ଭୁୁବନେଶ୍ୱର: ଆଉ ନାହାନ୍ତି ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମାହାପାତ୍ର । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟା ୯.୧୫ ମିନିଟରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ପ୍ରଫେସର ମହାପାତ୍ରଙ୍କ ମୃତ୍ୟୁ ଚିକିତ୍ସା ଜଗତକୁ ଅପୂରଣୀୟ କ୍ଷତି ଆଣିଛି । ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।
ଦେଶର ଅନ୍ୟତମ ପ୍ରତିଷ୍ଠିତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସୁପରିଚିତ ପ୍ରଫେସର ମହାପାତ୍ର ଗ୍ଲିଓବ୍ଲାଷ୍ଟୋମା ନାମକ ଏକ ଜଟିଳ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା ଏବଂ ଅକ୍ଟୋବର ୫ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଓ ଏକମାତ୍ର କନ୍ୟା ଉପସ୍ଥିତ ଥିଲେ।
ପ୍ରଫେସର ମହାପାତ୍ର ନୂଆଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନ (ଏସ୍ଜିପିଜିଆଇଏମ୍ଏସ୍)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।
ଓଡ଼ିଶାରେ ଉନ୍ନତ ଚିକିତ୍ସା ସେବା ଓ ଡାକ୍ତରୀ ଶିକ୍ଷାର ବିକାଶ ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଏବଂ ଏହାର ପ୍ରଥମ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।
ଅବସର ଗ୍ରହଣ ପରେ ସେ ସୋଆ ଅଧୀନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପରାମର୍ଶଦାତା (ମେଡିକାଲ ସାଇନ୍ସେସ୍) ଭାବେ ଯୋଗ ଦେଇଥିଲେ। ୨୦୨୦ ମସିହାରେ ସେ ସୋଆର କୁଳପତି ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଦୁଇ ବର୍ଷ ଧରି ଏହି ପଦବୀରେ କାର୍ଯ୍ୟ କରିଥିଲେ। କୁଳପତି ପଦରୁ ଅବ୍ୟାହତି ପରେ ସେ ବିଶ୍ୱବିଦ୍ୟାଳୟର ପ୍ରମୂଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ ନିଜର ମାର୍ଗଦର୍ଶନ ଜାରି ରଖିଥିଲେ।
ସ୍ନାୟୁଶଲ୍ୟ ଚିକିତ୍ସା, ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଅନେକ ଯୁବ ଡାକ୍ତର ଓ ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କୁ ସେ ମାର୍ଗଦର୍ଶନ ଦେଇଥିଲେ।
ପ୍ରଫେସର ମହାପାତ୍ରଙ୍କ ମରଶରୀର ମଙ୍ଗଳବାର ଭୁବନେଶ୍ୱରକୁ ଅଣାଯିବ ଏବଂ ଏଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ଡାକ୍ତର ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗ ସମଗ୍ର ଓଡ଼ିଶା ତଥା ଭାରତ ପାଇଁ ଅପୂରଣ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି ।
ଅନନ୍ୟ କୃତିତ୍ୱର ଅଧିକାରୀ
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ପରିଚିତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଚିକିତ୍ସା ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା ପ୍ରଶାସନ କ୍ଷେତ୍ରରେ ନିଜର ଅସାଧାରଣ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ଜ୍ଞାନ, ଦକ୍ଷତା, ନିଷ୍ଠା ଓ ଦୂରଦୃଷ୍ଟି ଭାରତୀୟ ଚିକିତ୍ସା ଜଗତରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି।
ପ୍ରଫେସର ମହାପାତ୍ର ଦୀର୍ଘବର୍ଷ ଧରି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଅନେକ ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇ ନିଜର ଅସାଧାରଣ ଚିକିତ୍ସା ଦକ୍ଷତାର ପରିଚୟ ଦେଇଥିଲେ।
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ୨୦୨୪ ମସିହାରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପ୍ରଦାନ କରିଥିଲେ।
୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ।
୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସରେ ଓଡ଼ିଶାର ଯମଜ ଶିଶୁ ଜଗା ଓ କାଳିଆଙ୍କୁ ପୃଥକ୍ କରିବା ପାଇଁ ଦୀର୍ଘ ୧୬ ଘଣ୍ଟା ଧରି ଚାଲିଥିବା ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇ ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ। ମୁଣ୍ଡ ଯୋଡ଼ି ହୋଇ ଜନ୍ମ ନେଇଥିବା ଏହି ଦୁଇ ଶିଶୁଙ୍କୁ ସଫଳତାର ସହ ପୃଥକ୍ କରିବା ଭାରତୀୟ ଚିକିତ୍ସା ଇତିହାସର ଏକ ସ୍ମରଣୀୟ ଘଟଣା ଭାବେ ପରିଗଣିତ ହୋଇଥିଲା।
ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ମହାପାତ୍ର ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ଲାଭ କରିଥିଲେ। ପରେ ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନୂଆଦିଲ୍ଲୀ ଏମ୍ସରେ ଉଚ୍ଚତର ପ୍ରଶିକ୍ଷଣ ଓ ଦକ୍ଷତା ହାସଲ କରିଥିଲେ।
ଗବେଷଣା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ସେ ୧୦୦ରୁ ଅଧିକ ବୈଜ୍ଞାନିକ ଗବେଷଣା ପ୍ରବନ୍ଧ ରଚନା କରିଥିବା ବେଳେ ତାଙ୍କର ଗବେଷଣା ଓ ଶୈକ୍ଷିକ କୃତିତ୍ୱ ଜାତୀୟ ଏବଂ ଆନ୍ତର୍ଜାତୀୟ ଡାଟାବେସ୍ରେ ସ୍ଥାନ ପାଇଛି।
ତାଙ୍କୁ ୨୦୦୮ ମସିହାରେ ଡଃ ବି.ସି. ରାୟ ଜାତୀୟ ପୁରସ୍କାର ଏବଂ ୨୦୨୨ ମସିହାରେ ସି.ଭି. ରମଣ ପୁରସ୍କାର ଫର୍ ସାଇଣ୍ଟିଫିକ୍ ଏକ୍ସଲେନ୍ସ ସମେତ ଅନେକ ସମ୍ମାନଜନକ ପୁରସ୍କାର ଓ ସ୍ୱୀକୃତି ମିଳିଥିଲା।
ଚିକିତ୍ସା ବିଜ୍ଞାନରେ ଅସାଧାରଣ ପାରଦର୍ଶିତା, ଗବେଷଣା ପ୍ରତି ନିଷ୍ଠା, ସ୍ୱାସ୍ଥ୍ୟସେବା ପ୍ରଶାସନରେ ଦକ୍ଷତା ଏବଂ ଅନେକ ଯୁବ ଡାକ୍ତରଙ୍କୁ ମାର୍ଗଦର୍ଶନ ଦେବାରେ ତାଙ୍କର ଅବଦାନ ତାଙ୍କୁ ଚିକିତ୍ସା ଜଗତରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିଛି। ତାଙ୍କର ଜୀବନ ଓ କର୍ମ ଆଗାମୀ ପିଢ଼ିର ଡାକ୍ତର, ଗବେଷକ ଓ ଚିକିତ୍ସା ବିଜ୍ଞାନର ଛାତ୍ରଛାତ୍ରୀଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ।