ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅବସାନ । ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ୍ । ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖଭବନଠାରେ ମୁଖିଆ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ସୁଜାତାଙ୍କ ବିଜେଡି ପ୍ରବେଶକୁ ସମସ୍ତେ ସ୍ୱାଗତ କରିଛନ୍ତି । ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ସୁଜାତା ଆଜି ଦିନ ଠିକ୍ ୧୨ଟା ବେଳେ ଶଙ୍ଖ ଭବନରେ ପହଞ୍ଚିଥିଲେ । ଶଙ୍ଖଭବନକୁ ଆସିବା ପୂର୍ବରୁ ନବୀନ ନିବାସରେ କିଛି ସମୟ ରହିଥିଲେ । ସେଠାରେ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଥିଲେ । ଶଙ୍ଖ ଭବନରେ ଗଣେଶ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଭିତରକୁ ପଶିଥିଲେ ।
ସୁଜାତାଙ୍କ ପୂର୍ବରୁ ଶଙ୍ଖଭବନରେ ଦଳର ବିଧାୟକ, ସାଂସଦଙ୍କ ସମେତ ବରିଷ୍ଠ ନେତାମାନେ ପହଞ୍ଚି ସାରିଥିଲେ । ଶତାଧିକ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ । ସୁଜାତାଙ୍କୁ ସମସ୍ତେ ସ୍ୱାଗତ ଜଣାଇଥିଲେ । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ନବୀନ ପଟ୍ଟନାୟକ ଶଙ୍ଖଭବନରେ ପହଞ୍ଚିଥିଲେ । ସେଠାରେ ସୁଜାତାଙ୍କୁ ଉତ୍ତରୀୟ ପିନ୍ଧାଇ ବିଧିବଦ୍ଧ ଭାବେ ଦଳକୁ ସ୍ୱାଗତ କରିଥିଲେ । ଏଥିସହ ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା ।