ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅବସାନ ଘଟିବାକୁ ଯାଉଛି । ଆଇଏଏସ୍ ଚାକିରି ଛାଡ଼ିଥିବା ସୁଜାତା ରାଉତ କାର୍ତ୍ତିକେୟନ୍ ଆସନ୍ତାକାଲି ବିଜେଡିରେ ଯୋଗ ଦେବେ । ଶଙ୍ଖଭବନରେ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ସୁଜାତାଙ୍କ ଆଗମନ ବିଜେଡି ମହଲରେ ଉତ୍ସୁକତା ସୃଷ୍ଟି କରିଛି ।
ଆସନ୍ତାକାଲି(ଗୁରୁବାର) ଦିନ ୧୨.୩୦ ମିନିଟ୍ ସମୟରେ ଶଙ୍ଖଭବନରେ ବିଜେଡିର ଏକ ବଡ଼ ବୈଠକ ବସିବାକୁ ଯାଉଛି । ଦଳର ବରିଷ୍ଠ ନେତା, ସାଂସଦ ଓ ବିଧାୟକମାନଙ୍କ ସହ ନବୀନ ସାଂଗଠନିକ ବ୍ୟାପାର ଉପରେ ଆଲୋଚନା କରିବେ । ଏହି ବୈଠକ ପରେ ସୁଜାତାଙ୍କ ବିଜେଡିରେ ଯୋଗଦାନ ସମ୍ପର୍କରେ ଘୋଷଣା ହେବ ବୋଲି ଜଣାପଡ଼ିଛି । ତେବେ ଦଳ ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।
ଆଜି ସକାଳେ ନବୀନ ନିବାସରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କୁ ଦେଖିବାକୁ ମିଳିଥିଲା । ନବୀନଙ୍କ ଡାକରାକ୍ରମେ ସେମାନେ ଯାଇଥିଲେ ମଧ୍ୟ ସୁଜାତାଙ୍କ ବିଜେଡିରେ ଯୋଗଦାନ ସମ୍ପର୍କରେ ଆଲୋଚନା ହୋଇଥିଲା ନା ନାଇଁ ତାହା ଜଣାପଡ଼ିନାହିଁ । ଏସଆଇର ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।
ଭିି କେ ପାଣ୍ଡିଆନଙ୍କ ପତ୍ନୀ ତଥା ଓଡ଼ିଆ ଝିଅ ସୁଜାତା ରାଉତ କାର୍ତ୍ତିକେୟନ ହେଉଛନ୍ତି ୨୦୦୦ ବ୍ୟାଚ୍ ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସର । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଏବଂ ଜେଏନୟୁରୁ ଇଣ୍ଟରନ୍ୟାସନାଲ୍ ପଲିଟିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ମାଓ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଜଣେ ଦକ୍ଷ ଏବଂ ଦୃଢ଼ ପ୍ରଶାସିକା ଭାବେ ତାଙ୍କର ସୁନାମ ରହିଛି । ବିଜେଡି ସରକାର ଅମଳରେ ମିଶନ ଶକ୍ତି କାର୍ଯ୍ୟକ୍ରମ ତାଙ୍କ ନେତୃତ୍ୱରେ ସଫଳ ହୋଇଥିଲା । ୭୦ ଲକ୍ଷ ମହିଳାଙ୍କୁ ସାମିଲ କରି ସେମାନଙ୍କୁ ସଶକ୍ତ କରିବାରେ ସୁଜାତାଙ୍କର ପ୍ରମୁଖ ଭୂମିକା ଥିଲା । ୨୦୨୫ ମାର୍ଚ୍ଚ ୧୩ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।





