ଭୁବନେଶ୍ୱର: ଓଡ଼ିଶା ଗଣମାଧ୍ୟମ ଜଗତ ପାଇଁ ଏକ ଦୁଃଖଦ ଖବର। ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କର ଆଜି ୫୯ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।
ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦଶନ୍ଧିର ଅଭିଜ୍ଞତା ଥିବା ସନ୍ତୋଷ ମହାପାତ୍ର ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ସମ୍ବାଦ, ଇଟିଭି ଓଡ଼ିଆ, ଓଟିଭି, ନ୍ୟୁଜ୍ ୱାର୍ଲ୍ଡ ଓଡ଼ିଶା (ବର୍ତ୍ତମାନର ନନ୍ଦିଘୋଷ ଟିଭି), କଳିଙ୍ଗ ଟିଭି, କନକ ନ୍ୟୁଜ୍ ଏବଂ ଦୈନିକ ଆଶା ଭଳି ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରି ନିଜର ଦକ୍ଷତାର ପରିଚୟ ଦେଇଥିଲେ।
ତାଙ୍କର ସୁମଧୁର ଓଜସ୍ୱୀ କଣ୍ଠସ୍ୱର, ଚମତ୍କାର ସ୍କ୍ରିପ୍ଟ ଲେଖିବାର ଦକ୍ଷତା, ଖବର ପରିବେଷଣର ସ୍ୱତନ୍ତ୍ର ଶୈଳୀ ତାଙ୍କୁ ସାମ୍ବାଦିକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ସହକର୍ମୀ ଓ ଯୁବ ସାମ୍ବାଦିକଙ୍କ ମଧ୍ୟରେ ସେ ଜଣେ ଅଭିଜ୍ଞ, ଦକ୍ଷ ଓ ଲୋକପ୍ରିୟ ସାମ୍ବାଦିକ ଭାବେ ପରିଚିତ ଥିଲେ।
ତାଙ୍କ ବିୟୋଗ ଓଡ଼ିଶାର ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସାମ୍ବାଦିକ, ସହକର୍ମୀ ଓ ଶୁଭେଚ୍ଛୁ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।