ଭୁୁବନେଶ୍ୱର: ଆଉ ନାହାନ୍ତି ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମାହାପାତ୍ର । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟା ୯.୧୫ ମିନିଟରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଡାକ୍ତର ମହାପାତ୍ରଙ୍କ ମୃତ୍ୟୁ ଚିକିତ୍ସା ଜଗତକୁ ଅପୂରଣୀୟ କ୍ଷତି ଆଣିଛି । ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।
ଡାକ୍ତର ମହାପାତ୍ର ମସ୍ତିଷ୍କ ଦୂରାରୋଗ୍ୟରେ ପୀଡ଼ିତ ହୋଇ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ଅକ୍ଟୋବର ୨ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ଅବସ୍ଥା ଅଧିକ ବିଗିଡ଼ି ସଙ୍କଟାପନ୍ନ ଅବସ୍ଥାକୁ ଚାଲି ଆସିଥିଲା । ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା ।
ଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ଡାକ୍ତର ମହାପାତ୍ର । ଭୁବନେଶ୍ୱର ଏମ୍ସର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ । ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ୨୦୧୭ରେ ଯୋଡା ମୁଣ୍ଡ ଜଗା ବଳିଆଙ୍କର ସେ ବିରଳ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଥିଲେ । ୨୦୨୪ରେ ସେ ଭାରତବର୍ଷର ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।
ଭୁୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟର ସେ କୁଳପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସୋଆ ବିଶ୍ୱବିଦ୍ୟାଳୟର ହେଲଥ୍ ସାଇନ୍ସର ସେ ପ୍ରଧାନ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଶହ ଶହ ଗବେଷଣାତ୍ମକ ନିବନ୍ଧ ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିିତ ହୋଇଛି ।
ଜଣେ ଅମୂଲ୍ୟ ରତ୍ନକୁ ଆଜି ହରାଇ ଦେଇଛି ଆମ ରାଜ୍ୟ । ଅନ୍ତର୍ଜାତୀୟସ୍ତରର ସେ କେବଳ ଜଣେ ସ୍ନାୟୁଶଲ୍ୟ ବିଶେଷଜ୍ଞ ନ ଥିଲେ, ବରଂ ଜଣେ ଭଲ ମଣିଷ ଥିଲେ । ତାଙ୍କର ସ୍ନେହ ଆଦର ରୋଗୀମାନଙ୍କୁ ସୁସ୍ଥ କରିବାରେ ସହାୟକ ହେଉଥିଲା ।
ଡାକ୍ତର ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗ ସମଗ୍ର ଓଡ଼ିଶା ତଥା ଭାରତ ପାଇଁ ଅପୂରଣ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି ।