ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ କମ୍ ବ୍ୟାକ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ହେଲା ଦିନୁ ପ୍ରତି ସପ୍ତାହରେ ଓଡ଼ିଶାକୁ ନାଗୁଆ କରି ଆସୁଥିଲେ । ମିସନ୍ ୧୨୦ ରେ ସବୁ ଶକ୍ତି ଖଟାଉଥିଲେ । ମାତ୍ର ବିଜେପୁର ଗୋଟିଏ ଝଟକାରେ ତାଙ୍କର ସ୍ୱପ୍ନ ଓ ଦମ୍ଭ ଦୋହଲିଗଲା । ପରାଜୟ ଗ୍ଲାନିରେ ୨୦ ଦିନ ହେଲା ଓଡ଼ିଶା ମାଟି ମାଡୁ ନ ଥିଲେ । ଦିଲ୍ଲୀରେ ତାଗିଦ୍, ଓଡ଼ିଶାରେ ଟାହିଟାପରା ସମ୍ଭବତଃ ତାଙ୍କୁ ବିଚଳିତ କରିଥିଲା । ଏତିକିବେଳେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ତାଙ୍କର ଓଡ଼ିଶା ପ୍ରତ୍ୟାବର୍ତ୍ତନକୁ ‘ଆଳ’ କରିଦେଲା । ଏହି ଆଳ ଧରି ଆଜି ଧର୍ମେନ୍ଦ୍ର ଆସିଛନ୍ତି ଓଡ଼ିଶା । ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସେ ତାଙ୍କର ପୁରୁଣା ଫର୍ମୂଲା ଧରିଥିଲେ । ବିଜେପୁର ପରାଜୟର ଆତ୍ମଚିନ୍ତନ ପରିବର୍ତ୍ତେ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କୁ ଆଟାକରେ ସୀମିତ ରଖିଥିଲେ ଭାଷଣ ।
ଆଜି ଧର୍ମେନ୍ଦ୍ର ତାଙ୍କ ଭାଷଣରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ରଖିଥିଲେ । ବିଜେପୁର ଉପନିର୍ବାଚନ ଫଳର ଗଣିତ ଏବଂ କଂଗ୍ରେସ ସହ ବିଜେଡ଼ିର ଗୋପନ ବୁଝାମଣା । ବିଜେପୁର ନିର୍ବାଚନ ଗଣିତକୁ କେନ୍ଦ୍ରମନ୍ତ୍ରୀ ଅତ୍ୟନ୍ତ ସରଳ ଓ ସାବଲୀଳ ଢ଼ଙ୍ଗରେ ବୁଝାଇଥିଲେ । ପରାଜୟ ପରଠୁଁ ବିଜେପି ଘୋଷା କରିଥିବା ଥିଓରିକୁ ସେ ଆଉ ଟିକେ ବ୍ୟାଖ୍ୟା କରିଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପି ୩୦ ହଜାର ଭୋଟ ପାଇଥିଲା । ଏଥର ତାହା ୬୨ ହଜାର ହୋଇଯାଇଛି । ୧୫ ପ୍ରତିଶତ ଭୋଟ ୩୪ ପ୍ରତିଶତ ଭୋଟକୁ ବଢ଼ିଯାଇଛି କହି ଧର୍ମେନ୍ଦ୍ର ନିଜକୁ ନିଜେ ଖୁସି ହୋଇଥିଲେ, କର୍ମୀଙ୍କୁ ଖୁସି କରାଇବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ, ‘ଆପଣ ସାମନ୍ତବାଦର ପ୍ରତୀକ । ବିଜେପୁର ବିଜୟ ପାଇଁ ଆପଣଙ୍କର ଅହଂକାର ବଢ଼ିଯାଇଛି । ତେବେ ଲିଭିଲା ବେଳେ ଦ୍ୱୀପ ଜୋର୍ ଜଳେ । ମହାଶୟ ମୁଖ୍ୟମନ୍ତ୍ରୀ ୧୯କୁ ଅପେକ୍ଷା କର’ ବୋଲି ଧର୍ମେନ୍ଦ୍ର ଦୃଢ଼ ଚାଲେଂଜ ଦେଇଥିଲେ ।
ତାଙ୍କର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଥିଲା ମେଣ୍ଟ ରାଜନୀତି । ଅଣକଂଗ୍ରେସ ରାଜନୀତିକୁ ପାଥେୟ କରି ଲୋକଙ୍କ ସମର୍ଥନ ପାଉଥିବା ବିଜେଡ଼ି ରାଜନୈତିକ ସୁବିଧାବାଦ ପାଇଁ ଦୁର୍ନୀତିପୂର୍ଣ୍ଣ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ସହ ଲୁଚାଛପାରେ ବୁଝାମଣା ଆରମ୍ଭ କରିଛି । ଆଗକୁ ଏହା ଖୋଲାଖୋଲି ହେବ ବୋଲି ଧର୍ମେନ୍ଦ୍ର କହିଥିଲେ । ଧର୍ମେନ୍ଦ୍ରଙ୍କ ଏହି ଉକ୍ତିର ତାତ୍ପର୍ଯ୍ୟ ଥିଲା, ବିଜେପୁରରେ କଂଗ୍ରେସ ସହ ଭିତିରି ବୁଝାମଣା କରି ବିଜେଡ଼ି ନିର୍ବାଚନ ଜିତିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ବିଜେଡ଼ି କିଣିନେବାରୁ ବିଜେପି ପରାସ୍ତ ହୋଇଛି । ଆଗକୁ ସାଧାରଣ ନିର୍ବାଚନରେ ଏଭଳି ଆଶଙ୍କା କରିଛନ୍ତି ଧର୍ମେନ୍ଦ୍ର । ଅର୍ଥାତ୍ ‘୧୯କୁ ଅପେକ୍ଷା କର’ ବୋଲି ବିଜେଡ଼ିକୁ ଧମକ ଦେଇ ବିଜେପିକୁ ଜିତାଇବାର ଦମ୍ଭ ଦେଖାଉଥିବା ଧର୍ମେନ୍ଦ୍ର ମେଣ୍ଟ ଥିଓରି ଦେଖାଇ ବିଜେପୁର ଭଳି ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ଶୋଚନୀୟ ପରାସ୍ତ ହେବ ବୋଲି ଅନୁମାନ ଛାଡ଼ି ନିଜର ବକ୍ତବ୍ୟକୁ ନିଜେ କଣ୍ଟା୍ରଡିକ୍ଟ କରିଛନ୍ତି ।
ବିଜେପୁର ପରାଜୟ ପରେ ବିଜେପିର ମନବଳ ଭାଙ୍ଗିଯାଇଛି । ଏହି ‘ସକ୍’ ରୁ ମୁକୁଳିବା ପାଇଁ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ଆଳରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ କରିଥିଲା । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କର୍ମୀମାନଙ୍କୁ ଗାଡ଼ି ମଟର ଯୋଗେ ଅଣାଯାଇଥିଲା । ସହରର ବିଭିନ୍ନ ଜାଗାରୁ ଯୁବ କର୍ମୀମାନେ ମଟରସାଇକେଲ ରାଲିରେ ବିମାନବନ୍ଦର ଯାଏଁ ଆସିଥିଲେ । ଦିନ ୧୧ଟା ବେଳକୁ ବିମାନବନ୍ଦର ରାସ୍ତା ଗେରୁଆମୟ ହୋଇଯାଇଥିଲା । ଅପରାହ୍ନ ସାଢ଼େ ଗୋଟେରେ ଧର୍ମେନ୍ଦ୍ର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅନୁଗାମୀମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦରେ ଫାଟିଥିଲା ରାଜରାସ୍ତା । ପାଇକ ଆଖଡ଼ା, ଘୋଡ଼ା ନାଚ ଭିତରେ କର୍ମୀମାନେ ମସଗୁଲ୍ ହୋଇଯାଇଥିଲେ । ଧର୍ମେନ୍ଦ୍ରଙ୍କୁ ଧରି ବିରାଟ ପଟୁଆର ଯାଇଥିଲା ବିଜେପି ଅଫିସ । ‘ମୋଦି ଶାସନରେ ଓଡ଼ିଶା ସମ୍ମାନିତ’ ବ୍ୟାନରରେ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।