ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ରାଗିକି ଫଁ ଫଁ ହଉଛନ୍ତି । ବେଶୀ ରାଗିଛନ୍ତି ଦେବୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ । ସାଙ୍ଗକୁ ପ୍ରଣବ ପ୍ରକାଶ(ବବି) ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କୁ ବି ଟାର୍ଗେଟ୍ କରିଛନ୍ତି । ରାଗିବାର କାରଣ, ମହାନଦୀ ପ୍ରସଙ୍ଗରେ ଏମାନେ ବେଶୀ ମାମଲତି ଦେଖୋଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଶିଖାଇ ତାଙ୍କୁ କୋଣଠେସା କରିଛନ୍ତି । ‘ମହାନଦୀକୂଳିଆ ଲୋକ ସେ । ମହାନଦୀ ଉପରେ ତାଙ୍କର ଜ୍ଞାନ ନାହିଁ ତ ଆଉ କାହାର ଅଛି ? ଯେଉଁମାନେ ମାମଲତି କରୁଛନ୍ତି ସେମାନେ ମହାନଦୀ ଉପରେ କିଛି ଜାଣନ୍ତି ? ଏଠି ଗୋଟେ ଡ୍ରାମା ଚାଲିଛି । ହୁଁଃ… ।’ ଯେଉଁ ମିଡ଼ିଆ ଲୋକଙ୍କୁ ଦେଖୁଛନ୍ତି ଏମିତି ବହେ ବର୍ଷୁଛନ୍ତି ଦାମ ।
ଖାଲି ମହାନଦୀରେ କଥା ଛିଣ୍ଡୋଉନାହାନ୍ତି । ମହାନଦୀରୁ କଥା ଆରମ୍ଭ କରି ଯାଇ ପହଞ୍ଚୁଛନ୍ତି ତାଙ୍କ ପୁଅ ପାଖରେ । ‘ମୋ ଟିକେଟ କାଟି ମୋ ପୁଅକୁ ଟିକେଟ ଦେବେ । ମତେ ପଚାରିବେନି ତ ? ଦେଖିବା ସେଠି କିଏ କେମିତି ଜିତିକି ଆସିବ ??’ ଆମ ବାପପୁଅ ଭିତରେ ଏମାନେ ଗଣ୍ଡଗୋଳ ପୂରୋଉଛନ୍ତି.. ନା.. । ଦେଖିବା ତମେ ସବୁ କେମିତି ରାଜନୀତି କରୁଛ ? କେତେବାଟ ଯିବ ??
ମହାନଦୀ ଓ ତାଙ୍କ ପୁଅକୁ ନେଇ ଦାମଙ୍କ ମନରେ ଏମିତି କ୍ଷୋଭ ଓ ରାଗ ସୃଷ୍ଟି କରିଛି । ରାଗରେ ତୁଣ୍ଡରୁ ବହୁତ କଥା ବାହାରିଯାଉଛି । ପ୍ରଥମତଃ ନବୀନ ନିବାସରେ ଜିଲ୍ଲା ସମୀକ୍ଷା ବୈଠକକୁ ତାଙ୍କୁ ଡକାଗଲା ନାହିଁ । ଦ୍ୱିତୀୟରେ ମହାନଦୀ ସଚେତନତା ଅଭିଯାନ ପ୍ରସ୍ତୁତିପର୍ବରେ ତାଙ୍କୁ ସାମିଲ କରାଯାଇନାହିଁ । ମନ୍ତ୍ରୀ ଓ ସାଂଗଠନିକ ପଦପଦବୀ ଗଲାପରଠୁ ରାଗରେ ଥିବା ଦାମଙ୍କୁ ଏହା ଆହୁରି ଅପମାନିତ କରିଛି । ରାଗିକି ନିଆଁବାଣ ହୋଇଛନ୍ତି । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ବିଚାରରେ ଦାମବାବୁ ଏତିକି ବୁଝିବା ଦରକାର ଯେ ତାଙ୍କ ପାଇଁ କ୍ଷମତା ରାଜନୀତିର ଯୁଗ ଶେଷ ହୋଇଯାଇଛି । ଯେତେ ଯାହା ଉପରେ ଝାଡ଼ିହେଲେ ବି ମୁଖ୍ୟମନ୍ତ୍ରୀଙ୍କର ଆସ୍ଥା ତାଙ୍କଠାରୁ ତୁଟିସାରିଛି । ମନ୍ତ୍ରୀପଦରେ ଥାଇ ସେ ସରକାରଙ୍କୁ ଅଡୁଆରେ ପକାଉଥିଲେ । ଏବେ କିଛି ନ ଥାଇ ଦଳ ଓ ସରକାରଙ୍କୁ ସମାଲୋଚନା କରୁଛନ୍ତି । ଏହା ତାଙ୍କ ପାଇଁ ଅଧିକ ବିପଦ ଡାକି ଆଣୁଛି ।
ବିଜେଡ଼ି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ମହାନଦୀ ମହାସଂଗ୍ରାମ ଅଭିଯାନରେ ଦାମଙ୍କୁ ଲୋଡାଯାଇନି କି ଲୋଡାଯିବ ନାହିଁ । ନେତୃତ୍ୱ ପ୍ରତି ଦାମଙ୍କ କଟାକ୍ଷ ଏବଂ ସମାଲୋଚନା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭୀଷଣ କ୍ଷୁବ୍ଧ କରିଛି । ଦାମଙ୍କୁ ସାମିଲ କରି ତାଙ୍କ ତୁଣ୍ଡ ବନ୍ଦ କରିବାକୁ କିଛି ନେତା ପ୍ରସ୍ତାବ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାହାକୁ ଗ୍ରହଣ କରିନାହାନ୍ତି ବୋଲି ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି । ଦାମବାବୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ବିଜେପିକୁ ଦାନା ଧରାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହୃଦବୋଧ କରିଛନ୍ତି । ଏଭଳି ନେତାଙ୍କୁ ଆଗରେ ରଖି ଦଳୀୟ କାର୍ଯ୍ୟ କରିବାକୁ ସେ ଚାହୁଁନାହାନ୍ତି । ଦଳର କିଛି ବରିଷ୍ଠ ନେତା ଦାମଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ ମଧ୍ୟ ତାଙ୍କ ତୁଣ୍ଡ ଦଳ ପାଇଁ ବିପଦ ଆଣୁଥିବା ସ୍ୱୀକାର କରିଛନ୍ତି । ସେହି ତୁଣ୍ଡ ବିରୋଧୀ ଦଳଙ୍କ ପାଇଁ ଅସ୍ତ୍ର ହେଉଥିବା ସେମାନେ କହିଛନ୍ତି । ତେବେ ଦଳରେ କାହାକୁ ଗୁରୁତ୍ୱ ଦିଆଯିବ, ଦିଆଯିବନି ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି ସେମାନେ କହିଛନ୍ତି ।
ଦାମଙ୍କ ତୁଣ୍ଡ ତାଙ୍କ ପୁଅ ସମ୍ବିତଙ୍କୁ ବି ଅଡୁଆରେ ପକାଇଛି । ଦଳର ସମ୍ପାଦକ ଦାୟିତ୍ୱ ପାଇଥିବା ସମ୍ବିତ “ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ନରହତ୍ୟା” ନ୍ୟାୟରେ ନିଜେ ଫସିଯାଇଛନ୍ତି । ବାପାଙ୍କ ଇଚ୍ଛାକୁ ସମ୍ମାନ ଦେବେ ନା ଦଳ ପ୍ରତି ଆନୁଗତ୍ୟ ରଖି ଆଗକୁ ବଢ଼ିବେ ସେହି ବୁଢ଼ିଆଣୀ ଜାଲରେ ପଡ଼ିଛନ୍ତି । ଗଣମାଧ୍ୟମରେ ସମ୍ବିତ ନିଜର ଅସହାୟତା ବି ପ୍ରକାଶ କଲେଣି । ୨୦୦୯ ଓ ୨୦୧୪ ରେ ବିଜେଡ଼ି ତାଙ୍କୁ ଟିକେଟ ଯାଚିଥିଲା ବୋଲି ସେ କହିଛନ୍ତି । ତେବେ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଓହରି ଆସିଥିବା କହିଛନ୍ତି । ଆସନ୍ତା ନିର୍ବାଚନରେ ସେ ନିଜକୁ ସମ୍ପୂର୍ଣ୍ଣ ଫିଟ୍ କରୁଥିବା ବେଳେ ଦାମଙ୍କ ପକ୍ଷରୁ ସଙ୍କେତ ଆସୁନାହିଁ । ଓଲଟି ପାରାଦ୍ୱୀପରୁ ଅଲବତ ଲଢ଼ିବେ ବୋଲି ଦମ୍ଭ ମାରୁଛନ୍ତି । ତାଙ୍କୁ କାଟି ତାଙ୍କର ବିନା ପରାମର୍ଶରେ ଯାହାକୁ ଟିକେଟ ଦିଆଯିବ ତାକୁ ସେ ହରାଇବେ ବୋଲି ଜିଦ୍ ଧରିଲେଣି । ସୁତରାଂ ପୁଅର ଭବିଷ୍ୟତ ପାଇଁ ବାପା ଆଦୌ ବିବ୍ରତ ନ ଥିବା ସମ୍ବିତ ବୁଝିଗଲେଣି । ଏଭଳିସ୍ଥିତିରେ ସେ କେଉଁ କୂଳର ହେବେ ଚିନ୍ତାରେ ପଡ଼ିଛନ୍ତି ।