ଭୁବନେଶ୍ୱର: ଏସଆଇଆର କାର୍ଯ୍ୟ ଯୋଗୁଁ ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ । ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏ ଚାଲିବ । ତେଣୁ ଆସନ୍ତା ଏପ୍ରିଲ୍ କିମ୍ବା ମେ’ ରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ନିର୍ବାଚନ ଆୟୋଗଙ୍କ ଯୁକ୍ତି ହେଉଛି, ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ଏଥର ଦ୍ୱାର ଦ୍ୱାର ବୁଲି ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି । ୬,୭୯୪ ପଞ୍ଚାୟତର ୯୧,୯୩୦ ୱାର୍ଡ ବା ବୁଥ୍ ରେ ସର୍ଭେ କାର୍ଯ୍ୟ ହେବ । ଏହା ନ ସରିବା ପର୍ଯ୍ୟନ୍ତ ନିର୍ବାଚନ ସମ୍ଭବ ନୁହେଁ । ଏହା ସରିଲା ପରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ଭିତରେ ନିର୍ବାଚନ ଅନୁଷ୍ଠିତ ହେବ ।
ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ୍ ବାଜିସାରିଛି । ଜୁଲାଇ ୨୧ରେ ସମସ୍ତ ଜିଲ୍ଲାପାଳ ଏବଂ ନୋଡାଲ ଅଫିସରଙ୍କୁ ନେଇ ସମୀକ୍ଷା ବୈଠକର ଆୟୋଜନ ହୋଇଛି । ବିଏଲଓମାନେ ପ୍ରତ୍ୟେକ ଗାଁ ଓ ଘରକୁ ଯାଇ ବୁଥ୍ ସ୍ତରୀୟ ସର୍ଭେ ଆରମ୍ଭ କରିଛନ୍ତି । ଭୋଟରଙ୍କୁ ସେମାନଙ୍କର ସଠିକ୍ ୱାର୍ଡ ଓ ପଞ୍ଚାୟତ ସହ ଯୋଡ଼ିବା ପାଇଁ ଏହି ସର୍ଭେ ହେଉଛି । ଏସଆଇଆର ପରେ ଚୂଡ଼ାନ୍ତ ତଥ୍ୟକୁ ଆଧାର କରି ପଞ୍ଚାୟତ ପାଇଁ ସ୍ୱତନ୍ତ୍ର ତାଲିକା ହେବ ।
ପ୍ରଥମେ ଏକ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯାଇ ସଂଶୋଧନ କରାଯିବ । ଶେଷରେ ଚୂଡ଼ାନ୍ତ ପଞ୍ଚାୟତ ଭୋଟର ତାଲିକା ପ୍ରକାଶ ପାଇବ । ନିର୍ବାଚନର କିଛି ମାସ ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବ । ଏସସି, ଏସଟି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହେବ । ସଂରକ୍ଷଣ ଚୂଡ଼ାନ୍ତ ପରେ ନିର୍ବାଚନ ପାଇଁ ତାରିଖ ସହ ବିଜ୍ଞପ୍ତି ପ୍ରକାଶ ପାଇବ ।
ସୂଚନାଥାଉକି, ୨୦୨୨ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦୨୭ ଫେବ୍ରୁଆରୀରେ ୫ ବର୍ଷିଆ କାର୍ଯ୍ୟକାଳ ପୂରୁଥିବାରୁ ଏହା ପୂର୍ବରୁ ନିର୍ବାଚନ ହେବା କଥା । ମାତ୍ର ଏସଆଇଆର ଆଳରେ ନିର୍ବାଚନ ବିଳମ୍ବ ଘୋଷଣାକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ସରକାରୀ ଦଳର ଭିତିରି ଏଜେଣ୍ଡା ଅଛି । ସେଥିପାଇଁ ପଞ୍ଚାୟତ ନିର୍ବାଚନକୁ ଜାଣିକି ବିଳମ୍ବ କରୁଛନ୍ତି । ତେବେ ବିଜେଡି ଏଥିରେ ଡରିବାର ନାହିଁ । ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।
କଟକ-ବାରବାଟୀ ବିଧାୟକ ସୋଫିଆ ଫିର୍ଦୋସ କହିଛନ୍ତି, ନିଜ ସମୟକୁ ଅପେକ୍ଷା କଲେ ହେବ ନାହିଁ । ସାମ୍ବିଧାନିକ ନିୟମ ଅନୁସାରେ ଠିକ୍ ସମୟରେ ନିର୍ବାଚନ ହେଉ । ଜନପ୍ରତିନିଧିମାନେ ସେମାନଙ୍କର ଅଧିକାର ପାଆନ୍ତୁ ବୋଲି ସେ କହିଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପୂରା ପ୍ରସ୍ତୁତ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳ ଯେମିତି ପ୍ରଦର୍ଶନ କରିଥିଲା, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ସେମିତି ପ୍ରଦର୍ଶନ କରିବ ବୋଲି ସେ ଦାବି କରିଛନ୍ତି ।