– ନରସାପୁର-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍
– ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା
– ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ମନ୍ଥର ଗତିରେ ଗତି କରୁଥିବା ବାତ୍ୟା ‘ଅକଭାନ୍’ ତାର ଗତିପଥ ବଦଳାଇଛି । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହୋଇଛି । ୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ପୁରୀ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ବିଶେଷକରି କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୯୦ରୁ ୧୦୦ କିମି ଏବଂ ଝଟକା ପବନର ବେଗ ୧୧୦ କିମି ରହିବ । ତେବେ ବାତ୍ୟା ଆଉ ଅଧିକ ତୀବ୍ର ହେବାର ସମ୍ଭାବନା ନାହିଁ ।
ବାତ୍ୟା ‘ଅକଭାନ୍’ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆକଳନ କରିଛନ୍ତି । ୧୯ ଓ ୨୦ ତାରିଖ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ବେଶୀ ବର୍ଷା ହେବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀରେ ଅତ୍ୟନ୍ତ ପ୍ରବଳ ବର୍ଷିପାରେ । ଏହିସବୁ ଜିଲ୍ଲାରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ଲ୍ୟାଣ୍ଡଫଲ୍ ପରେ ଭୀଷଣ ବାତ୍ୟା ଶୀଘ୍ର ଦୁର୍ବଳ ହେବ ।
ବାତ୍ୟା ପାଇଁ ୬ ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ।