ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍- ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଗତକାଲି ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର ଟ୍ରେନିଂ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍ ଇନ୍ସପେକ୍ଟରଙ୍କଠାରୁ ସଲାମୀ ଗ୍ରହଣ କରିଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ବୋଧନରେ ଆଇନଶୃଙ୍ଖଳା ରକ୍ଷାକୁ ତାଙ୍କ ସରକାର ଗୁରୁତ୍ୱ ଆରୋପ କରୁଥିବା କହିଥିଲେ । ଗତ ଦୁଇବର୍ଷ ମଧ୍ୟରେ ପୁଲିସ ବିଭାଗକୁ ସଶକ୍ତ କରିବା ପାଇଁ କ’ଣ କରାଯାଇଛି ତାହାର ତାଲିକା ପଢ଼ିଥିଲେ । ଯେମିତି.. ପୁଲିସ ବିଭାଗରେ ୧୭,୭୯୪ ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ୫,୮୧୭ଟି ପଦବୀ ପୂରଣ କରାଯାଇଛି । ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହାନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଲମ୍ବା ଭାଷଣରେ ଆହୁରି ଅନେକ କଥା କହିଥିଲେ । ନବନିଯୁକ୍ତ ଏସଆଇମାନଙ୍କୁ ତିନୋଟି ଗୁରୁମନ୍ତ୍ର ସହ ଶୂନ୍ୟ ସହନଶୀଳତା ନୀତିରେ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ ।
ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିନ୍ତୁ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ପୁଲିସ ବିଭାଗର ସଶକ୍ତିକରଣରେ ମୋହନ ସରକାରଙ୍କ ଆଭିମୁଖ୍ୟର ଗୁମର ଖୋଲିଛନ୍ତି । କିଛି ନ କରି ମିଛ ଶ୍ରେୟ ନେବାରେ ବିଜେପି ସରକାରଙ୍କ ଧୂରନ୍ଧରତାକୁ ସେ ଭର୍ସନା କରିଛନ୍ତି ।
ନବୀନ ଲେଖିଛନ୍ତି-
ଗୋଟିଏ ପଟେ ସବ୍ ଇନସପେକ୍ଟର ବ୍ୟାଚ୍ ପ୍ରଶିକ୍ଷଣ ଶେଷ କରି ନିଯୁକ୍ତି ପାଉଥିବା ବେଳେ ଅନ୍ୟ ପଟେ ହଜାର ହଜାର ଆଶାୟୀ ପେପର୍ ଲିକ୍ ଯୋଗୁଁ ଏବେ ବି ଅନିଶ୍ଚିତାରେ । ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଅନୁଷ୍ଠିତ ୧୩ତମ ବ୍ୟାଚ୍ ଏସଆଇ ଅଧିକାରୀମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଲାମୀ ଗ୍ରହଣ କଲେ । ହେଲେ ପ୍ରକୃତ କଥା ହେଉଛି, ଦୁଇବର୍ଷର ପ୍ରଶିକ୍ଷଣ ସାରି ଓଡ଼ିଶା ପୁଲିସରେ ଯୋଗ ଦେଇଥିବା ଏହି ୩୩୬ ଜଣ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ।
ନବନିଯୁକ୍ତ ସମସ୍ତ ଅଧିକାରୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ନ୍ୟାୟିକ ବ୍ୟବସ୍ଥାକୁ ମଜବୁତ କରିବା ସହ ଲୋକଙ୍କ ସେବାର ଦୃଢ଼ ସଙ୍କଳ୍ପ ନେଇ ସମସ୍ତେ କାର୍ଯ୍ୟ କରନ୍ତୁ ।
ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, କିଛି ନ କରି ମିଛ ଶ୍ରେୟ ନେବାକୁ ବିଜେପି ସରକାର ଆଗରେ । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ, ପ୍ରଶ୍ନପତ୍ର ଲିକ୍ ପାଇଁ ୨୦୨୫ରେ ବାତିଲ ହୋଇଥିବା ‘କମ୍ବାଇନ୍ସ ପୁଲିସ ସର୍ଭିସ୍ ପରୀକ୍ଷା’ କେବେ ହେବ? କେବେ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ ରେ ସମ୍ପୃକ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ?
ହଜାର ହଜାର ଯୁବକ, ଯୁବତୀଙ୍କ ପ୍ରାୟ ୧ ବର୍ଷ ସମୟ ବିଜେପି ସରକାର ନଷ୍ଟ କରିସାରିଲାଣି । ଡବଲ୍ ଇଞ୍ଜିନ୍ ସରକାରର ଅପାରଗତା ଓଡ଼ିଶାର ଯୁବ ସମାଜକୁ ହତାଶ କରିଛି । ଆଶାୟୀଙ୍କ ସ୍ୱପ୍ନ ଓ ଭବିଷ୍ୟତକୁ ବିଜେପି ସରକାର ଅନିଶ୍ଚିତତା ଭିତରକୁ ଠେଲି ଦେଇଛି ।
ଏହି ବିଳମ୍ବ ସେମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରୁଛି । ସରକାରୀ ନିଯୁକ୍ତିରେ ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ଭରସାକୁ ମଧ୍ୟ ଏହା କ୍ଷତି ପହଞ୍ଚାଉଛି । ସରକାର ତୁରନ୍ତ ଏହି ପରୀକ୍ଷା ପୁନଃ ଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ ।
ଓଡ଼ିଶାବାସୀ ବିଜେପି ସରକାରର ମିଛ ଭାଷଣ ଶୁଣିବାକୁ ଆଉ ଚାହୁଁ ନାହାନ୍ତି, ପ୍ରତାରଣାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।
ନବୀନଙ୍କର ଏହି ପ୍ରଶ୍ନବାଣ ଉପରେ ମୋହନଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି ।





