ଭୁବନେଶ୍ୱର: ସ୍କୁଲ ପିଲାଙ୍କ ବହିରେ ହଜାର ହଜାର ଭୁଲ୍ । ଶିକ୍ଷକ, ଅଭିଭାବକ ସମସ୍ତଙ୍କୁ ଏହି ଭୁଲ୍ ଚକିତ କରୁଛି । ନିମ୍ବୁଡ଼ା ନିମ୍ବୁଡ଼ା ଗୀତରେ ରାଜ୍ୟ ସରକାରଙ୍କ ଇଜ୍ଜତ ଦି କଡ଼ା ହୋଇସାରିଲାଣି । ଏହି ତ୍ରୁଟିକୁ ପ୍ରଥମରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମାନ୍ୟ ତ୍ରୁଟି କହି ଏଡ଼ାଇ ଦେବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବ ବୋଲି କହିସାରିଲା ପରେ ବି ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର କରାଯିବ ନାହିଁ ବୋଲି ଦୁଇଦିନ ତଳେ ମନ୍ତ୍ରୀ ସ୍ପଷ୍ଟ କହିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କର ଭିନ୍ନ ଭିନ୍ନ ବୟାନ ଦ୍ୱନ୍ଦ ବଢ଼ାଇବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ଥିରୁମାଲା ନାଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସ୍ପଷ୍ଟତା ଆଣିବାକୁ ଉଦ୍ୟମ କରିଛନ୍ତି ।
ଏହି ସ୍ପଷ୍ଟତା ହେଉଛି- ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ ।
ଯେଉଁ ତ୍ରୁଟି ହୋଇଛି ତାହା ଗୁରୁଚଣ୍ଡାଳ ଦୋଷ ବୋଲି ସଚିବ ମାନିଥିଲେ ମଧ୍ୟ ତାଙ୍କର ସ୍ପଷ୍ଟତା ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଯାହାର ଉତ୍ତର ସଚିବ ଦେଇପାରିନାହାନ୍ତି ।
ସଚିବ ପ୍ରଥମରୁ କହିଥିଲେ ଯେ ବହିରେ ଯେତିକି ତ୍ରୁଟି ଅଛି ବୋଲି କୁହାଯାଉଛି ପ୍ରକୃତରେ ସେତିକି ତ୍ରୁଟି ନାହିଁ । କେତେ ତ୍ରୁଟି ଅଛି ତାହାର ତର୍ଜମା କରାଯାଉଛି । ତାହାର ଅର୍ଥ ହେଉଛି, ବହିରେ କେତେ ତ୍ରୁଟି ଅଛି ତାହା ସରକାର ଏ ପର୍ଯ୍ୟନ୍ତ ଜାଣିନାହାନ୍ତି । ତାହାହେଲେ ୧୮୦୦ କି ୨୨୦୦ ଯେତିକି ତ୍ରୁଟି ଥିବା କୁହାଯାଉଛି ତାହା ଠିକ୍ ନୁହେଁ ବୋଲି ସଚିବ କେଉଁ ଆଧାରରେ କହୁଛନ୍ତି? ତାହାହେଲେ ଆମେ କ’ଣ ବୁଝିବା ଯେ ବିଭାଗୀୟ ସଚିବ ମଧ୍ୟ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି?
ଦ୍ୱିତୀୟ କଥା ହେଉଛି, ପିଲାଙ୍କ ବହିରେ ତ୍ରୁଟି ଥିବା ଏଇ ୧୫ କି ୨୦ ଦିନ ତଳେ ପଦାକୁ ଆସିଲା । ମାତ୍ର ଏପ୍ରିଲ୍ ମାସରୁ ରାଜ୍ୟ ସରକାର ତାହା ଜାଣିଲେଣି । ସେତେବେଳୁ ସମାଧାନର ରାସ୍ତା ନ ବାହାର କରି ଆଜି ପର୍ଯ୍ୟନ୍ତ ଶୋଇଥିଲେ କେଉଁଠି? କେତେ ତ୍ରୁଟି ଅଛି ଅନୁଧ୍ୟାନ କଲେନି କାହିଁକି? ସେସବୁକୁ ଆଖି ବୁଜିଦେଇ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଦେବାକୁ ବସିଥିଲେ କି? ତ୍ରୁଟିପୂର୍ଣ୍ଣ ବହି ସଂଶୋଧନ କଥା ସେବେଠୁ ଚିନ୍ତା କଲେନି କାହିଁକି? ଶିକ୍ଷା ବ୍ୟବସ୍ଥାକୁ ଆଳୁ ବେପାର ବୋଲି କାହିଁକି ଭାବିଥିଲେ?
ତୃତୀୟ କଥା ହେଉଛି, ଖରାଛୁଟି ସରି ଜୁନ୍ ୧୮ରୁ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଗଲାଣି । ଆଉ ମାସେ କି ଦୁଇ ମାସ ପରେ ପିଲାଙ୍କର ପରୀକ୍ଷା ଆରମ୍ଭ ହୋଇଯିବ ।
ସଚିବ କହିଛନ୍ତି କ’ଣ ନା.. ବହିରେ କେତେ ତ୍ରୁଟି ଅଛି ତାହାର ତର୍ଜମା କରାଯାଉଛି । ସେଥିପାଇଁ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଉଛି । ଖୁବ୍ ଶୀଘ୍ର ସଂଶୋଧିତ ବହି ଗଣଶିକ୍ଷା ବିଭାଗ ଏବଂ ଓସେପା ୱେବସାଇଟରେ ଅପଲୋଡ୍ କରାଯିବ । ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରଦାନ କରାଯିବ । ଏହା ପରେ ପରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ।
ଏହା ଆକାଶ କଇଁଆ ଚିଲିକା ମାଛ ଭଳି ହୋଇଛି । ପିଲାଙ୍କୁ ଯଦି ସଂଶୋଧିତ ପୁସ୍ତକ ଦେବାକୁ ଏତେ ପ୍ରକ୍ରିୟା ଅଛି, ତେବେ ତାକୁ ସାରି ଏବଂ ସମ୍ପୂର୍ଣ୍ଣ ନୂଆ ବହି ଛାପି ଏ ବର୍ଷ ଆଉ କେତେବେଳେ ଦିଆଯିବ? ସରକାରଙ୍କ ଏହା ଭୂଆଁ ବୁଲାଇବା ଭଳି କଥା ନୁହେଁ କି??
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଶବ୍ଦ, ବାକ୍ୟରେ ତ୍ରୁଟି ନାହିଁ । ବିଷୟବସ୍ତୁ ବା କଣ୍ଟେଣ୍ଟ ର କଥା ରହିଛି । ଅଷ୍ଟମ ଶ୍ରେଣୀ ପିଲା ରାଜସ୍ଥାନୀ ସଙ୍ଗୀତ ଭାବେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ପଢ଼ିବେ କାହିଁକି? ସେଇ ଜାଗାରେ ଆଉ କ’ଣ ରହିବ ତାହା ସ୍ଥିର ହେବ ନା ନାହିଁ? ଏସବୁ କାମ ସରକାର କେତେବେଳେ କରିବେ ଓ ସାରିବେ ତାହାର ନିର୍ଦ୍ଦିଷ୍ଟ ସମୟସୀମା ଦିଅନ୍ତୁ । ନହେଲେ ପିଲାମାନଙ୍କ ଭବିଷ୍ୟତ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ ।





