ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଯାଇ ରାଜ୍ୟ ସରକାରଙ୍କ ପ୍ରମୁଖ ଶିକ୍ଷା ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବାବେଳେ ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ ରହିଛି। ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ବିଦ୍ୟାଳୟ ନିର୍ମାଣ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୁଦାୟ ୧୪ କୋଟି ବ୍ୟୟରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସର ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ବୈଷୟିକ ବାଣିଜ୍ୟିକ ପ୍ରତିଷ୍ଠାନର ମଧ୍ୟ ଆଜି ଶିଳାନ୍ୟାସ ହୋଇଛି । ପ୍ରାୟ ୫.୫୧ ଏକର ଜମି ଓ ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫ ମହଲା ବିଶିଷ୍ଟ ଟେକ୍-ବିଜନେସ୍ ପାର୍କ୍ ଉତ୍ତର ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିସହିତ ଧରଣୀଧର ମେଡିକାଲ କଲେଜ ପରିସରରେ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ‘ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର’ ଲୋକାର୍ପିତ ହୋଇଛି, ଯେଉଁଠାରେ ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ ଶିକ୍ଷାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ୫୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ କେନ୍ଦୁଝର ଠାରେ ଏକ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଘୋଷଣା କରିଥିଲେ। ଏହା ବ୍ୟତୀତ ୧୦ କୋଟି ଟଙ୍କାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨ କୋଟି ଟଙ୍କାରେ ମଡୁଲାର୍ ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୋଲିସ ଆଉଟପୋଷ୍ଟ ଏବଂ ୩୦-ଜଣିଆ ବାରାକ୍ ମଧ୍ୟ ଲୋକାର୍ପିତ ହୋଇଛି।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଟ ୧୨୯୨ କୋଟି ଟଙ୍କାର ବ୍ୟୟରେ ୩୩୦ଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ପ୍ରାୟ ୪୧୨ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮୮୦ କୋଟିରୁ ଅଧିକ ମୂଲ୍ୟର ୧୩୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ରାଜ୍ୟସ୍ତରୀୟ ସମାରୋହରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଡକ୍ଟର ମୁକେଶ ମହାଲିଙ୍ଗ, ଗଣେଶ ରାମ ସିଂହ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏବଂ କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।