ଭୁବନେଶ୍ୱର: ବାତ୍ୟା ‘ଅକୱାନ’ର ସଫଳ ମୁକାବିଲା ଉପରେ ଗୁରୁତ୍ୱାରୋପ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠିତ ବାତ୍ୟା ମୁକାବିଲା ଟିମ୍ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖଛନ୍ତି । ବାତ୍ୟା ସମ୍ୱେଦନଶୀଳ ଜିଲ୍ଲା ଗୁଡିକ ଦାୟିତ୍ୱରେ ଥିବା ବରିଷ୍ଠ ବିଜେଡି ନେତା ମାନେ ଜିଲ୍ଲା ପ୍ରଶାସନ ଗ୍ରହଣ କରୁଥିବା ପଦକ୍ଷେପ ଅନୁଧ୍ୟାନ କରିଥିଲେ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରସାଶନ ସହ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।
ଗତ ଅଢେଇ ବର୍ଷର ଶାସନ କାଳରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନାରେ ବାରମ୍ବାର ବିଫଳ ହେଉଛନ୍ତି । ବାତ୍ୟା ଅର୍ଣ୍ଣବ ପରିଚାଳନାରେ ଖାମଖିଆଲି ମନୋଭାବ ଯୋଗୁଁ ରାଜ୍ୟ ସରକାର ବ୍ୟାପକ ବିଫଳତା ହାସଲ କରି ବିଭିନ୍ନ ବର୍ଗ ଦ୍ୱାରା ତୀବ୍ର ସମାଲୋଚନା ହୋଇଛନ୍ତି । ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ନେଇ ବିଜେଡି ଟିମ୍ ଗଠନ କରିଛନ୍ତି ।
ଏହିକ୍ରମରେ ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ତାଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ । ଉକ୍ତ ପ୍ରତିନିଧି ଦଳ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିର ସମୀକ୍ଷା କରିବା ସହିତ ବାତ୍ୟା ମୁକାବିଲା ପାଇଁ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।
ସେହିପରି ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବ୍ରହ୍ମପୁରରେ ପହଞ୍ଚି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ବିଜେଡି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିପର୍ଯ୍ୟୟ ସମୟରେ ସଜାଗ ଓ ସତର୍କ ରହିବା ସହ ଜନସାଧାରଣଙ୍କୁ ସହାୟତା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ତୁମ୍ଭନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀ ପ୍ରତାପ ଜେନା ସମସ୍ତଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ୱନ କରିବା, ପରିସ୍ଥିତି ଉପରେ ନଜର ରଖିବା ଓ ଜନସାଧାରଣଙ୍କ ସହ ରହି ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ଅନୁରୋଧ କରିଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ ସଭାପତି ସୁଦାମ ମାରାଣ୍ଡି ବାଲେଶ୍ୱର ଜିଲ୍ଲାର ‘ଅକୱାନ୍’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ବାଲେଶ୍ୱର ଜିଲ୍ଲାରେ ରିଲିଫ୍, ଉଦ୍ଧାର ଓ ଜନସାଧାରଣଙ୍କୁ ସହାୟତା କାର୍ଯ୍ୟର ତଦାରଖ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜନସାଧାରଣଙ୍କ ଜୀବନ ସୁରକ୍ଷା ଓ ଦୁର୍ଦ୍ଦଶା ହ୍ରାସ ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା, ଶୁଭେନ୍ଦୁ ମଙ୍ଗରାଜ, ତାପସ ପାଣିଗ୍ରାହୀ ଓ ହରେକୃଷ୍ଣ ସାହୁଙ୍କ ସମେତ ଦଳୀୟ ନେତା ଓ ପଦାଧିକାରୀ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ସ୍ଥିତି ତଦାରଖ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକ ସମ୍ୱେଦନଶୀଳ ଅଞ୍ଚଳ ମହାକାଳପଡ଼ାରେ ପହଞ୍ଚି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ
ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳୀୟ ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ସହ ବୈଠକ କରି ଆବଶ୍ୟକ ପ୍ରସ୍ତୁତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି ସୁଚାରୁ ଭାବେ ସମ୍ପାଦିତ ହେବ, ସେଥିପାଇଁ ସମନ୍ୱୟ ରଖି କାର୍ଯ୍ୟ କରିବ ବୋଲି ବିଜେଡି କହିଥିଲା ।
କନ୍ଧମାଳ ଜିଲ୍ଲାର ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ଭୂସ୍ଖଳନ ଅଞ୍ଚଳର ସ୍ଥିତି ତଦାରଖ କରିବା ସହ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିଥିଲେ । ପରିସ୍ଥିତି ଉପରେ ନଜର ରଖି ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।
ଏହି ବିପଦ ସମୟରେ ଓଡ଼ିଶାବାସୀଙ୍କ ପାଖରେ ଦୃଢ଼ ଭାବେ ଠିଆ ହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବିଜୁ ଜନତା ଦଳ ପ୍ରତିବଦ୍ଧ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ସଫଳ ବିପର୍ଯ୍ୟୟ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା । ବିପର୍ଯ୍ୟୟ ସମୟରେ ସର୍ବଦା ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦିଆଯାଇଥିଲା । ବର୍ତ୍ତମାନ ମଧ୍ୟ ଜନସାଧାରଣଙ୍କ ଅମୂଲ୍ୟ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଜେଡି ବଦ୍ଧପରିକର ହୋଇ କାର୍ଯ୍ୟଧାରା ଜାରି ରଖିଛି । ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ସମ୍ୱେଦନଶୀଳ ଜିଲ୍ଲାରେ ବିଜେଡି ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନଙ୍କ ସହ ବାରମ୍ବାର ଆଲୋଚନା କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ବାତ୍ୟା ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନହାନି ହେଉଛି ।