ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୟୁଏଇ ଅଭିଯାନର ପ୍ରଥମ ଦିନରେ ଆଜି ବ୍ୟବସାୟ, ନିବେଶ ଓ କୁଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଛି । ଇଣ୍ଟରନ୍ୟାସନାଲ୍ ହୋଲଡିଂ କମ୍ପାନୀ(ଆଇଏଚସି)ର ବିଭିନ୍ନ ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ୍ କମ୍ପାନୀ ସହ ଆଲୋଚନା କରିଥିଲେ ଓଡ଼ିଶା ପ୍ରତିନିଧି ଦଳ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ୱାନ୍ ଟୁ ୱାନ୍ କଥା ହୋଇଥିଲେ । ଓଡ଼ିଶାରେ ନିବେଶର ସୁଯୋଗ ଏବଂ ଶିଳ୍ପ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା ।
ସେହିଭଳି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ର ଅଂଶ ଭାବେ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍(ଆଇବିପିଜି)ଙ୍କ ସହ ମୁଖ୍ୟମନ୍ତ୍ରୀ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଥିଲେ । ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା । ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକଚରିଂ ଏବଂ ଦକ୍ଷ ମାନବ ସମ୍ବଳ ନିମନ୍ତେ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ରୁଚି, ଫାର୍ମ ବି, ବି ୱାନ, ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନୀ ଯୋଗଦେଇଥିଲେ । ଆଇବିପିଜି ସଭାପତି ରାଜୀବ ଶାହା ଉପସ୍ଥିତ ଥିଲେ ।
ବୋରୋଜ୍ କମ୍ପାନୀ ସିଇଓ ହାଜିମ୍ ସୁଲତାନ୍ ଅଲ୍ ସୁୱାଇଦିଙ୍କ ମୁଖ୍ୟମନ୍ତ୍ରୀଙ୍କର ବୈଠକ ହୋଇଛି । ପେଟ୍ରୋକେମିକାଲ୍ କ୍ଷେତ୍ରରେ ଓଡ଼ିଶାରେ ନିବେଶ ଓ ସହଭାଗିତାର ସୁଯୋଗ ଉପରେ ଏଥିରେ ଆଲୋଚନା ହୋଇଥିଲା ।
ଦୀର୍ଘମିଆଦୀ ପୁଞ୍ଜିନିବେଶ ଏବଂ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ଗଢ଼ି ତୋଳିବା ଆମର ସଂକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ।
ଆଜି ସଂଧ୍ୟାରେ ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଉତ୍ପାଦ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଉତ୍ପାଦକୁ ୟୁଏଇ ବଜାରରେ ପ୍ରଦର୍ଶନ କରାଯିବ । ଏହାପରେ ଭାରତୀୟ କନସୁଲ୍ ଜେନେରାଲଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିବାର କାର୍ଯ୍ୟକ୍ରମ ଅଛି । ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ପ୍ରତିଷ୍ଠାନଗତ ଓ ସମୁଦାୟସ୍ତରୀୟ ସମ୍ପର୍କକୁ ସୁଦୃଢ଼ କରିବା ନେଇ ସେଥିରେ ଆଲୋଚନା ହେବ ।