ଭୁବନେଶ୍ୱର: ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଦୁବାଇ ଆସିବା ପୂର୍ବରୁ ଆବୁଧାବିରେ ଇଣ୍ଟନ୍ୟାସନାଲ୍ ହୋଲଡିଂ କର୍ପୋରେସନ୍(ଆଇଏଚସି), ବୋରଗ, ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍(ଆଇବିପିଜି) ଓ ୟୁଏଇର ପ୍ରମୁଖ ନିବେଶ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଥିଲେ । ସେହିଭଳି ଓଡ଼ିଶା ସରକାର, ଆଦାନୀ ଗ୍ରୁପ୍ ଓ ଇଣ୍ଟନ୍ୟାସନାଲ୍ ହୋଲଡିଂ କର୍ପୋରେସନ(ଆଇଏଚସି) ମଧ୍ୟରେ ୧୪ଟି ପ୍ରକଳ୍ପକୁ ନେଇ ଏମଓୟୁ ସ୍ୱାକ୍ଷର ହୋଇଥିଲା । ସେହି ପ୍ରକଳ୍ପଗୁଡ଼ିକରେ ୨ ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କା ନିବେଶ ହେବ ଏବଂ ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୮.୭ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପ୍ରସ୍ତାବିତ ପ୍ରକଳ୍ପରେ ଧାତବ ଆନୁଷଙ୍ଗିକ ଶିଳ୍ପ, କ୍ରିଟିକାଲ୍ ମିନେରାଲ୍, ସ୍ଲରି ପାଇପଲାଇନ୍, ରସାୟନ ଓ ପେଟ୍ରୋ ରସାୟନ, ବିରଳ ମୃତ୍ତିକା. ଅକ୍ଷୟ ଶକ୍ତି ଉପକରଣ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ବିକାଶ ଯୋଜନା ରହିଛି ।
ୟୁଏଇ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଦେଶର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆଜି ବୈଠକ ହୋଇଥିଲା । ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଆଲୋଚନା କରିଥିଲେ । ଏଥିରେ ଓଡ଼ିଶାରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପ ପରିବେଶ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ସୁଯୋଗ ଅନ୍ୱେଷଣ ଏବଂ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି ।