ଭୁବନେଶ୍ୱର: ଆଜି ରାଜଧାନୀର ଗାନ୍ଧୀ ମାର୍ଗରେ ଗର୍ଜନ କରିଛନ୍ତି ହଜାର ହଜାର ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ । ୨୧ ଦିନର ଅହୋରାତ୍ର ଧାରଣାର ଆଗକୁ ଯାଇ ଆଜି ସେମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗୁରୁ ଦିବସରେ କ୍ଲାସ୍ ରୁମ୍ ଛାଡ଼ି ରାଜଧାନୀର ରାଜରାସ୍ତାକୁ ଚାଲି ଆସିଥିଲେ ୨୫ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ । ଅସହ୍ୟ ତାତି ଓ ଗରମକୁ ଖାତିର କରି ନ ଥିଲେ । ଆଇନମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଆନ୍ଦୋଳନସ୍ଥଳକୁ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ । ଖୁବ୍ ଶୀଘ୍ର ଦାବି ପୂରଣ ହୋଇଯିବ ବୋଲି ଭରସା ଦେଇଥିଲେ । ମାତ୍ର ଦୁଇ ମନ୍ତ୍ରୀଙ୍କ କଥାରେ ଭରସା ପାଇନାହାନ୍ତି ଶିକ୍ଷକ ସମାଜ । ଦାବି ହାସଲ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ କହି ଉଭୟଙ୍କୁ ଫେରାଇ ଦେଇଛନ୍ତି ।
୧୯୪ ଅଣ ଅନୁଦାନପ୍ରାପ୍ତ ସ୍କୁଲକୁ ଅନୁଦାନ, ଅନୁଦାନପ୍ରାପ୍ତ ସ୍କୁଲ/କଲେଜ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ, ଖାଲି ପଦବୀ ପୂରଣ ଏମିତି ୮ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି । ଗାନ୍ଧୀମାର୍ଗରେ ଆଜିକୁ ୨୧ ଦିନ ହେଲା ଶହ ଶହ ଶିକ୍ଷକ ଏବଂ କର୍ମଚାରୀ ଅହୋରାତ୍ର ଧାରଣା ଦେଇଛନ୍ତି । ମାତ୍ର ସରକାର ସେମାନଙ୍କ ଦାବି ଶୁଣିବା ଦୂରେ ଥାଉ, ଆଲୋଚନା ପାଇଁ କୌଣସି ଆଗ୍ରହ ଦେଖାଇ ନ ଥିବା ଶିକ୍ଷକନେତାମାନେ କହିଛନ୍ତି । ସରକାରଙ୍କ ନିଷ୍କ୍ରିୟତାର ଜବାବ ଦେବାକୁ ଗୁରୁ ଦିବସରେ ଶକ୍ତି ପ୍ରଦର୍ଶନ ପାଇଁ ଡାକରା ଦିଆଯାଇଥିଲା ।
ରାଜ୍ୟର ହଜାର ହଜାର ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀମାନେ ନିଜର ହକ୍ ପାଇଁ ଆଜି ଭୁବନେଶ୍ୱର ଚାଲି ଆସିଥିଲେ । ଲୋୟର ପିଏମଜି ଧାରଣାସ୍ଥଳକୁ ଗତ ରାତିରୁ ସେମାନଙ୍କର ସୁଅ ଛୁଟିଥିଲା । ଆଜି ଦିନ ୧୦ଟା ବେଳକୁ ଗାନ୍ଧୀମାର୍ଗ ରାସ୍ତାରେ ଆଉ ଜାଗା ନ ଥିଲା । ପ୍ରବଳ ଖରାକୁ ଖାତିର ନ କରି ଶିକ୍ଷକ ଓ କର୍ମଚାରୀମାନେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନାରାବାଜିରେ ଫାଟି ପଡ଼ିଥିଲା ଗାନ୍ଧୀମାର୍ଗ । ବିଜେପି ସରକାରଙ୍କ ଚଉଦ ପୁରୁଷ ଉଦ୍ଧାର କରିଥିଲେ ଆନ୍ଦୋଳନକାରୀ । ଶିକ୍ଷକମାନଙ୍କ ଦାବି ପ୍ରତି ଛାତ୍ର ଏବଂ ସାଧାରଣ ଜନତାଙ୍କ ସମର୍ଥନ ଦେଖିବାକୁ ମିଳିଥିଲା ।
ଦ୍ୱିପ୍ରହର ବେଳକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ । ଶିକ୍ଷକମାନଙ୍କ ଦାବି ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ବୋଲି ଜଣାଇଥିଲେ । ଖୁବ୍ ଶୀଘ୍ର ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ । ଆଇନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ୨୦ ବର୍ଷର ଏହି ସମସ୍ୟାର ସମାଧାନ ପାଇଁ ସମୟ ଦରକାର । ଶିକ୍ଷକଙ୍କ ବିଭିନ୍ନ ଦାବି ଉପରେ ବିଚାର ପାଇଁ ଗଠିତ କମିଟି ୮୦୦ ପୃଷ୍ଠାର ୭୯ଟି ରିପୋର୍ଟ ସରକାରଙ୍କୁ ଦେଇଛନ୍ତି । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ସରକାରଙ୍କ ସହିତ ଆସି ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଆଉ ଟିକେ ଆଗକୁ ଯାଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା ଦେଇଥିଲେ ।
ମାତ୍ର ଦୁଇ ମନ୍ତ୍ରୀଙ୍କ କଥାରେ ଭରସା ପାଇଲେନି ଶିକ୍ଷକ ସମାଜ । ବରଂ ସେମାନଙ୍କ କଥା ଶିକ୍ଷକଙ୍କୁ ବେଶୀ ପ୍ରତିକ୍ରିୟାଶୀଳ କରିଥିଲା । ଆମେ ୨୦ ଦିନ ଧରି ଖରା ବର୍ଷାରେ ଏଠି ପଡ଼ିଥିଲେ ମଧ୍ୟ ସରକାର ଆଲୋଚନା ପାଇଁ ଆଗ୍ରହ ଦେଖାଇ ନାହାନ୍ତି । ଆଜି କେମିତି ମନେପଡ଼ିଲା? ଏଥର ଦାବି ପୂରଣ ହେଲା ପରେ ଘରକୁ ଫେରିବୁ ବୋଲି ଚେତାବନୀ ଦେଇଛନ୍ତି ।