ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ପୁଣି ଏକ ଅଦଳବଦଳ କରିଛନ୍ତି । ୧୯୯୫ ବ୍ୟାଚ୍ ର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଓଏସଡି ଭାବରେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା କେବିକେ ମୁଖ୍ୟ ପ୍ରଶାସକ ଭାବେ ସେ କାର୍ଯ୍ୟ କରୁଥିଲେ । ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ନିଯୁକ୍ତି ଦେଇ ରାଜ୍ୟ ସରକାର ତାଙ୍କର କ୍ଷମତା ଚ୍ଛେଦନ କରିଛନ୍ତି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଭାଗର କମିସନର ତଥା ଶାସନ ସଚିବ ଗିରିଶ ଏସ୍.ଏନ୍ ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେଠାରେ ଥିବା ଶ୍ରୀମତୀ ଅଶ୍ୱତୀ ଏସ୍ ଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏସଆଇଟିଆଇ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀମତୀ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।