ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିଲା ପରେ ନିଷ୍କ୍ରିୟ ହୋଇଯାଇଛି ଦଳର ମିଡିଆ/ସୋସିଆଲ୍ ମିଡିଆ ସେଲ୍ । ଏକଦା ବିଜେପିର ଏହି ପ୍ରଚାରତନ୍ତ୍ର ଅନ୍ୟ ଦଳମାନଙ୍କ ପାଇଁ ଅନୁକରଣୀୟ ଥିଲା । ସ୍ମାର୍ଟ ଏବଂ ଶାଣିତ ଢ଼ଙ୍ଗରେ କାମ ହେଉଥିଲା । ଦଳର ରାଜନୈତିକ ବିଚାରାଧାରକୁ ବୁଝୁଥିବା ନିଷ୍ଠାପର କର୍ମଚାରୀମାନେ ଦାୟିତ୍ୱରେ ରହୁଥିଲେ । ଏହିଭଳି ଭାବେ ବିଜେପିର ଦୁଇ ପ୍ରଚାରତନ୍ତ୍ର ସୁସଂଗଠିତ ଏବଂ ସୁବନ୍ଦୋବସ୍ଥିତ ଥିଲା । ତେବେ ୨୦୨୪ ନିର୍ବାଚନ ଜିତିଲା ପରେ ଏମାନଙ୍କର କାର୍ଯ୍ୟ ଧିମେଇ ଯାଇଛି । ନିଜର ସରକାର ଆସିଥିବାରୁ ଆପେ ବଞ୍ଚିଲେ ବାପର ନାଁ ନୀତି ଧରିଛନ୍ତି ମୁଖିଆ ବୋଲାଉଥିବା ନିର୍ଦ୍ଦିଷ୍ଟ କର୍ମଚାରୀ । ଅଫିସ୍ କାମକୁ ପାର୍ଟ ଟାଇମ୍ କରି ଦଲାଲିକୁ ଫୁଲ୍ ଟାଇମ୍ କରିଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।
ବିଜେପି ମିଡିଆ/ସୋସିଆଲ୍ ମିଡିଆ ସେଲ୍ କିଭଳି କାର୍ଯ୍ୟ କରୁଛି ନଗଦରେ ଦୁଇଟି ଉଦାହରଣ ଦିଆଯାଇପାରେ ।
ଏକ ପ୍ରମୁଖ ଟିଭି ଚାନେଲ୍ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଏକ ଇଣ୍ଟରଭ୍ୟୁ ନେଇଥିଲେ । ଏହାର ପ୍ରମୋରେ ବାଜିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିଯାଇଛି । ଯାହା, ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଗଲା । ବିଜେଡି ତତକ୍ଷଣାତ ଏହାକୁ ବଡ଼ ପ୍ରସଙ୍ଗ କଲା । ମୋହନ ସରକାରଙ୍କ ଅପାରଗତାକୁ ପ୍ରଶ୍ନ କରାଗଲା । ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଫାଇଲ୍ ହଜିବା ସମ୍ପର୍କରେ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ କିଛି ନ ବୁଝି ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ପ୍ରତିକ୍ରିୟା ଦେଇଥିଲେ ।
ତେବେ ଫାଇଲ୍ କେବେ ହଜିଲା, ଆଇନମନ୍ତ୍ରୀ ଜାଣିଲେ ଅଥଚ ମୁଖ୍ୟମନ୍ତ୍ରୀ କେମିତି ଜାଣିପାରିଲେ ନାହିଁ ଏଭଳି ବିଭିନ୍ନ ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦରେ ପକାଇ ଥିବା ବେଳେ ବିଜେଡି ଘନ ଘନ ସରକାରଙ୍କୁ ଆକ୍ରମଣ କଲା । ନବୀନ ପଟ୍ଟନାୟକଙ୍କ ଅମଳରେ ଦୁଇଟି ଫାଇଲ୍ ହଜିଥିବା ଆଇନମନ୍ତ୍ରୀଙ୍କ ପୂରା ସାକ୍ଷାତକାର ଟିଭିରେ ଆସିବା ପରେ ମଧ୍ୟ ତାହା ଆଉ ଦାନା ଧରିଲା ନାହିଁ । ବରଂ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ପଚାରିଥିବା ‘ଫାଇଲ୍ ହଜିଛି ନା ହଜେଇ ଦିଆଯାଇଛି?’ ପ୍ରଶ୍ନ ଲୋକଙ୍କୁ ଛୁଇଁଥିଲା । ଏହି ପ୍ରସଙ୍ଗରେ ପୂରା ବ୍ୟାକଫୁଟ୍ କୁ ଚାଲି ଆସିଲା ବିଜେପି । ଉଭୟ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ବଦନାମ ହେଲେ । ଅଥଚ ବିଜେପି ମିଡିଆ ସେଲ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରେସ୍ ରିଲିଜ୍ ଖଣ୍ଡେ ବି ଦିଆଗଲା ନାହିଁ କି ସୋସିଆଲ୍ ମିଡିଆରେ ଜବାବ ଦିଆଗଲା ନାହିଁ ।
ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜଧାନୀର ନୟାପଲ୍ଲୀରେ ବିଶାଳ ବେଆଇନ ଆପାର୍ଟମେଣ୍ଟ କିଣିଥିବା ନେଇ ସୋସିଆଲ୍ ମିଡିଆରେ ଏବେ ଜୋରସୋର୍ ପ୍ରଚାର ହେଉଛି । ଓଡ଼ିଶା ଜନତା କଂଗ୍ରେସର ମୁଖପାତ୍ର ନରେଶ ମହାନ୍ତି ତଥ୍ୟ ସହ ଏହାର ଭିଡ଼ିଓ ଛାଡ଼ିଛନ୍ତି । ଯାହା ପ୍ରବଳ ମାତ୍ରାରେ ଭାଇରାଲ୍ ହୋଇଛି । ମାତ୍ର ଏହା ଉପରେ ବିଜେପିର ମିଡିଆ/ସୋସିଆଲ୍ ମିଡିଆ ସେଲ୍ ଚୁପ୍ । ତା’ ଅର୍ଥ କଥାଟି କ’ଣ ସତ୍ୟ ବୋଲି ଧରି ନିଆଯିବ? ଆଉ ଯଦି ଏହା ସତ୍ୟ ନୁହେଁ, ତେବେ ତାହା ମିଛ ବୋଲି ପ୍ରମାଣ କରିବାରେ ବିଜେପିର ପ୍ରଚାରତନ୍ତ୍ର ଅକ୍ଷମ ବୋଲି ବୁଝିବାକୁ ହେବ ।
ମୋହନ ସରକାରଙ୍କ ଦୁଇବର୍ଷର ପୂର୍ତ୍ତି ଅବସରରେ ଦଳର ମିଡିଆ/ସୋସିଆଲ୍ ମିଡିଆର ନିଷ୍କ୍ରିୟତାକୁ ନେଇ କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷକରି ମିଡିଆ ସେଲ୍ ର ନିଷ୍କ୍ରିୟତା ପାଇଁ ରାଜ୍ୟ ନେତୃତ୍ୱଙ୍କୁ ଦାୟୀ କରିଛନ୍ତି । ମିଡିଆ ସେଲ୍ ଏବେ ଅନାଥ ଅବସ୍ଥାରେ । ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଦାୟିତ୍ୱ ଛାଡ଼ି ନେତୃତ୍ୱ ନିଶ୍ଚିନ୍ତରେ । ଦାୟିତ୍ୱରେ ଥିବା ସଂପୃକ୍ତ କର୍ମଚାରୀ ଅଫିସ୍ କାମ ଛାଡ଼ି ଲିଆସନିଂ(ଦଲାଲି)ରେ ମାତିଛନ୍ତି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି । ଏଥିରୁ ମାସକୁ ତାଙ୍କର କୋଟିଏ ପରେ ରୋଜଗାର ହେଉଥିବା ଜଣେ ବରିଷ୍ଠ ନେତା ନିଜର ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
ତେବେ ସମସ୍ତେ ସେୟା ନୁହଁନ୍ତି । ସାଧୁ ଓ ନିଷ୍ଠାପର କର୍ମଚାରୀମାନଙ୍କର ସେଠି ଅଭାବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।