ଭୁବନେଶ୍ୱର: ୪ ଦିନ ତଳେ ମନମୋହନ ସାମଲ ଦିଲ୍ଲୀ ଯାଇଥିଲେ । ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ବିବ୍ରତ ହୋଇ ଭୁବନେଶ୍ୱର ଫେରିଥିଲେ । ପରଦିନ ପାର୍ଟି ଅଫିସ୍ ରେ କାର୍ଯ୍ୟକର୍ତ୍ତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ସରକାର ଆଗରୁ ଯାହା ବଦନାମ ହୋଇଥିଲା ହୋଇଥିଲା, ଲିମ୍ବୁଡ଼ା ଲିମ୍ବୁଡ଼ା ଗୀତ ସବୁ ସାରିଦେଲା । ସରକାରଙ୍କୁ ଏହି ବଦନାମରୁ କିଭଳି ରକ୍ଷା କରାଯାଇପାରିବ ତାହା ଉପରେ ବିଚାର ବିମର୍ଷ କରିଥିଲେ ମନମୋହନ । କର ବ। ମର ମନ୍ତ୍ର ପଢ଼ି ଯୁଦ୍ଧକ୍ଷେତ୍ରରେ ସୈନିକ ଭଳି ଏହାକୁ ସାମନା କରିବାକୁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀରେ ହାଇକମାଣ୍ଡ ଯେ ସମ୍ପୂର୍ଣ୍ଣ କ୍ଷୁବ୍ଧ ତାହା ମନମୋହନଙ୍କ ଠାରରୁ ସମସ୍ତେ ବୁଝିଯାଇଥିଲେ । ଆଜି ପୁଣି ଦିଲ୍ଲୀରୁ ଡାକରା ପାଇ ଯାଇଛନ୍ତି ମନମୋହନ । ଏଥର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ଡ଼ାକରା ଆସିଛି । କିଛି ଗୋଟେ ଜରୁରୀ ଡାକରା ଥିବାରୁ ସେ ଆଗୁଆ ପଳାଇ ଯାଇଥିଲେ । ଯାହା ଖବର ଆସିଛି ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ସମେତ ଆଉ କିଛି କେନ୍ଦ୍ରୀୟ ନେତାଙ୍କୁ ସେମାନେ ଭେଟିଛନ୍ତି ।
ଓଡ଼ିଶାକୁ ନେଇ ଦିଲ୍ଲୀରେ କିଛି ଗୋଟେ ଚାଲିଛି ବୋଲି ଏହି ଘଟଣାକ୍ରମରୁ ଜଣାପଡୁଛି । କାରଣ ଆସନ୍ତାକାଲିଠାରୁ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଅମିତ ଶାହ । କାଲି ରାତି ପର୍ଯ୍ୟନ୍ତ ଗସ୍ତ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ଥିଲା । ମାତ୍ର ଆଜି ସକାଳୁ ଅଚାନକ ବାତିଲ ହୋଇଗଲା । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମିଡିଆକୁ ଡାକି ଏହା ଜଣାଇ ଦେଇଥିଲେ । ଗସ୍ତ ବାତିଲ ପଛରେ ସେମିତି ନିର୍ଦ୍ଦିଷ୍ଟ କାରଣ କୁହାଯାଇନାହିଁ ।
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଅଚାନକ ବାତିଲ ବେଳକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଅଚାନକ ଦିଲ୍ଲୀ ଗସ୍ତର ରହସ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାତ୍ର ତାହା ରାଜ୍ୟ ରାଜନୀତିରେ ଚହଳ ପକାଇ ଦେଇଛି । ଯଦିଓ ସେମାନଙ୍କର ଦିଲ୍ଲୀ ଯିବା ଆସିବାରେ ସେଭଳି କିଛି ନୂଆ ଖବର ନଥାଏ । ଯେତେବେଳେ ଦିଲ୍ଲୀ ଆସନ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ହୁଏ । ବିଜୟ ସିଂ ତୋମାର, ମନମୋହନ ସାମଲ, ସୁରେଶ ପୂଜାରୀ ଭୁବନେଶ୍ୱରରେ ଗଣମାଧ୍ୟମକୁ ବାଇଟ୍ ଦିଅନ୍ତି.. ଖୁବ୍ ଶୀଘ୍ର ହେବ । ଦୁଇବର୍ଷରେ ସେମାନେ ଦୁଇ ଶହ ଥର ଏମିତି କହିସାରିବେଣି ।
ଆଜି ମଧ୍ୟ ସୁରେଶ ପୂଜାରୀ କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ହୋମୱାର୍କ ଶେଷ ହୋଇଛି, ଏ ମାସ ଶେଷ ସୁଦ୍ଧା ଘୋଷଣା ହେବ । ସେମିତି ଚଳିତ ମାସ ଶେଷ ସୁଦ୍ଧା ନିଗମ ଓ ବୋର୍ଡ ନିଯୁକ୍ତି ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି ।
ସେ ଯାହା ହେଉ, ଏଥର ମୋହନ-ମନମୋହନଙ୍କ ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ବେଶୀ ଚର୍ଚ୍ଚା ହେବା ପଛର କାରଣ ହେଉଛି-
ପ୍ରଥମତଃ, ଆଇନଶୃଙ୍ଖଳା ଓ ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଓଡ଼ିଶା ସରକାର ଭୀଷଣ ବଦନାମରେ ଅଛନ୍ତି । ଦ୍ୱିତୀୟରେ, ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ କଥା ଅଛି । ତୃତୀୟରେ, ନିତିନ ନବୀନଙ୍କ ଟିମ୍ ଗଠନ ପ୍ରକ୍ରିୟା ଚାଲିଛି ।
ଆମର ଏଠି ଡବଲ ଇଞ୍ଜିନ୍ ସରକାରକୁ ଦୁଇବର୍ଷ ପୂରିଗଲା । ଅଥଚ ୬ ମନ୍ତ୍ରୀ ପଦ ପୂରଣ ହୋଇପାରିଲାନି । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ । ନବାଗତ, ଅନଭିଜ୍ଞ ମନ୍ତ୍ରୀ ସାଙ୍ଗକୁ ବଡ଼ ବଡ଼ ଦାୟିତ୍ୱ । ତେଣୁ ବିଭାଗ ସମ୍ଭାଳିବା ସମ୍ଭବ ହେଉନାହିଁ । ଆଇନ ଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏବେ ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ସରକାରଙ୍କୁ ସମ୍ପୂର୍ଣ୍ଣ ବଦନାମ କରିଦେଇଛି । ନିମ୍ବୁଡ଼ା ନିମ୍ବୁଡ଼ା ଗୀତ ଗାଇ ଲୋକେ ଓଡ଼ିଆ ଅସ୍ମିତାର ଧଜିଆ ଉଡ଼ାଇବା ସହ ମୋହନ ମାଝୀ ସରକାରଙ୍କ ବିଫଳତାକୁ ଶ୍ରାଦ୍ଧ କରୁଛନ୍ତି ।
ଏଠି ଲୋକସେବା କନଭେନସନ ହଲ୍ ରେ ମୁଖ୍ୟମନ୍ତ୍ରୀ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଲମ୍ବା ଭାଷଣ ଦେଉଥିଲେ ମଧ୍ୟ ଲୋକଙ୍କ ଉପରେ ସାମାନ୍ୟତମ ପ୍ରଭାବ ପଡୁନାହିଁ । କାରଣ ଟଙ୍କାକର କାମ ହେଉଥିବା ଲୋକଙ୍କର ଏ ପର୍ଯ୍ୟନ୍ତ ଅନୁଭବ ହୋଇନାହିଁ । ବରଂ ଛୋଟକାଟିଆ ଯେତିକି କାମ ହେଉଛି, ସେଥିରୁ ପିସି ବାବଦରେ ନେତା, ଠିକାଦାରମାନେ ମିଳିମିଶି ଅଧାରୁ ଅଧିକ ଖାଇ ଦେଉଛନ୍ତି ବୋଲି ସେମାନେ ପ୍ରତ୍ୟକ୍ଷ ଅନୁଭବ କରୁଛନ୍ତି ।
ରାଜ୍ୟ ବିଜେପି ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି ଅନ୍ତଃକନ୍ଦଳ । ସେଥିପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡ ନିଯୁକ୍ତି ହୋଇପାରୁନାହିଁ । ହାଇକମାଣ୍ଡ ବି ଏହି ଅଙ୍କ ଛିଣ୍ଡାଇ ପାରୁନାହାନ୍ତି । ସେହି କାରଣରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଅପେକ୍ଷା କରି ବସିଥିବା ଆଶାୟୀମାନେ ହତାଶ ହୋଇପଡ଼ିଥିବା ବେଳେ ନିଗମ ଏବଂ ବୋର୍ଡରେ ନିଯୁକ୍ତିକୁ ଚାହିଁ ବସିଥିବା ଆଶାୟୀଙ୍କ ଆଖିରୁ ପାଣି ମରିଗଲାଣି । ଏତିକିବେଳେ ଦିଲ୍ଲୀରୁ କାଳେ କିଛି ନିଷ୍ପତ୍ତି ଆସିବ ଭାବି ସେମାନେ ଚାହିଁ ବସିଛନ୍ତି ।
କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଓଡ଼ିଶାରୁ କିଏ ବାଦ୍ ପଡ଼ିବେ ଏବଂ ନୂଆ କିଏ ସାମିଲ ହେବେ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କର କ୍ଷମତା ବଢ଼ିବା, ଛିଣ୍ଡିବା ଉପରେ ରାଜ୍ୟ ବିଜେପିର ବହୁତ କିଛି ନିର୍ଭର କରୁଛି । ସେଭଳି କିଛି ବି ହେଲେ ନିଶ୍ଚିତ ଭାବରେ ଏକ ନୂଆ ସମୀକରଣ ସୃଷ୍ଟି କରିବ ।
ଅନ୍ୟପକ୍ଷରେ ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ୭ରେ ପହଞ୍ଚିଲାଣି । ତେଣୁ ତାକୁ ନେଇ ସମସ୍ତଙ୍କର ଉକ୍ରଣ୍ଠା ରହିଛି । ପରବର୍ତ୍ତୀ ସମୟକୁ ଏହା ଅସନ୍ତୋଷର ବାଟ ଫିଟାଇଛି ।
ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଯେ କୋ÷ଣସି ମୁହୂର୍ତ୍ତରେ ତାଙ୍କ ଟିମ୍ ଘୋଷଣା କରିପାରନ୍ତି । ସେଥିରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳୁଛି ତାହାକୁ ମଧ୍ୟ ସମସ୍ତଙ୍କର ଅପେକ୍ଷା ରହିଛି । କାରଣ ଆଗକୁ ୟୁପି ସମେତ ୫ ଟି ରାଜ୍ୟର ନିର୍ବାଚନ ଥିବାରୁ ସାଂଗଠନିକ ଶକ୍ତିବୃଦ୍ଧିକୁ ହାଇକମାଣ୍ଡ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଥିବାରୁ ସେୟାଡ଼କୁ ମଧ୍ୟ ସମସ୍ତଙ୍କ ନଜର ରହିଛି ।