି
୧୧. ୨୩ଟି ପରୀକ୍ଷା ବିଫଳତା ଓ କେଳେଙ୍କାରୀ
୧୨. ୧୮ ମାସରେ ୧୮୫ଟି ହାତୀଙ୍କ ମୃତ୍ୟୁ
୧୩. କୃଷି ବୃଦ୍ଧି ଅଧା ହୋଇଛି- ୭.୬%ରୁ ୩.୮%
୧୪. ଶିଳ୍ପ ବୃଦ୍ଧି ହ୍ରାସ ପାଇଛି- ୮.୭%ରୁ ୬.୧%
୧୫. ସେବା କ୍ଷେତ୍ର ବୃଦ୍ଧି ହ୍ରାସ ପାଇଛି- ୧୧.୫%ରୁ ୧୦%
୧୬. ରାଜ୍ୟ ବଜେଟ୍ ମୁଖ୍ୟତଃ ଋଣ ଉପରେ ନିର୍ଭରଶୀଳ, ମୋଟ ପବ୍ଲିକ୍ ଋଣ ୧.୩୮ ଲକ୍ଷ କୋଟି ଟଙ୍କା, ଯାହାର ୪୦% ଉଚ୍ଚ ସୁଧର ଖୋଲା ବଜାର ଋଣ
୧୭. ଆର୍ଥିକ ନିଅଣ୍ଟ ଦୁଇଗୁଣ ବଢ଼ିଛି- ୧.୭%ରୁ ୩.୫%
୧୮. ପ୍ରାଥମିକ ନିଅଣ୍ଟ ୧.୧%ରୁ ୨.୯%କୁ ବଢ଼ିଛି
୧୯. କେନ୍ଦ୍ର ଅନୁଦାନ ୧୮.୧୯% ହ୍ରାସ ପାଇଛି- ୨୦୨୩-୨୪ରେ ୨୧,୦୧୧ କୋଟି ଟଙ୍କାରୁ ୨୦୨୪-୨୫ରେ ୧୭,୦୮୯ କୋଟି ଟଙ୍କାକୁ
୨୦. ୨୦୨୫-୨୬ ବଜେଟ୍ର ମାତ୍ର ୫୭% ଖର୍ଚ୍ଚ
୨୧. ସ୍ୱାସ୍ଥ୍ୟ ବଜେଟରୁ ୪୫୩ କୋଟି ଟଙ୍କା କଟ୍ କରାଯାଇଛି
୨୨. ଭାରତରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଓଡ଼ିଶାରେ ୭.୨୨%
୨୩. ୨୮ଟି ଯୋଜନାର ନାମ ବଦଳ
୨୪. ଲୋକପ୍ରିୟ ନୂଆ-ଓ ଛାତ୍ରବୃତ୍ତି ଯୋଜନା ବନ୍ଦ କରାଯାଇଛି