ଭୁବନେଶ୍ୱର: ଆଳୁ ପିଆଜଠାରୁ ଡାଲି, ଚିନି ପର୍ଯ୍ୟନ୍ତ । ଅତ୍ୟାବଶ୍ୟକ ଖାଉଟୀ ସାମଗ୍ରୀର ଦର ଗରିବ ଲୋକଙ୍କ ପାଇଁ ଆକାଶଛୁଆଁ ହୋଇଛି । ଗ୍ୟାସ୍, ପେଟ୍ରୋଲ, ଡିଜେଲ ଦରବୃଦ୍ଧିରେ ସାଉଁଟି ହେଉଥିବା ଲୋକଙ୍କ ଉପରେ ପନିପରିବା ଏବଂ ତେଜରାତି ସାମଗ୍ରୀର ଦରବୃଦ୍ଧି ସମ୍ପୂର୍ଣ୍ଣ ଭାରୀ ପଡ଼ିଯାଇଛି । ଯେମିତି କି ଆଳୁ ୨୦, ପିଆଜ ୨୫, ପୋଟଳ ୮୦ରୁ ୧୦୦, ବାଇଗଣ ୫୦, କାକୁଡ଼ି ୫୦ରୁ ୬୦, ଗାଜର ୮୦, କଲରା ୬୦ରୁ ୮୦, ଚିନି ୫୫ରୁ ୬୦, ଅଟା ୪୦, ସୁଜି ୪୫, ଚୂଡ଼ା ୪୫ ଇତ୍ୟାଦି । ବଜାରରୁ ହଜାର ଟଙ୍କାର ସାମଗ୍ରୀ କିଣିଲେ ବ୍ୟାଗ୍ ଅଧା ବି ପୂରୁନି । ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ପାଇଁ ଦରଦାମ କଷ୍ଟ କେବଳ ଦିନେ ଓଳିର କଥା ନୁହେଁ । ମାସ ମାସ ଧରି ସେମାନେ ଏହି କଷ୍ଟରେ ଘାଣ୍ଟି ହେଉଛନ୍ତି । ଦିନସାରା ଖଟି ଖଟି ଯାହା ରୋଜଗାର, ଖାଇବା ଖର୍ଚ୍ଚକୁ ବି ନିଅଣ୍ଟ ପଡ଼ିଲାଣି ।
କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟରେ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ହେବାର ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି । ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ୫.୫ % ଛୁଇଁଛି । ଦେଶର ହାର ୪.୮୨% ତୁଳନାରେ ଏହା ୦.୭୦% ଅଧିକ । ଅର୍ଥାତ ଦେଶର ଗ୍ରାହକମାନଙ୍କ ତୁଳନାରେ ଓଡ଼ିଶାର ଗ୍ରାହକମାନେ ବିଭିନ୍ନ ଜିନିଷକୁ ଅଧିକ ଦାମ୍ ଦେଇ କିଣୁଛନ୍ତି । ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ତେଲେଙ୍ଗାନା ୬.୨୭%, ତାମିଲନାଡୁ ୫.୯୨%, ମଧ୍ୟପ୍ରଦେଶ ୫.୫୫%, ଆନ୍ଧ୍ର ପ୍ରଦେଶ ୫.୫୩% ରହିଛି ।
ଗତ ଜାନୁଆରିରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୯୫ % ରହିଥିଲା । ଜୁଲାଇରେ ଏହା ୪.୮୩ % ଥିଲା ବେଳେ ଅଗଷ୍ଟରେ ୦.୬୯ % ବୃଦ୍ଧି ହୋଇଛି । ୨୦୨୬ ଜାନୁଆରି ପରଠାରୁ ରାଜ୍ୟର ମୁଦ୍ରାସ୍ଫୀତିରେ ୧.୮୭ % ବୃଦ୍ଧି ହୋଇସାରିଲାଣି । ଏହି ବୃଦ୍ଧି ଦେଶରେ ସର୍ବାଧିକ ବୋଲି ତଥ୍ୟରୁ ଜଣାପଡ଼ିଛି ।
ଓଡ଼ିଶା ବଜାରରେ ମହଙ୍ଗା ମାଡ଼କୁ ନେଇ ରାଜନୈତିକ ପ୍ରତିକ୍ରିୟା ଆସିଛି । ରାଜ୍ୟ ସରକାରଙ୍କ ଅଦୂରଦୃଷ୍ଟିତା ଏବଂ ପରିଚାଳନାଗତ ବିଫଳତା ପାଇଁ ଖାଉଟି ହନ୍ତସନ୍ତ ହେଉଥିବା ବିରୋଧୀ ଦଳ ସମାଲୋଚନା କରିଛନ୍ତି । ବେକାରୀ ସାଙ୍ଗକୁ ଦରବୃଦ୍ଧି ସମସ୍ୟାର ସମାଧାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଉଭୟ ବିଜେଡି ଓ କଂଗ୍ରେସ କହିଛନ୍ତି । ଗରିବ ଲୋକ କେବଳ ଲୁଣ ପଖାଳ ଖାଇ ବଞ୍ଚିବା କଥା ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ବିଜେପି କିନ୍ତୁ ଏହାକୁ ରାଜନୈତିକ ଆରୋପ କହି ଆକ୍ଷେପ କରିଛି । ରାଜ୍ୟରେ ବନ୍ୟା ଯୋଗୁଁ ସାମଗ୍ରୀ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବ ବଜାର ଉପରେ ପଡ଼ିଛି । ଏହା ସାମୟିକ ବୋଲି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ।