ଭୁବନେଶ୍ୱର: ଏକ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧା ହୋଇଛନ୍ତି ତଥାକଥିତ ପ୍ରେମିକ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ୱଜିତ ଜେନା । ତାଙ୍କ ବିରୋଧରେ ବିଏନଏସର ଧାରା ୧୦୮ ଅର୍ଥାତ୍ ଆତ୍ମହତ୍ୟା ପାଇଁ ଉସୁକାଇବା ଭଳି ସଙ୍ଗୀନ ଦଫା ଲାଗିଛି । ବ୍ରହ୍ମପୁର ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି ।
ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ବିସିଏ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଗତକାଲି ହଷ୍ଟେଲରୁ ଠାବ କରାଯାଇଥିଲା । ପ୍ରେମଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତାଙ୍କର ମୃତ୍ୟୁ ପାଇଁ ସେହି କଲେଜର ପୁରାତନ ବିସିଏ ଛାତ୍ର ବିଶ୍ୱଜିତ ଜେନା ଦାୟୀ ବୋଲି ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ଉପରେ ପୁଲିସ ବିଏନଏସର ଧାରା ୧୦୮ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ଅଭିଯୁକ୍ତ ବିଶ୍ୱଜିତ ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କର ପୁତୁରା ହୋଇଥିବାରୁ ପୁଲିସ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ଥିଲା । ମାତ୍ର ପୁଲିସ ଆଜି ତାଙ୍କୁ ଗିରଫ କରିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିପାରନ୍ତି ।