ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ ସେପ୍ଟେମ୍ବର ୧୭ । ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରକୁ ମାସେ ବ୍ୟାପୀ ପାଳନ କରିବ ବିଜେପି । ‘ସେବା ସଂକଳ୍ପ ଅଭିଯାନ’ ଭାବେ ସାରା ଦେଶରେ ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ‘ସେବା ଜ୍ୟୋତି ଯାତ୍ରା’, ‘ନମୋ ସେବା ଗାଥା’, ‘ସ୍ୱପ୍ନର ଭାରତ’, ‘ପରିବର୍ତ୍ତନର କାହାଣୀ’, ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’, ବୃକ୍ଷରୋପଣ ଓ ରକ୍ତଦାନ ଶିବିର ପରି ଅନେକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
‘ସେବା ସଂକଳ୍ପ ଅଭିଯାନ’ ଅବସରରେ ୧୭ ତାରିଖ ଦିନ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ସେଦିନ ସକାଳେ କିମ୍ବା ସନ୍ଧ୍ୟାରେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଗୋଟିଏ ଆଶୀର୍ବାଦର ଦୀପ ପ୍ରଜ୍ଜଳିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ‘ଯଦି ଆପଣ କୌଣସି ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀ, ତେବେ ନିଜର ଶୁଭେଚ୍ଛା ବାର୍ତ୍ତା ସହ ମୋଦୀଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ । ସେହି ସୁନ୍ଦର ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ୍ କରି ସେଆର୍ କରନ୍ତୁ’ ବୋଲି ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ଜରିଆରେ ଅନୁରୋଧ କରିଛନ୍ତି ।