ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ୩୩ । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆସନ୍ତାକାଲି ଅବସର ଗ୍ରହଣ କରିବା ପରେ ୧୩ ଜଣ ବିଚାରପତିଙ୍କୁ ନେଇ କାର୍ଯ୍ୟ ଚାଲିବ । ଅର୍ଥାତ ଖାଲି ରହୁଛି ୨୦ ପଦ । ଯାହା ମୋଟ ପଦବୀର ୬୦.୬% । ଯେତେବେଳେ କି ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଖାଲି ପଦବୀର ହାର ଅଛି ୨୬% । ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦ ପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଆଜି ପତ୍ର ଲେଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ।
ଡ. ପାତ୍ର ଦର୍ଶାଇଛନ୍ତି ଯେ ୨୦୨୫ ମସିହାରେ ବଦଳି ଜରିଆରେ କିଛି ବିଚାରପତି ଓଡ଼ିଶା ହାଇକୋର୍ଟରେ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ଅବସର ଗ୍ରହଣ ଏବଂ ଅନ୍ୟତ୍ର ବଦଳି କାରଣରୁ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ଡିସେମ୍ବର ମାସରେ ୨୦ ଜଣରୁ ହ୍ରାସ୍ ପାଇ ୧୩ ରେ ପହଞ୍ଚିଛି । ନୂତନ ବିଚାରପତି ନିଯୁକ୍ତ ହେଲେ ନ୍ୟାୟାଳୟର କାର୍ଯ୍ୟକ୍ଷମତା ଯଥେଷ୍ଟ ବୃଦ୍ଧି ପାଇପାରିବ ।
ଚଳିତ ବର୍ଷ ଅଗଷ୍ଟ ମାସରେ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ହାଇକୋର୍ଟରେ ୧,୭୦,୩୪୭ ଟି ମାମଲା ବିଚାରାଧୀନ ରହିଛି । ସେଥିମଧ୍ୟରୁ ୩୮,୯୩୬ଟି ମାମଲା ଏକ ଦଶନ୍ଧିରୁ ଅଧିକ ସମୟ ଧରି ପଡ଼ି ରହିଛି । ବିଚାରପତି ପଦବୀ ପୂରଣକୁ ପ୍ରାଥମିକତା ଭିତ୍ତିରେ ବିଚାର କରିବା ପାଇଁ ସାଂସଦ ଡ. ପାତ୍ର ଆଇନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।