କଟକ: ଐତିହାସିକ କଟକ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମହାନଦୀ ତଟରେ ଏକ ସୁସଜ୍ଜିତ ପାରମ୍ପରିକ ବୋଇତରେ ଯାତ୍ରା କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କର ଏହି ନିଆରା ଜଳଯାତ୍ରା ବାଲିଯାତ୍ରା ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
ଆଜିର ଏହି ସ୍ୱର୍ଣ୍ଣିମ ସନ୍ଧ୍ୟାରେ, ଐତିହାସିକ କଟକ ବାଲିଯାତ୍ରା ଆଉ ଏକ ନୂଆ ଇତିହାସ ସୃଷ୍ଟି କରିଛି। ବାଲିଯାତ୍ରାର ଇତିହାସରେ ଆଜି ପ୍ରଥମ ଥର ପାଇଁ ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଏହାକୁ ଉଦ୍ଘାଟନ କରିଛନ୍ତି।
ମାନନୀୟା ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତି ଆଜିର ଏହି ଉଦ୍ଘାଟନୀ ଉତ୍ସବକୁ ଅଧିକ ଦିବ୍ୟତା ଓ ଭବ୍ୟତା ପ୍ରଦାନ କରୁଛି । ଏହି ଅବସରରେ ମୁଁ ସାଢେ ଚାରି କୋଟି ଓଡିଶାବାସୀ, ବିଶେଷ କରି କଟକବାସୀଙ୍କ ପକ୍ଷରୁ ଆପଣଙ୍କୁ ହୃଦୟପୂର୍ଣ୍ଣ ସ୍ୱାଗତ କରୁଛି ଏବଂ କୃତଜ୍ଞତା ପ୍ରକାଶ କରୁଛି। ମାନନୀୟା ରାଷ୍ଟ୍ରପତି ମହୋଦୟା, ଆପଣଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ୨୦୨୬ ମସିହାର ବାଲିଯାତ୍ରାର ସ୍ମୃତି କେବଳ କଟକବାସୀ ନୁହନ୍ତି, ସାରା ଓଡିଶାବାସୀଙ୍କ ମନରେ ସବୁଦିନ ପାଇଁ ସାଇତି ହୋଇରହିବ।
Hon’ble Charge d-Affairs, Embassy of Indonesia Mr. Yudho Sasongko has graced this historic event. I am very pleased to welcome him from the bottom of my heart. Welcome Mr. Sasongko,In Odisha, whenever we talk about our ancient past, the first thing that comes to our mind is Indonesia. The stories of our past relationship with Indonesia are written in our hearts. We are so very happy to welcome you. Thank you for coming.
ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବ୍ରଜ ମୋହନ ରାମ ଜୀ, ଆଜି ପ୍ରଥମ ଥର ପାଇଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଁ ତାଙ୍କୁ ଏହି ଅବସରରେ ସ୍ୱାଗତ କରୁଛି। ଏହି ଅବସରରେ ଏଠାରେ ଉପସ୍ଥିତ କଟକ ସହରର ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜ ରାଜେଶ୍ଵର ବେଶରେ ମଧ୍ୟ ଦର୍ଶନ ଦେଉଛନ୍ତି। କଟକ ଜିଲ୍ଲାର ଆରାଧ୍ୟ ବାବା ଧବଳେଶ୍ଵର ମଧ୍ୟ ଏହି ପବିତ୍ର ଅବସରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅବସରରେ କଟକ ସହରବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବାବା ଧବଳେଶ୍ୱର ଓ ମା’ କଟକ ଚଣ୍ଡୀଙ୍କ ଆଶୀର୍ବାଦ କାମନା କରୁଛି।
ବନ୍ଧୁଗଣ,
ଆଜି ଆପଣମାନେ ଶିତୁଆ ପାହାନ୍ତାରେ ଆ କା ମା ବୈ ଗାନ ସହିତ ଡଙ୍ଗା ଭସାଇ ଆସିଥିବେ। କାର୍ତ୍ତିକ ପୂର୍ଣ୍ଣମୀ ସହିତ ବୋଇତ ବନ୍ଦାଣ ଉତ୍ସବ ଅଙ୍ଗାଙ୍ଗିଭାବେ ଜଡିତ। କାରଣ, ଏହି କାର୍ତ୍ତିକ ପୁର୍ଣ୍ଣିମା ଠାରୁ ସାଧବପୁଅମାନେ ମା’ ମଙ୍ଗଳାଙ୍କୁ ସୁମରଣା କରି ଦୁଃସାହସୀକ ଜଳଯାତ୍ରାରେ ବାହାରି ଥାଆନ୍ତି। ଅନେକେ ପଚାରିଥାନ୍ତି, ଯେ ବୋଇତ ତ ବାହାରୁ ଥିଲା ପାରାଦୀପ, ଅସ୍ତରଙ୍ଗ ପରି ବେଳାଭୂମିରୁ, କଟକର କ’ଣ ଅବଦାନ? ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଟକ ସହର ସେତେବେଳେ ଓଡିଶାର ନୌବାଣିଜ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। ଏହି କଟକ ସହରର ବିଭିନ୍ନ ସାହି, ଗଳି, ବସ୍ତିରେ ବୋଇତର ବିଭିନ୍ନ କାର୍ଯ୍ୟ ଯେପରିକି ବୋଇତ ନିର୍ମାଣ, ମରାମତି, ନଉକା ତଲେଇ ବା ପାଲ ବନଉ ଥିଲେ। ତେଣୁ, ଓଡିଶାର ନୌବାଣିଜ୍ୟ ସହିତ କଟକର ସମ୍ପର୍କ ଅତ୍ୟନ୍ତ ନିବିଡ।
ବନ୍ଧୁଗଣ,
ଆପଣମାନେ ଜାଣନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଅର୍ଥନୈତିକ ବିକାଶ ସହିତ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଏଥିପାଇଁ ସେ କହନ୍ତି – ବିକାଶ ଭି, ବିରାସତ୍ ଭି।
ମୋଦୀଜୀ ବୈଦେଶିକ ନେତୃବୃନ୍ଦ ମାନଙ୍କୁ ଭାରତର ପାରମ୍ପରିକ ଉତ୍ପାଦକୁ ଉପହାର ଦିଅନ୍ତି। ସେ ଚାହାନ୍ତି ଯେ, ଭାରତର ଐତିହ୍ୟକୁ ସାରା ବିଶ୍ୱ ଜାଣୁ। କଟକର ଐତିହାସିକ ତାରକସି କାମକୁ ବି ସେ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ୨୦୨୫ ଜି-୭ ସମିତରେ ସେ କାନାଡାର ଗଭର୍ଣ୍ଣର ଜେନେରାଲ୍ ମାରୀ ସାଇମନ୍ଙ୍କୁ କଟକ ରୁପା ତାରକସିର ଏକ ବୋଇତ ଉପହାର ଦେଇଥିଲେ। ଏ ବର୍ଷ ମେ ମାସରେ ମଧ୍ୟ ସେ ନରୱେ‘ର ରାଜାଙ୍କୁ ରୁପା ତାରକସିର ବୋଇତ ଉପହାର ଦେଇଥିଲେ। ଆମେ ଯେତେବେଳେ ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମର ଐତିହ୍ୟକୁ ଭୁଲି ଯାଉଛୁ, ମୋଦୀଜୀ ତାଙ୍କର କର୍ମବହୁଳ ଜୀବନ ମଧ୍ୟରେ ବି, ଭାରତର ଐତିହ୍ୟକୁ ନିରବରେ ବିଶ୍ୱର ପ୍ରତି ଦେଶରେ ପହଞ୍ଚାଇବାରେ ଲାଗି ରହିଛନ୍ତି। ଏଥିରେ ଓଡ଼ିଶାର ଐତିହ୍ୟ ଉପରେ ମଧ୍ୟ ସେ ଧ୍ୟାନ ରଖିଛନ୍ତି।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଜାଣିଛନ୍ତି ଗତ ବାର ବର୍ଷ ହେଲା ଦେଶରେ ପରିବର୍ତ୍ତନର ଏକ ଲହର ଆସିଛି। ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକଶିତ ଭାରତ ଆଡକୁ ଅଗ୍ରସର ହେଉଛି। ଗତ ଏକ ଦଶନ୍ଧିରୁ ଅଧିକ ବର୍ଷ ହେଲା ଦେଶ ମୋଦୀଜୀଙ୍କର ବଳିଷ୍ଠ ଓ ଦୁରଦୃଷ୍ଟି ସମ୍ପନ୍ନ ନୀତି ସହିତ ବିକାଶର ନୂତନ ସୋପାନ ଗୋଟିଏ ପରେ ଗୋଟିଏ ପାର୍ କରୁଛି। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ର ଯାତ୍ରାରେ ଓଡିଶା ଗତ ଅଢେଇ ବର୍ଷ ହେଲା ସାମିଲ ହୋଇଛି। ମୋଦୀଜୀଙ୍କର ପ୍ରଦତ୍ତ ମନ୍ତ୍ର, ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ବାସ ଓ ସବ୍କା ପ୍ରୟାସ’ରେ ଉଦବୁଦ୍ଧ ହୋଇ ଓଡିଶା ଆଜି ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି।
ବନ୍ଧୁଗଣ,
କଟକ ବାଲିଯାତ୍ରାକୁ UNESCO Intangible Cultural Heritage of Humanity ର ମାନ୍ୟତା ଦେବା ପାଇଁ ଆମର ଉଦ୍ୟମ ଜାରୀ ରହିଛି ।ଏହା ନିଶ୍ଚିତ ଭାବେ ଆମେ ହାସଲ କରିବୁ । ଗତ ବର୍ଷ, କଟକ ବାଲିଯାତ୍ରାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ଇଣ୍ଡୋନେସିଆ ସହିତ 14 ଟି ରାଷ୍ଟ୍ରର ମିଶନ୍ ହେଡ଼୍ ଏବଂ ତାଙ୍କ ପ୍ରତିନିଧିମାନେ ଆସିଥିଲେ । ଏବର୍ଷ ମଧ୍ୟ ଅନେକ ରାଷ୍ଟ୍ରରେ ପ୍ରତିନିଧି ଓ କଳାକାର ମାନେ ଆସିଛନ୍ତି। କଟକ ବାଲିଯାତ୍ରା ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସାଂସ୍କୃତିକ ଉତ୍ସବରେ ପରିଣତ ହୋଇଛି । ଆପଣଙ୍କ ସରକାର ରାଜ୍ୟର ପ୍ରତ୍ଯେକ ବର୍ଗର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟରତ। ମୁଁ ସବୁ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରୁନାହିଁ।
ମୋ ପ୍ରିୟ କଟକବାସୀ,
ହଜାର ବର୍ଷର ସହର କଟକର ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ୨୧୦ କୋଟି ଟଙ୍କା ବିନିଯୋଗରେ ମହାନଦୀ ରିଭର ଫ୍ରଣ୍ଟର ବିକାଶ କଟକକୁ ସାରା ଦେଶର ଏକ ଆକର୍ଷଣୀୟ ସହର ଭାବେ ବିକଶିତ କରିବ। DPR ସରିଛି ଖୁବ ଶୀଘ୍ର ଭିତ୍ତିପ୍ରସ୍ତର ଦିଆଯିବ । ଏହା ସହିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନର୍ବିକାଶ ଜାରି ରହିଛି। ଏହାର କେତକ ବ୍ଲକ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଆସିଲାଣି। ଖୁବ୍ ଶୀଘ୍ର ଏହା ଆପଣମାନଙ୍କ ସେବା ପାଇଁ ଲୋକାର୍ପିତ ହେବ।
ବାରବାଟୀ ଷ୍ଟାଡିୟମକୁ ମଧ୍ୟ ୬୦ ହଜାର ଦର୍ଶକ ବସିବା ଭଳି ଏକ ଆଧୁନିକ ଷ୍ଟାଡିୟମ ଭାବେ ବିକଶିତ କରାଯିବ। ଚଣ୍ଡୀ ମନ୍ଦିର’ର କୟାକଳ୍ପ ପ୍ରାୟ ସମାପ୍ତ ହୋଇଛି। ଆମେ ସମଗ୍ର ଉପକୂଳ ଅଞ୍ଚଳକୁ ଏକ ଅର୍ଥନୈତିକ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଯୋଜନା କରିଛୁ। ସେଥିପାଇଁ ପ୍ରସ୍ତୁତ ହୋଇଛି- ଭୁବନେଶ୍ୱର-କଟକ-ପୁରୀ- ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BKPPER. ଏଥିପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖୁବ ଶୀଘ୍ର କାମ ଆରମ୍ଭ ହେବ ।
କଟକ ଜିଲ୍ଲାରେ 32,252 କୋଟି ଟଙ୍କା ବିନିଯୋଗରେ 47ଟି ଶିଳ୍ପ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଛି । ଏହି 47 ଟି ପ୍ରକଳ୍ପ ମଧ୍ୟରୁ, 4ଟି ପ୍ରକଳ୍ପ ଉତ୍ପାଦନ ଆରମ୍ଭ କରିଥିବା ବେଳେ, 16ଟି ପ୍ରକଳ୍ପ ନିର୍ମାଣାଧୀନ ଅଛି । ବାକି 27 ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ । 8,300 କୋଟି ଟଙ୍କାରେ କଟକ୍ ଟାଙ୍ଗିରୁ ଖୋର୍ଦ୍ଧା ରାମେଶ୍ୱର ପର୍ଯ୍ୟନ୍ତ ୧୧୧ କିଲୋମିଟର କ୍ୟାପିଟଲ ରିଜନ୍ ରିଙ୍ଗ ରୋଡ (CRRR) ର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କଟକର ନରାଜ ପାଖରେ ୮୭୦ ଏକର ବିଶିଷ୍ଟ ଅଞ୍ଚଳରେ ଆମେ ଇଣ୍ଟେଲ ସହଯୋଗରେ ଓଡ଼ିଶା ସିଲିକନ୍ ଭ୍ୟାଲି ନିର୍ମାଣ କରିବୁ । ଏଥିରେ ୨୪ ହଜାର କୋଟି ଟଙ୍କା ବିନିଯୋଗରେ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ହେବ । ଓଡ଼ଶା ନିଶ୍ଚିତ ଭାବରେ ଦେଶର ଏକ ସେମି କଣ୍ଡକ୍ଟର ହବ୍ ରେ ପରିଣତ ହେବ।
ଧନ୍ୟବାଦ୍