ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ଇଂଲିଶ୍ ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାର ଘଟଣା ଜଟିଳ ମୋଡ଼ ନେବାରେ ଲାଗିଛି । ବିଧାୟକଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରୁ ଶିକ୍ଷକ ସଂଘ ଓହରି ଯାଇଥିଲେ ମଧ୍ୟ ନିଜକୁ ସିନେଟ୍ ସଦସ୍ୟ ଭାବରେ ବିଧାୟକଙ୍କ ଦାବିକୁ ନାପସନ୍ଦ କରାଯାଇଛି । ମାତ୍ର ବିଧାୟକ ଏହାକୁ ଚାଲେଞ୍ଜ କରିଛନ୍ତି । ସେପଟେ ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ ମାମଲାରେ ବିଧାୟକଙ୍କ ହସ୍ତକ୍ଷେପକୁ ବିରୋଧ କରି ରେଭେନସା କଲେଜର ପୁରାତନ ଛାତ୍ରଛାତ୍ରୀମାନେ ଆଜି ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଇଂଲିଶ୍ ବିଧାୟକ ନିଜ ଜିଦ୍ ରେ ଅଟଳ ରହି ଚିଫ୍ ୱାର୍ଡେନଙ୍କ ସମେତ ଅନ୍ୟ ୱାର୍ଡେନମାନଙ୍କୁ ଆକ୍ଷେପ କରି ଚାଲିଥିବା ବେଳେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ରୁଟା)ର ସଭାନେତ୍ରୀ ପ୍ରଫେସର ଉର୍ମିଶ୍ରୀ ବେଦମାତାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ବିଧାୟକ ସର୍ବସାଧାରଣରେ କ୍ଷମା ମାଗିବା ଦାବିରୁ ଶିକ୍ଷକ ସଂଘ ଓହରି ଯାଉଛି ବୋଲି ଘୋଷଣା କରାଯାଇଥିଲା । ହେଲେ ବାଚସ୍ପତିଙ୍କ ନିକଟରେ ବିଧାୟକ କରିଥିବା ଅଭିଯୋଗ ପ୍ରତ୍ୟାହାର କଲା ପରେ ଯାଇ କୌଣସି ଆଲୋଚନା ସମ୍ଭବ ବୋଲି କୁହାଯାଇଥିଲା ।
ବିଶ୍ୱବିଦ୍ୟାଳୟର ସିନେଟ୍ ଗଠନ ପ୍ରକ୍ରିୟା ଶେଷ ହୋଇ ନ ଥିଲା ବେଳେ ବିଧାୟକ ଶ୍ରୀ ସେଠୀ ନିଜକୁ ରେଭେନ୍ସା ସିନେଟ୍ ର ସଦସ୍ୟ ବୋଲି ପ୍ରଚାର କରିବା ଗ୍ରହଣୀୟ ନୁହେଁ । ନିଜକୁ ସିନେଟ୍ ସଦସ୍ୟ କରି ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବୈଠକରେ ହସ୍ତକ୍ଷେପ କରିବାର ଅଧିକାର ବିଧାୟକଙ୍କର ନାହିଁ । ଏହା ସିନେଟ୍ ର ବି କାମ ନୁହେଁ ବୋଲି କୁହାଯାଇଥିଲା ।
ଇଂଲିଶ୍ ବିଧାୟକ ଶ୍ରୀ ସେଠୀ ଆଜି ଗଣମାଧ୍ୟମରେ ଏହାର ଜବାବ ରଖିଛନ୍ତି । ସିନେଟ୍ ସଦସ୍ୟ ନେଇ ଗତ ଜୁଲାଇ ୬ରେ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ଚିଠି କରିଛନ୍ତି । ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଧାରାରେ ବାଚସ୍ପତିଙ୍କ ଦ୍ୱାରା ଏହି ମନୋନୟନ କରାଯାଇଛି । ଅତିରିକ୍ତ ଶାସନ ସଚିବ ପ୍ରତିଭା ସାହୁ ରେଭେନସା କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି । ତେଣୁ ଏଥିରେ ବିବାଦ ପୂରାଇବା ଠିକ୍ ନୁହେଁ । ରେଭେନସା ହଷ୍ଟେଲ ବିବାଦ ତୁଟାଇବା ପାଇଁ ସେ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି ବିଧାୟକ ଦୋହରାଇବା ସହ ଚିଫ୍ ୱାର୍ଡେନ ତାଙ୍କୁ ଅସୌଜନ୍ୟ ବ୍ୟବହାର କରିଥିବାରୁ ଆପତ୍ତି ଉଠାଇଛନ୍ତି । ରେଭେନସାରେ ରାଜନୀତି ଚଳିବ ନାହିଁ ବୋଲି ସେ ପୁଣି ଥରେ ସତର୍କ କରିଛନ୍ତି ।
ଇଂଲିଶ୍ ବିଧାୟକଙ୍କ ଅହଙ୍କାର ବିଶ୍ୱବିଦ୍ୟାଳୟ ଶିକ୍ଷକ ଓ ଛାତ୍ର ସମାଜ ନିନ୍ଦା କରିଥିଲା ବେଳେ ଆଜି ପୁରାତନ ଛାତ୍ରଛାତ୍ରୀମାନେ ରେଭେନ୍ସା ମୁଖ୍ୟ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପବିତ୍ର ଅନୁଷ୍ଠାନରେ ଘୃଣ୍ୟ ରାଜନୀତିକୁ ପ୍ରଶୟ ଦିଆଯିବନି ବୋଲି ସେମାନେ ଚେତାବନୀ ଦେଇଛନ୍ତି । ବିଧାୟକ ଆସି କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।