ଭୁବନେଶ୍ୱର: ରାଜ୍ୟ ପୁଲିସ ବିଭାଗରେ ୩୩୬ ଜଣ ସବ ଇନସପେକ୍ଟର ଯୋଗ ଦେଇଛନ୍ତି । ଶୁକ୍ରବାର ଦିନ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀଠାରେ ୧୩ତମ ବ୍ୟାଚ୍ ଏହି କ୍ୟାଡେଟ୍ ସବ୍- ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତଙ୍କଠାରୁ ସଲାମୀ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ବୋଧନରେ ଆଇନଶୃଙ୍ଖଳା ରକ୍ଷାକୁ ତାଙ୍କ ସରକାର ଗୁରୁତ୍ୱ ଆରୋପ କରୁଥିବା କହିଥିଲେ । ଗତ ଦୁଇବର୍ଷ ମଧ୍ୟରେ ପୁଲିସ ବିଭାଗରେ ୧୭,୭୯୪ ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୫,୮୧୭ଟି ପଦବୀ ପୂରଣ କରାଯାଇଛି ବୋଲି କହିଥିଲେ ।
ଏହା ପରଦିନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ୩୩୬ ଜଣ ଏସଆଇଙ୍କ ନିଯୁକ୍ତି ପ୍ରକ୍ରିୟା ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ବୋଲି ଟୁଇଟ୍ କରିଥିଲେ । ଗୋଟିଏ ପଟେ ସବ୍ ଇନସପେକ୍ଟର ବ୍ୟାଚ୍ ପ୍ରଶିକ୍ଷଣ ଶେଷ କରି ନିଯୁକ୍ତି ପାଉଥିବା ବେଳେ ଅନ୍ୟ ପଟେ ହଜାର ହଜାର ଆଶାୟୀ ପେପର୍ ଲିକ୍ ଯୋଗୁଁ ଏବେ ବି ଅନିଶ୍ଚିତାରେ ବୋଲି କଟାକ୍ଷ କରିଥିଲେ । ନବୀନ ଏହା ବି ଲେଖିଥିଲେ ଯେ କିଛି ନ କରି ମିଛ ଶ୍ରେୟ ନେବାକୁ ବିଜେପି ସରକାର ଆଗରେ । ଏହା ଏକ ବିଡ଼ମ୍ବନା । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ, ପ୍ରଶ୍ନପତ୍ର ଲିକ୍ ପାଇଁ ୨୦୨୫ରେ ବାତିଲ ହୋଇଥିବା ‘କମ୍ବାଇନ୍ସ ପୁଲିସ ସର୍ଭିସ୍ ପରୀକ୍ଷା’ କେବେ ହେବ? କେବେ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ ରେ ସମ୍ପୃକ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ? ହଜାର ହଜାର ଯୁବକ, ଯୁବତୀଙ୍କ ପ୍ରାୟ ୧ ବର୍ଷ ସମୟ ବିଜେପି ସରକାର ନଷ୍ଟ କରିସାରିଲାଣି । ଡବଲ୍ ଇଞ୍ଜିନ୍ ସରକାରର ଅପାରଗତା ଓଡ଼ିଶାର ଯୁବ ସମାଜକୁ ହତାଶ କରିଛି । ସରକାର ତୁରନ୍ତ ଏହି ପରୀକ୍ଷା ପୁନଃ ଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ନବୀନ ଲେଖିଥିଲେ ।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ଜବାବ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନିଯୁକ୍ତି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷା ରାଜ୍ୟ ସରକାର କରୁନାହାନ୍ତି । ଏଥିପାଇଁ ବିଭିନ୍ନ ସଂସ୍ଥା ଦାୟିତ୍ୱରେ ଅଛନ୍ତି ବୋଲି ସେ ଟିପ୍ପଣୀ ଦେଇଥିଲେ । ରାଜସ୍ୱ ମନ୍ତ୍ରୀଙ୍କ ଏହି ଟିପ୍ପଣୀ ଉପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି । ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି, ଶ୍ରୀ ପୂଜାରୀ ବୋଧହୁଏ ଅବଗତ ନାହାନ୍ତି ଯେ ପୋଲିସ ବିଭାଗର ନିଯୁକ୍ତି ପରୀକ୍ଷା ଓପିଆରବି ଦ୍ୱାରା କରାଯାଏ । ଓପିଆରବି ରାଜ୍ୟ ସରକାରଙ୍କର ଗୃହ ବିଭାଗର ଅଧୀନରେ ରହିଛି, ଏହାର ବିଫଳତା ପାଇଁ ଗୃହ ବିଭାଗ ସିଧାସଳଖ ଦାୟୀ । ବିଜେପି ତାର ନିର୍ବାଚନ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଖାଲି ପଡ଼ିଥିବା ପ୍ରାୟ ଦେଢ଼ ଲକ୍ଷ ପଦବୀରେ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା, ଯାହା ମଧ୍ୟରୁ ୬୫,୦୦୦ ପଦବୀ ପ୍ରଥମ ଦୁଇ ବର୍ଷରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ, ସରକାରକୁ ଆସିବାର ଅଢେଇ ବର୍ଷ ବିତି ଯାଇଥିଲା ବେଳେ ରାଜ୍ୟ ସରକାର ଏହି ସମୟ ଭିତରେ ୪୫,୦୦୦ ନିଯୁକ୍ତି ପ୍ରଦାନ କରିଛନ୍ତି । କିନ୍ତୁ, ଏହି ୪୫,୦୦୦ ନିଯୁକ୍ତି ଭିତରୁ ପ୍ରାୟ ୩୯,୦୦୦ ନିଯୁକ୍ତି ପାଇଁ ବିଜେଡି ସରକାରଙ୍କ ସମୟରେ ବିଜ୍ଞାପନ ହୋଇଥିଲା ।