ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତ ଅବସରରେ, ରାଜ୍ୟ ସରକାରଙ୍କ ସହିତ ୨.୧ ଲକ୍ଷ କୋଟିର ନିବେଶ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିବା କଥା ଯାହା କୁହାଯାଇଛି, ତାହା ୨୦୨୫ ଜାନୁଆରୀର ଉତ୍କର୍ଷ ଓଡିଶା ସମୟରେ ହୋଇଥିବା ଘୋଷଣାର ପୁନରାବୃତ୍ତି ନୁହେଁ ତ ବୋଲି ପ୍ରଶ୍ନ ଉଠାଇଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଗୌତମବୁଦ୍ଧ ଦାସ ଓ ମୁଖପାତ୍ର ଡ଼ ଲେନିନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ।
ଶ୍ରୀ ଦାସ କହିଛନ୍ତି, ଆବୁଧାବିରେ ଆଦାନୀ ଗ୍ରୁପ ଓ ଆଇଏଚସି ଗ୍ରୁପ ସହ ଓଡ଼ିଶା ସରକାରଙ୍କ ୨.୧ ଲକ୍ଷ କୋଟିର ନିବେଶ ପ୍ରସ୍ତାବକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି, ଏହା ସମ୍ପୂର୍ଣ୍ଣ ନୂଆ ନିବେଶ, ନା ପୂର୍ବରୁ ଘୋଷଣା ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ନୂଆ ପ୍ୟାକେଜ୍ ଭାବେ ପୁଣି ଉପସ୍ଥାପନ କରାଯାଇଛି? ଜାନୁଆରୀ ୨୦୨୫ର ଉତ୍କର୍ଷ ଓଡିଶା, ମେକ୍ ଇନ ଓଡିଶା କନକ୍ଲେଭରେ ଆଦାନୀ ଗ୍ରୁପ ଓଡ଼ିଶାରେ ଆଗାମୀ ୫ ବର୍ଷରେ ୨.୩ ଲକ୍ଷ କୋଟି ନିବେଶ କରିବାକୁ ଘୋଷଣା କରାଯାଇଥିଲା । ଏଥିରେ ପାୱାର, ସିମେଣ୍ଟ, ଇଣ୍ଡଷ୍ଟ୍ରିଆଲ ପାର୍କ, ଆଲୁମିନିୟମ ଓ ସିଟି ଗ୍ୟାସ ଇତ୍ୟାଦି କ୍ଷେତ୍ର ସାମିଲ ଥିଲା । ଏବେ ଆବୁଧାବିରେ ଆଦାନୀ ଗ୍ରୁପ ଓ ଆଇଏଚସି ଗ୍ରୁପ ମିଳିତ ଭାବେ ଓଡ଼ିଶାରେ ୧୪ଟି ପ୍ରକଳ୍ପରେ ପ୍ରାୟ ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା ନେଇ ଏମଓୟୁ କରିଛନ୍ତି ବୋଲି କୁହାଯାଇଛି । ତେବେ ଏହି ଦୁଇ ଘୋଷଣା ମଧ୍ୟରେ କେତେ ନିବେଶ ଓ ପ୍ରକଳ୍ପ ପରସ୍ପର ସହ ମେଳ ଖାଉଥିବାରୁ ରାଜ୍ୟ ସରକାର ଏହାକୁ ସ୍ପଷ୍ଟ କରିବା ଦରକାର ।
ଡ଼ ମହାନ୍ତି କହିଛନ୍ତି ଯେ ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ହେଉଥିବା ଘୋଷଣା ଓ ବାସ୍ତବତା ଭିତରେ ବଡ଼ ବ୍ୟବଧାନ ପରିଲକ୍ଷିତ । ସରକାରଙ୍କ କାର୍ଯ୍ୟ କେବଳ ଫିତା କଟାରେ ସୀମିତ ରହୁଛି । ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି । ଘୋଷଣା ଉପରେ ଘୋଷଣା ହେଉଛି । କିନ୍ତୁ ଫଳ ଶୂନ । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ ସମୟରେ ଆନୁଷ୍ଠାନିକ ଭାବେ କୌଣସି ଏମଓୟୁ ସ୍ୱାକ୍ଷରିତ ହୋଇନଥିଲେ ମଧ୍ୟ ସରକାରଙ୍କ ତରଫରୁ ବିପୁଳ ପୁଞ୍ଜିନିବେଶ ହେବ ବୋଲି ଦାବି କରାଯାଇଥିଲା । କିନ୍ତୁ ସେହି ଗସ୍ତର ଫାଇଦା ରାଜ୍ୟବାସୀଙ୍କୁ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିଲା ନାହିଁ । ଏବେ ୟୁଏଇ ଗସ୍ତକୁ ନେଇ ବଡ଼ ଉପଲବ୍ଧ କଥା କୁହାଯାଉଛି । ଏହି ଘୋଷଣା ପୂର୍ବ ଘୋଷଣା ସହିତ ମେଳ ଖାଉଥିବାରୁ, ଏହା କେବଳ ଏକ ଭେଳିକି ଭଳି ମନେ ହେଉଛି । ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ହେବ ବୋଲି ଦାବି କରାଯାଇଥିଲା । ଡବଲ ବିକାଶ ତ କେବଳ କଥାରେ ସୀମିତ ରହିଗଲା ଏବେ ଡବଲ ଗଣତି ହେଉଛି ବୋଲି ଜଣାପଡୁଛି ।