ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଐତିହାସିକ ‘ବୋଇତ ବନ୍ଦାଣ ଉତ୍ସବ’ ତଥା ପାରାଦୀପ ବନ୍ଦର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପାରାଦୀପ ବନ୍ଦର ପରିସରରେ ଆୟୋଜିତ ସମାରୋହରେ ଯୋଗଦେଇ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାମ୍ପ୍ରତିକ ଶିଳ୍ପ ଅଭିବୃଦ୍ଧି ଏବଂ ଭବିଷ୍ୟତର ସାମୁଦ୍ରିକ ଭିତ୍ତିଭୂମି ବିକାଶ ଉପରେ ବିସ୍ତୃତ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁଞ୍ଜି ନିବେଶ, ବନ୍ଦର କ୍ଷମତା ଓ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟକୁ ପୁଞ୍ଜି ନିବେଶର ହବ୍ ଭାବେ ଗଢ଼ି ତୋଳିବା ପାଇଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସମେତ ସିଙ୍ଗାପୁର ଓ ୟୁଏଇ ଭଳି ଦେଶ ଓ ସହରକୁ ଯାଇ ନିବେଶ ଆକର୍ଷଣ କରାଯାଇଛି। ମୋଟ ୨୩.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟରୁ ୩.୫ ଲକ୍ଷ କୋଟି ଟଙ୍କାର ୨୦୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ ୨.୬୫ ଲକ୍ଷ କୋଟି ଟଙ୍କାର ୧୪୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୮୫ ହଜାର କୋଟି ଟଙ୍କାର ୫୫ଟି ପ୍ରକଳ୍ପର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨.୮୩ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଏହାର ଏକ ସିଂହଭାଗ ପାରାଦୀପ ଅଞ୍ଚଳକୁ ଆସିଥିବାରୁ ଆଗାମୀ କିଛି ବର୍ଷରେ ପାରାଦୀପ ସମଗ୍ର ଦେଶର ଏକ ଅଗ୍ରଣୀ ବ୍ୟବସାୟିକ ଓ ଔଦ୍ୟୋଗିକ ଅଞ୍ଚଳ ଭାବେ ପରିଗଣିତ ହେବ।
ନୀଳ ଅର୍ଥନୀତି, ଗ୍ରୀନ୍ ଏନର୍ଜି ଓ ହିତାଧିକାରୀଙ୍କ ଲାଭ ବନ୍ଦର ଭିତ୍ତିକ ଅଭିବୃଦ୍ଧି ଓ ନୀଳ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମର ବାହୁଦା ମୁହାଣରେ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର, ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଏବଂ ପୁରୀର ମଙ୍ଗଳା ନଦୀ ମୁହାଣ ନିକଟରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯିବ। ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପଗୁଡ଼ିକୁ ରପ୍ତାନୀ ବଜାର ସହ ଯୋଡ଼ିବା ପାଇଁ ପାରାଦୀପ ବନ୍ଦର ୭୯୭ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୪ ମିଲିଅନ ଟନ୍ କ୍ଷମତାର ଏକ ସ୍ୱତନ୍ତ୍ର ବର୍ଥ ଏବଂ ୪୦ ଏକର ଜମିରେ ଷ୍ଟୋରେଜ୍ ଫାସିଲିଟି ନିର୍ମାଣ କରିବ। ଏହା ସହିତ ପାରାଦୀପ, ଧାମରା ଓ ଗୋପାଳପୁର ସମେତ ରାଜ୍ୟର ଅନ୍ୟ ବନ୍ଦରଗୁଡ଼ିକର ଆଧୁନିକୀକରଣ ଦ୍ୱାରା ଖଣିଜ ପଦାର୍ଥ, ଇସ୍ପାତ ଓ ଆଲୁମିନିୟମ ସହ କୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଓ ହସ୍ତଶିଳ୍ପ ରପ୍ତାନୀ ବହୁଗୁଣିତ ହୋଇଛି।ଏହି ବୃହତ ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଦକ୍ଷ ଯୁବକମାନଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହେବା ସହିତ ସ୍ଥାନୀୟ ଶ୍ରମିକ, ବନ୍ଦର କର୍ମଚାରୀ, କୃଷକ, ମତ୍ସ୍ୟଜୀବୀ, ହସ୍ତଶିଳ୍ପ କାରିଗର, ପର୍ଯ୍ୟଟନ କ୍ଷେତ୍ରର ବ୍ୟବସାୟୀ ଏବଂ ଶିଳ୍ପ-ବାଣିଜ୍ୟ ଉଦ୍ୟୋଗୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ ହେବେ।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ, ଉପାଧ୍ୟକ୍ଷ ଟି. ଭେନୁଗୋପାଲ୍, ବନ୍ଦରର ବରିଷ୍ଠ ଅଧିକାରୀ, କର୍ମଚାରୀ, ଟ୍ରେଡ୍ ୟୁନିଅନ୍ କର୍ମକର୍ତ୍ତା, ପାରାଦୀପବାସୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।