ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ ରାଜଧାନୀର ଗାନ୍ଧୀମାର୍ଗରେ ନିଜର ହକ୍ ପାଇଁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ଜୀଅନ୍ତା ଶବ ସାଜି ପ୍ରତିବାଦ ଜଣାଇଛନ୍ତି ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ଓ ଠିକା କର୍ମଚାରୀ ମିଳିତ ମଞ୍ଚ । ଦେହରେ କୋକେଇ କପଡ଼ା ଘୋଡ଼ିହୋଇ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାକିରି ସୁରକ୍ଷା ଓ ଛଟେଇ କର୍ମଚାରୀଙ୍କ ପୁନଃନିଯୁକ୍ତି ଦାବିରେ ଏହି ଆନ୍ଦୋଳନ ହୋଇଛି ।
ଟିପିସିଓଡିଏଲ ଅଧୀନରେ ୯ଟି ଜିଲ୍ଲାରେ ଠିକାରେ କାମ କରୁଥିବା କର୍ମଚାରୀଙ୍କୁ କିଛି ମାସ ତଳେ ଚାକିରିରୁ ଛଟେଇ କରାଯାଇଛି । ଏହାର ପ୍ରତିବାଦରେ ଛଟେଇ କର୍ମଚାରୀଙ୍କ ଆନ୍ଦୋଳନ ୩୯ ଦିନରେ ପହଞ୍ଚିଛି । ଭୁବନେଶ୍ୱରରେ ପୂର୍ବରୁ ଚାଲିଥିବା ଆନ୍ଦୋଳନକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଦିଆଯାଇଥିଲା । ମାତ୍ର ଆନ୍ଦୋଳନକାରୀମାନେ ପୁଣି ଫେରିଛନ୍ତି । ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ଓ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ୫ ଦିନ ହେଲା ଗାନ୍ଧୀମାର୍ଗରେ ଧାରଣା ଦିଆଯାଇଛି । ଆଜି ଦାପାବଳିରେ ସେମାନେ ଧଳା କପଡ଼ା ଘୋଡ଼େଇ ଶବ ସାଜିଛନ୍ତି ଏବଂ ରାସ୍ତାରେ ଶୋଇ ପ୍ରତିବାଦ କରିଛନ୍ତି ।
ବିଦ୍ୟୁତ ସେବା ଭଳି ଏକ ଅତ୍ୟାବଶ୍ୟକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କ ଭବିଷ୍ୟତକୁ ପ୍ରଶ୍ନ ଉଠାଇଛି ମିଳିତ ମଞ୍ଚ । ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।