ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଟିକେ ଦେଖିବା ପାଇଁ ଲୋକଙ୍କର ଉତ୍ସାହ ଓ ବ୍ୟଗ୍ରତା ଯାଇନି । ତାଙ୍କୁ ମୁରବୀ ଭାବରେ ଲୋକଙ୍କର ଭରସା ମଧ୍ୟ ତୁଟି ନାହିଁ । ଗତକାଲି ଗଞ୍ଜାମର ବନ୍ୟା ପ୍ରଭାବିତ ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଗସ୍ତ କାଳରେ ଏଭଳି ଅନେକ ଦୃଶ୍ୟ ନବୀନଙ୍କ ଅତୁଟ ଲୋକପ୍ରିୟତାର ପ୍ରମାଣ ଦେଇଛି । ବିଭିନ୍ନ ଜାଗାରେ ମହିଳା ମାନେ ତାଙ୍କୁ ସାକ୍ଷାତ ଭଗବାନ ବୋଲି କହିବାକୁ ବି ପଛାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ହରାଇବାର କୋହ ସେମାନେ ସମ୍ଭରଣ କରିନାହାନ୍ତି । ନବୀନଙ୍କୁ ଶାସନଗାଦିରୁ ହଟାଇ ଭୁଲ୍ କରିଦେଇଛୁ ବୋଲି କିଛି ଲୋକ କ୍ୟାମେରା ଆଗରେ ବୟାନ ଦେଇଛନ୍ତି ।
ନବୀନଙ୍କ ପ୍ରତି ଦୁର୍ଦ୍ଦଶାଗ୍ରସ୍ତ ଗଞ୍ଜାମବାସୀଙ୍କର ଏହି ଆବେଗର ଚିତ୍ର ଆସିଥିଲା ବେଳେ ନବୀନଙ୍କର ପ୍ରତି-ଆବେଗ ମଧ୍ୟ ଦେଖିବାକୁ ମିଳିଛି । ଲୋକମାନଙ୍କର ଦୁର୍ଦ୍ଦଶା ଓ ତାଙ୍କ ପ୍ରତି ଏତେ ଭଲ ପାଇବା ଦେଖି ନବୀନଙ୍କ ଆଖିରୁ ଲୁହ ବାହାରିବାର ଫଟୋ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ପ୍ରସଙ୍ଗ ଓଡ଼ିଶା ରାଜନୀତିରେ ନିଆଁ ଲଗାଇ ଦେଲାଣି । ନବୀନଙ୍କ କ୍ରେଜ୍ ଓ ଲୋକପ୍ରିୟତାକୁ ନେଇ ବିଜେଡି ନେତା ଓ କର୍ମୀ ମହଲରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା ବେଳେ ଶାସକ ଦଳ ଏହାକୁ ପ୍ରାୟୋଜିତ କହି ସମାଲୋଚନା କରିବା ଆରମ୍ଭ କରିଛନ୍ତି ।
ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ଗସ୍ତକୁ ଦେଖି ଲାଗୁଥିଲା ଯେ ବନ୍ୟା କିମ୍ବା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଦେଖିବାକୁ ନୁହେଁ, ବରଂ ପ୍ରାୟୋଜିତ କର୍ମୀ ସମ୍ମିଳନୀ କରିବାକୁ ନବୀନ ଗସ୍ତ କରିଥିଲେ । ଯେଉଁ ସମୟରେ ଗଞ୍ଜାମର ଲୋକ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତିି, ସେ ସମୟରେ ତାଙ୍କ ସହିତ ଠିଆ ନ ହୋଇ ନିର୍ବାଚନର ଅଢ଼େଇ ବର୍ଷ ପରେ ଯାଇ ବୟାନବାଜି କରିବା ନିନ୍ଦାଜନକ ବିଷୟ ।