ଭୁବନେଶ୍ୱର: “୧୮ ସେପ୍ଟେମ୍ୱର ୨୦୨୪ରେ ଡାକ୍ତରମାନେ ସେମାନଙ୍କର ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୫, ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସଚିବ ଓ ଜୁନ୍ ଏବଂ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନଥିଲା । ଅକ୍ଟୋବର ୨୦୨୫ରେ ଡାକ୍ତରମାନେ ଆନ୍ଦୋଳନର ନୋଟିସ ଦେଲା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ୧୫ ନଭେମ୍ୱର ସୁଦ୍ଧା ସମସ୍ତ ଦାବି ପୂରଣ କରାଯିବ, କିନ୍ତୁ ତାହା ପୂରଣ ହୋଇପାରିଲା ନାହିଁ । ଏହା ସତ୍ତ୍ୱେ ଡାକ୍ତରମାନେ ଆଉଟଡୋର ସେବା ଜାରି ରଖି ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ରାଜ୍ୟରେ ରୋଗୀସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।”
ଡାକ୍ତର ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ନାଲି ଆଖି ଦେଖାଇଥିଲେ । ମାତ୍ର ଆନ୍ଦୋଳନରତ ଡାକ୍ତର ଡରିଲେନି । ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଜଣାଇ ଦେଇଥିଲେ । ଉଭୟ ପକ୍ଷ ସେମାନଙ୍କ ଜିଦ୍ ରେ ଅଟଳ ରହିଲା ବେଳକୁ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରୋଗୀସେବାର ଭୟଙ୍କର ଚିତ୍ର ସବୁ ସାମନାକୁ ଆସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପରେ ଏହାର ଚାପ ଭାରି ପଡ଼ିଗଲା । ଗତକାଲି ଦେଖାଇଥିବା ନାଲି ଆଖି ଆଜି ଥଣ୍ଡା କରିବାକୁ ବାଧ୍ୟ ହୋଇଛନ୍ତି । କଠୋର ଆଭିମୁଖ୍ୟରୁ ନରମ ଆଭିମୁଖ୍ୟକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଦିନ ୧୧.୩୦ ମିନିଟ୍ ରେ ଓମସା ସଭାପତି ଏବଂ ସମ୍ପାଦକଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏ ନେଇ ଆନୁଷ୍ଠାନିକ ଭାବରେ ଚିଠି ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମହେଶ ମୋହନ ପଣ୍ଡା ସୂଚନା ଦେଇଛନ୍ତି ।
୧୦ ଦଫା ଦାବିରେ ଓମସା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ରାଜ୍ୟ ସରକାର ପ୍ରଥମରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ କରିବାକୁ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଆନ୍ଦୋଳନରେ ସାମିଲ ଓଏମଏଚ କ୍ୟାଡର ଡାକ୍ତରମାନଙ୍କ ଦରମା ବନ୍ଦ ସହିତ ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ଏସମା ବଳବତ୍ତର ଥିବା ସତ୍ତ୍ୱେ ଆନ୍ଦୋଳନ କରାଯିବାକୁ ସରକାର ଗ୍ରହଣ କରିବେ ନାହିଁ ବୋଲି କୁହାଯାଇଥିଲା ।
ମାତ୍ର ସରକାରଙ୍କ ଏହି ଦମନମୂଳକ ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରିଥିଲା ଡାକ୍ତର ସଂଘ । ରୋଗୀ ମଲେ ସରକାର ଦାୟୀ ରହିବେ ବୋଲି ସିଧାସଳଖ ଶୁଣାଇ ଦେଇଥିଲେ ଓମସା ସଭାପତି ଡାକ୍ତର କିଶୋର ମିଶ୍ର । ଆଲୋଚନା ପାଇଁ ଆମେ ସର୍ବଦା ପ୍ରସ୍ତୁତ ହୋଇ ରହିଛୁ । ରାଜ୍ୟ ସରକାର ଦିନ ଗଡ଼ାଇ ଚାଲିଛନ୍ତି, ଧମକ ଦେଉଛନ୍ତି । ମାତ୍ର ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନକୁ ଓମସା ଡରେନି । ଆଗ ସମସ୍ତ ଦାବି ପୂରଣ କର, ପରେ କାର୍ଯ୍ୟରେ ଯୋଗଦାନ ବୋଲି ଓମସା ସଭାପତି କହିଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଦମନମୂଳକ ନୀତିକୁ ଏସସିବି ଜୁନିୟର ଡାକ୍ତର ସଂଘ ମଧ୍ୟ କଡ଼ା ସମାଲୋଚନା କରିଥିଲା । ଦାବି ପୂରଣ ପାଇଁ ସରକାର ଆଲୋଚନାକୁ ନ ଆସିଲେ ଆସନ୍ତାକାଲିଠାରୁ ଓପିଡି ସେବା ବନ୍ଦ କରିବାକୁ ଚେତାବନୀ ଦିଆଯାଇଥିଲା । ଦରମା ବନ୍ଦ ଓ ଚାକିରିରୁ ବହିଷ୍କାର ଭଳି କଡ଼ା ଆଭିମୁଖ୍ୟକୁ ସଂଘ ନାପସନ୍ଦ କରି ଡାକ୍ତରୀ ପଦବୀ ଖାଲି ପଡ଼ିଥିଲା ବେଳେ ଏଭଳି ଧମକ କେତେଦୂର ଠିକ ବୋଲି ପ୍ରଶ୍ନ କରିଥିଲା ।
ଡାକ୍ତରଙ୍କ ସମର୍ଥନରେ ୩ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ







