ଭୁବନେଶ୍ୱର: ମୋବାଇଲ୍ ଖୋଲିଲା ମାତ୍ରେ ନିମ୍ବୋଡ଼ା ନିମ୍ବୋଡ଼ା । ସ୍କୁଲରେ କୁନି କୁନି ପିଲାଙ୍କ ମୁହଁରେ ନିମ୍ବୋଡ଼ା ନିମ୍ବୋଡ଼ା । ରାସ୍ତାଘାଟ ବଜାର ଘାଟ ସବୁଠି ସେଇ ନିମ୍ବୋଡ଼ା ନିମ୍ବୋଡ଼ା । ଲୋକପ୍ରିୟ ହିନ୍ଦୀ ଚଳଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍’ ଫିଲ୍ମରେ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଐଶ୍ଚର୍ଯ୍ୟା ରାୟଙ୍କ ଅଭିନୀତ ନବେ ଦଶକର ଏହି ସୁପର୍ ହିଟ୍ ଗୀତ ଏବେ ଓଡିଶାବାସୀଙ୍କ ପାଇଁ ପରିହାସର ଗୀତ ହୋଇଛି । ପିଲାଠୁ ବୁଢ଼ା ସମସ୍ତେ ଏହି ଗୀତି ଗାଇ ଥଟ୍ଟା ମଜା କରୁଛନ୍ତି । କାରଣ ହେଉଛି, ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟପୁସ୍ତକର ବିଷୟ କୃତିରେ ରାଜସ୍ଥାନୀ ସଙ୍ଗୀତ ଭାବେ ଏହା ସ୍ଥାନିତ ହୋଇଛି । ଏହି ଉଦ୍ଭଟ ଚିନ୍ତାଧାରା କାହା ଉର୍ବର ମୁଣ୍ଡରୁ ଆସିଛି ତାହା ଏବେ ସବୁଠି ଆଲୋଚନା ହେଉଛି । ଏହି ଗୀତକୁ ନେଇ ବିଭିନ୍ନ କମେଡି ଭିଡିଓ ସୋସିଆଲ୍ ମିଡିଆରେ ଛାଇ ହୋଇଯାଇଛି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହିରେ ୨୨୦୦ରୁ ଅଧିକ ତ୍ରୁଟି ବାଦ୍ ନିମ୍ବୋଡ଼ା ନିମ୍ବୋଡ଼ା ଭଳି ଭୟଙ୍କର କଣ୍ଟେଣ୍ଟ ବା ବିଷୟବସ୍ତୁ ସ୍ଥାନ ପାଇଛି । ତୃତୀୟ ଶ୍ରେଣୀ ବହିରେ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ବୁମ୍ବରୋ ବୁମ୍ବରୋ ଗୀତ, ପଞ୍ଚମ ଶ୍ରେଣୀର ଇଂରାଜୀ ବହି ‘ପଲ୍ଲଭି’ରେ ଓଡ଼ିଆ ରଜଦୋଳି ଗୀତ ରହିଛି । ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିରେ ଗୋଟେ ପୃଷ୍ଠାରେ ଅମାବାସ୍ୟା/ପୂର୍ଣ୍ଣିମାର ଫଟୋ ରହିଥିଲା ବେଳେ ପଛପୃଷ୍ଠାରେ ୨୦୨୫ ମସିହାର କ୍ୟାଲେଣ୍ଡର ରହିଛି । ଅଷ୍ଟମ ଶ୍ରେଣୀର ଗଣିତ ବହିରେ ତ୍ରିକୋଣମିତି, ଜ୍ୟାମିତି ବଦଳରେ ‘ଜୀବନର ଜୟଯାତ୍ରା’ ବିଷୟବସ୍ତୁ ରଖାଯାଇଛି । ମଣିଷ କେମିତି ପ୍ରକୃତିକୁ ଜିତିଲା, ଭଗବାନଙ୍କ ଆଶୀର୍ବାଦରେ ଏକଲବ୍ୟ ହେଲା, କେମିତି ପାହାଡ଼କୁ ଟପିଲା, ପ୍ରକୃତି କୋଳରେ ବଞ୍ଚିଲା ଏଇ ସବୁ ବିଷୟ ଅଛି ଗଣିତ ବହିରେ । ନବମ ଶ୍ରେଣୀ ଗଣିତ ବହିରେ ଗୋଟିଏ ବିଷୟର ନାଁ ରହିଛି- I’m Up and Down,and Round and Round (ଆଇ ଆମ୍ ଅପ୍ ଆଣ୍ଡ ଡାଉନ୍, ରାଉଣ୍ଡ ରାଉଣ୍ଡ) ।
ଅନ୍ୟ ଏକ ଶ୍ରେଣୀ ବହିରେ ଆମ ପରିବାର ବିଷୟବସ୍ତୁର ‘ଚକୁଳି କଲା ଚେଁ ଚାଁ’ ଶୀର୍ଷକରେ ଏକ ସଚିତ୍ର ପଦ୍ୟ ରହିଛି । ପଦ୍ୟଟି ହେଉଛି- ମାଆ ଆଣିଲେ ଚାଉଳ ଚୂନା, ବାପା ବାଟିଲେ ବିରି । ଜେଜୀ କରିଲେ ଚକୁଳି ପିଠା, ପିଠାପାତିଆ ଧରି । ମାନେ ନାରୀର କାମକୁ ପୁରୁଷ, ଆଉ ପୁରୁଷର କାମକୁ ନାରୀଙ୍କ ହାତରେ ଧରାଇ ଦେଇଛନ୍ତି ଲେଖକ ।
ଏଭଳି ଭାବରେ ପ୍ରତି ପୃଷ୍ଠାରେ ବିଚିତ୍ର, ଅଦ୍ଭୂତ ପାଠ ସବୁ ରହିଛି । ଗଣିତ ବହିରେ ସାହିତ୍ୟ ପାଠ ତ ଇତିହାସ ବହିରେ ବିଜ୍ଞାନ ପାଠ । କିଛି ଭାଗମାପ ନାହିଁ । ଦଳେ ଗଞ୍ଜୋଡ଼ କି ମଦୁଆଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ଏମିତି ଭୁଲ୍ ହୋଇ ନ ଥାନ୍ତା । କିଏ କେମିତି କାହିଁକି ଏସବୁ ଉଦ୍ଭଟ, କଦର୍ଯ୍ୟ ଓ କଦର୍ଥ କାମ ସବୁ କରିଛନ୍ତି ତାହା ମା ଗଙ୍ଗେଇଙ୍କୁ ଜଣା । ଯେଉଁଥିପାଇଁ ବି ହେଉ, ୪୦ ଲକ୍ଷ ପିଲାଙ୍କୁ ଗଣ୍ଡ ମୂର୍ଖ କରିଦେବାକୁ ଉଦ୍ୟମ ହୋଇଛି । ଏହା ହିଁ ବାସ୍ତବତା ।
ଏତେ ବିରାଟ ତ୍ରୁଟି, ଭୁଲ୍, ଟ୍ରୋଲ୍ ପରେ ବି ସରକାର ଏହାକୁ ଯେଭଳି ଗମ୍ଭୀରତାର ସହ ନେବା କଥା ସେମିତି ନେଉଥିବା ଜଣାପଡ଼ୁନାହିଁ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କଥାରେ କୌଣସିସି ତାଳମେଳ ନାହିଁ । ଭୁଲ୍ ପାଠ୍ୟପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଇଣ୍ଟରଭ୍ୟୁ ଦେଇଥିବା ବେଳେ ମନ୍ତ୍ରୀ ଗଣ୍ଡ ମନା କରିଛନ୍ତି । ବିଦ୍ୟାଳୟକୁ ଖଣ୍ଡେ ଖଣ୍ଡେ ସଂଶୋଧିତ ବହି ଡିଇଓଙ୍କ ଜରିଆରେ ପ୍ରଦାନ କରାଯିବ । ସେହି ପୁସ୍ତିକା ଆଧାରରେ ଶିକ୍ଷକ ପିଲାଙ୍କୁ ପଢ଼ାଇବେ । ଚଳିତ ଶିକ୍ଷାବର୍ଷରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଦଳିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଲାଗୁଛି, ଗଣଶିକ୍ଷାମନ୍ତ୍ରୀଙ୍କ ନିଷ୍ପତ୍ତି ଆଗରେ ମୁଖ୍ୟମନ୍ତ୍ରୀ ସତେ ଯେମିତି ଅସହାୟ ।
ବିରୋଧୀ ବିଜେଡି ଏବଂ କଂଗ୍ରେସ ଏହା ବିରୋଧରେ ସ୍ୱର ଉଠାଇଥିଲେ ମଧ୍ୟ ଆନ୍ଦୋଳନ ସେଭଳି ପ୍ରଭାବୀ ହୋଇପାରିନାହିଁ । ଏଥିପାଇଁ ଏକ ଜନଜାଗରଣର ଆବଶ୍ୟକତା ଦେଖାଦେଇଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜିର ଟୁଇଟ୍ ବେଶ୍ ପ୍ରଭାବୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି । ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ଏକ ପୀଢ଼ିର ବିଶ୍ୱାସ ଭାଙ୍ଗି ଦେଇଛି ବୋଲି ନବୀନ ଲେଖିଛନ୍ତି ।
ନବୀନଙ୍କ ଟୁଇଟ୍
ବିଦ୍ୟାଳୟର ପୁସ୍ତକ କେବଳ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ହେଉଛି ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ । ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନେ୍ଦହ କରେ ନାହିଁ । ପାଠ୍ୟପୁସ୍ତକ ପ୍ରତି ସେମାନଙ୍କର ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥାଏ ।
ସ୍କୁଲ ପାଠ୍ୟପୁସ୍ତକରୁ ଗୋଟିଏ ପୀଢ଼ି କେବଳ ତଥ୍ୟ ଶିଖେ ନାହିଁ, ବରଂ ବ୍ୟବସ୍ଥା ଓ ସମାଜ ପ୍ରତି ବିଶ୍ୱାସ ଏବଂ ଆସ୍ଥା ଗଢ଼ି ଉଠେ । ହେଲେ ଏବେ ସେହି ବିଶ୍ୱାସ କ୍ଷୂର୍ଣ୍ଣ ହୋଇଛି, କ୍ଷତି କେବଳ ମୁଦ୍ରଣ ତ୍ରୁଟିରେ ସୀମିତ ରହି ନାହିଁ; ଏହା ଆମ ପିଲାମାନଙ୍କ ଭବିଷ୍ୟତରେ ମୂଳଦୁଆ ଉପରେ ଆଘାତ ଦେଇଛି ।
ସ୍କୁଲ ପାଠ୍ୟପୁସ୍ତକ ପ୍ରତି ଓଡ଼ିଶାର ବିଜେପି ସରକାର କରିଥିବା ଚରମ ଅବହେଳା ଏହି ପବିତ୍ର ବିଶ୍ୱାସକୁ ଭାଙ୍ଗି ଦେଇଛି । ଏହାର ଶିକାର ହୋଇଛନ୍ତି ଆମର ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀ; ଯେଉଁମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ, ଆଗାମୀକାଲିର ବାର୍ତ୍ତାବହ ।
ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଇ, ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି ।
ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତୁ୍ରଟି ସୁଧାରିପାରନ୍ତି । କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ? କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ହୋଇଛି, ତା’କୁ କ’ଣ କୌଣସି ସଂଶୋଧନ କେବେ ଭରିପାରିବ?