ଭୁୁବନେଶ୍ୱର: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ବୁଦ୍ଧି, ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତା- ଏସବୁକୁ ଏକାଠି କରି ସମର୍ପଣ ମନୋଭାବରେ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ତଥା ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବା ଆବଶ୍ୟକ ।
ଗତ ୬ ତାରିଖରେ ଅନୁଷ୍ଠିତ ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ପରାମର୍ଶ । ଆଶା କରାଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶ ଅକ୍ଷରେ ଅକ୍ଷରେ ପାଳନ ହେବ । ମାତ୍ର ସେଥିରେ ଆରମ୍ଭରୁ କେଁ ଦେଖାଗଲାଣି । ବୁଦ୍ଧି ଓ ଜ୍ଞାନ ବାଟବଣା ହେବାକୁ ଯାଉଛି । ଯାହାଙ୍କୁ ନେଇ ଆମେ ଓଡ଼ିଆ ଅସ୍ମିତାର ଗର୍ବ କରୁଛେ, ସେହି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ଓଡ଼ିଆ ଅସ୍ମିତା ଉପରେ ଶକ୍ତ ପ୍ରହାର ପାଇଁ ସରକାର ବାଟ ଖଞ୍ଜି ଦେଇଛନ୍ତି । ୯ ଦିନିଆ ରଥଯାତ୍ରା ପର୍ବରେ ଭକ୍ତମାନଙ୍କୁ ମାଗଣା ପ୍ରସାଦ ବାଣ୍ଟିବା ପାଇଁ ଇସ୍କନ୍ ସଂସ୍ଥାକୁ ସରକାର ଅନୁମତି ପ୍ରଦାନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଇଏ ସେହି ଇସ୍କନ୍ ସଂସ୍ଥା ଯିଏ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରି ଚାଲିଛନ୍ତି । ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀଜଗନ୍ନାଥ ସଂସ୍କୃତି ବିଦ୍ୱାନମାନଙ୍କ ବାରମ୍ବାର ହସ୍ତକ୍ଷେପ, ଚିଠି ଓ ଆକ୍ରୋଶ ପରେ ମଧ୍ୟ ଇସ୍କନ୍ ଖାତିର କରୁନାହିଁ । ୨୦ ବର୍ଷ ହେଲା ଇସ୍କନ୍ କୁ ଚିଠି ଲେଖି ଲେଖି ଥକି ଗଲେଣି ପଛେ ସେମାନେ ଶୁଣୁନାହାନ୍ତି । ଇସ୍କନ୍ ଗୋଟିଏ ଜିଦ୍ ରେ ବିଶ୍ୱବ୍ୟାପୀ ଅଦିନିଆ/ଅ-ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରି ଚାଲିଛନ୍ତି । ସମଗ୍ର ଦେଶ ଓ ବିଦେଶରେ ଜଗନ୍ନାଥ ପ୍ରେମୀ ଏହାକୁ ବିରୋଧ କରୁଥିଲେ ମଧ୍ୟ ସେମାନଙ୍କର ସାମାନ୍ୟତମ ଡର କି ଖାତିର ନାହିଁ । ଓଡ଼ିଆ ଅସ୍ମିତାକୁ ନେଇ ଖେଳ ଖେଳୁଛନ୍ତି ଇସ୍କନ୍ ସଂସ୍ଥା ।
ଗତକାଲି ଗଜପତି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ତାଙ୍କର କ୍ଷୋଭ ଝାଡ଼ିଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଗଜପତି ଚିଠି ଲେଖି ସେମାନଙ୍କର ହସ୍ତକ୍ଷେ ଲୋଡ଼ିଛନ୍ତି । ଉଭୟଙ୍କୁ ସାକ୍ଷାତ କରିବାକୁ ସମୟ ମଧ୍ୟ ମାଗିଛନ୍ତି । ଏହି ପ୍ରସଙ୍ଗ ସମ୍ପୂର୍ଣ୍ଣ ତାଜା ଥିଲା ବେଳେ ସେହି ଇସ୍କନ୍ ସଂସ୍ଥା ହାତରେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପୁରୀ ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତଙ୍କୁ ମାଗଣାରେ ପ୍ରସାଦ ପରସିବା ଦାୟିତ୍ୱକୁ ଜଗନ୍ନାଥପ୍ରେମୀ କେମିତି ଗ୍ରହଣ କରିବେ ତାହା ଦେଖିବାକୁ ବାକି ଅଛି । ସରକାର ଏଥିପାଇଁ ଅନୁମତି ଦେବା ଓଡ଼ିଆ ଅସ୍ମିତାକୁ ନିଲାମ କରିବା ସହ ସମାନ ବୋଲି କୁହାଯାଇପାରିବ ।
ସୂଚନା ଅନୁଯାୟୀ, ଚଳିତବର୍ଷ ରଥଯାତ୍ରାରେ ଜେଏସଡବ୍ଲୁ ପକ୍ଷରୁ ଭକ୍ତଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯିବ । ଏହି କାର୍ଯ୍ୟରେ ସହଯୋଗ କରିବ ଇସ୍କନ୍ । ସେଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଓଡ଼ିଶାରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ମହାପ୍ରଭୁଙ୍କର ଏହି ପବିତ୍ର ସେବାରେ ସାମିଲ ହେବାକୁ ଚାହିଁ ବସିଥିବା ବେଳେ ଜଗନ୍ନାଥ ସଂସ୍କୃତିକୁ ଅପମାନ କରି ଚାଲିଥିବା ଇସ୍କନ୍ ସଂସ୍ଥା ପ୍ରତି ସରକାରଙ୍କ ଏହି ଭାବ ଓଡ଼ିଆ ଜାତି ଏବଂ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ନୁହେଁ କି? ଯଦି ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି ତାହା ସ୍ପଷ୍ଟ କରନ୍ତୁ ।
ଉଲ୍ଲେଖଥାଉକି, ଗତବର୍ଷ ରଥଯାତ୍ରାରେ ଇସ୍କନ୍ କୁ ଧରି ଆଦାନୀ ଗ୍ରୁପ୍ ପୁରୀରେ ଲକ୍ଷାଧିକ ଭକ୍ତଙ୍କୁ ମାଗଣା ଭୋଜନ ବାଣ୍ଟିଥିଲେ ।