ଭୁବନେଶ୍ୱର: ଚଳିତବର୍ଷର ଦଶମ ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ପାସ୍ ହାର ରହିଛି ୭୬.୨୩% । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁଅମାନଙ୍କଠାରୁ ଝିଅଙ୍କ ସଫଳତା ହାର ଅଧିକ ରହିଛି । ୨ ଲକ୍ଷ ୨୨ ହଜାର ୪୩ ପାସ୍ କରିଥିବା ବେଳେ ୨ଲକ୍ଷ ୧୬ ହଜାର ୩୦୫ ଝିଅ ପାସ୍ କରିଛନ୍ତି । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ପାସ୍ ପ୍ରତିଶତ ଦେଖିଲେ ବିଗତ ୩ ବର୍ଷ ତୁଳନାରେ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଖରାପ ହୋଇଛି । ୨୦୧୪ ମସିହାରେ ପାସ୍ ହାର ୭୬.୨୩% ଥିଲା । ୨୦୧୫ରେ ପାସ୍ ହାର ଥିଲା ୮୨.୫୬% । ୨୦୧୬ରେ ୮୩% ଥିଲା ବେଳେ ଗତବର୍ଷ ଅର୍ଥାତ୍ ୨୦୧୭ରେ ପାସ୍ ହାର ଥିଲା ୮୫.୨୮% ।
ଚଳିତବର୍ଷ ୮,୮୫୫ ସ୍କୁଲରୁ ୫ ଲକ୍ଷ ୬୭ ହଜାର ୨୯୪ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ତେବେ ୫ ଲକ୍ଷ ୫୪ ହଜାର ୩୩୯ ଜଣ ପରୀକ୍ଷା ଦେଇଥିଲେ । ୧୭୧୫ ଜଣ ଏ୧ ଗ୍ରେଡ଼୍ ପାଇଥିଲା ବେଳେ ୧୫,୬୮୯ ଜଣ ଏ୨ ଗ୍ରେଡ଼୍, ୩୯,୨୫୨ ଜଣ ବି୧ ଗ୍ରେଡ୍, ୬୮ ହଜାର ୯ ଜଣ ବି୨ ଗ୍ରେଡ୍, ୯୭,୭୪୬ ଜଣ ସି ଗ୍ରେଡ୍ ଏବଂ ୧,୨୩,୭୬୩ ଜଣ ଡି ଗ୍ରେଡ୍ ପାଇଛନ୍ତି । ୪୨୯ ସ୍କୁଲର ଫଳ ଶତ ପ୍ରତିଶତ ଥିବା ବେଳେ ୩୬ ବିଦ୍ୟାଳୟରୁ ଜଣେ ବି ପାସ୍ କରିନାହାନ୍ତି । ୦.୩୯ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଗତବର୍ଷ ଏହି ବର୍ଗରେ ଥିଲେ ୦.୪୮ ପ୍ରତିଶତ ଛାତ୍ରଛାତ୍ରୀ । ଆଜି କଟକ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାୟରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ ।