ବେଙ୍ଗାଲୁରୁ: କଂଗ୍ରେସ ହାତରୁ ଖସିଗଲା କର୍ଣ୍ଣାଟକ । ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ଚିତପଟାଙ୍ଗ ମାରିଛି । ଶେଷ ଖବର ଅନୁଯାୟୀ ଦଳ ମାତ୍ର ୭୧ ଆସନରେ ସୀମିତ ରହିଛି । ବିଜେପି ୧୧୧ ସିଟ୍ ସହ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଜେଡିଏସ୍ ୩୮ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଅନ୍ୟାନ୍ୟ ଦଳକୁ ମାତ୍ର ଦୁଇଟି ଆସନ ମିଳିଛି । ଏଥିସହ ସାରା ଦେଶର ବିଭିନ୍ନ ରାଜ୍ୟରେ ବିଜେପି ତାର ବିଜୟଧାରା ଅବ୍ୟାହତ ରଖିଛି ।
କର୍ଣ୍ଣାଟକରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଅଧିକାଂଶ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ କରିଥିଲା । ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି କୁହାଗଲା । ଜେଡିଏସ୍ ମୁଖ୍ୟ ଦେବଗୌଡ଼ା କିଙ୍ଗମେକର୍ ଭୂମିକା ଗ୍ରହଣ କରିବେ ବୋଲି ଆକଳନ ହେଲା । ତେବେ ସବୁ ଆକଳନ ଭୁଲ୍ ପ୍ରମାଣିତ ହୋଇଛି । ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ଏକାକୀ ସରକାର ଗଢ଼ିବାକୁ ସକ୍ଷମ ହୋଇଛି । ମ୍ୟାଜିକ୍ ନମ୍ବର ୧୧୨କୁ ଦଳ ଛୁଇଁବାକୁ ଯାଉଛି । ଏସସି/ଏସଟି ବହୁଳ ଅଞ୍ଚଳରେ ବିଜେପିକୁ ଯଥେଷ୍ଟ ସଫଳତା ମିଳିଛି । ଏହି ବର୍ଗର ନେତା ତଥା ପାୱାରଫୁଲ୍ ରେଡ୍ଡି ବ୍ରଦର୍ସଙ୍କ ଘନିଷ୍ଠ ବି.ଶ୍ରୀରାମୁଲୁଙ୍କ ପ୍ରଭାବ କଂଗ୍ରେସକୁ ମାଟି ଚଟାଇଛି । ସେହିଭଳି ଲିଙ୍ଗାୟତ୍ ସମ୍ପ୍ରଦାୟର ଭୋଟ ହାତେଇବାରେ ବିଜେପି ସକ୍ଷମ ହୋଇଛି ।
ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପାଇଁ ସ୍ୱପ୍ନ ଦେଖିଥିବା କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଗତ ନିର୍ବାଚନ ତୁଳନାରେ ଏଥର ଦଳ ୫୦ଟି(ଶେଷ ଖବର ଅନୁଯାୟୀ) ସିଟ୍ ହରାଇଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ନିର୍ବାଚନ ଲଢ଼ିଥିବା ଦୁଇଟି ଆସନ ମଧ୍ୟରୁ ବାଦାମି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଜିତିଥିବା ବେଳେ ଛାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରେ ପଛୁଆ ରହିଛନ୍ତି । ସବୁଠାରୁ ବଡ଼କଥା ହେଉଛି, ରାହୁଲ ଗାନ୍ଧୀ ଯେଉଁ ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ ସେସବୁ ଆସନରେ କଂଗ୍ରେସ ହାରିଛି । ପୂର୍ବରୁ ସେହି ଆସନଗୁଡ଼ିକ କଂଗ୍ରେସ ହାତରେ ଥିଲା । ରାହୁଲଙ୍କ ପ୍ରଚାର ସତ୍ତ୍ୱେ ତାହା ବିଜେପି ହାତକୁ ଚାଲିଯାଇଛି ।
ମେ ୧୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୭୨.୩୬ ପ୍ରତିଶତ ମତଦାନ ହୋଇଥିଲା । ୧୯୫୨ ପରେ ଏହା ସର୍ବାଧିକ ମତଦାନ । କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଚାଲେଂଜପୂର୍ଣ୍ଣ ଥିଲା । ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ସିଦ୍ଧରମେୟା ପାଗ ଭିଡ଼ି ବସିଥିଲେ । ମାତ୍ର ସରକାର ଗଢ଼ିବାର ସ୍ୱପ୍ନ ତାଙ୍କର ଧୂଳିସାତ୍ ହୋଇଛି । ଏକକ ସଂଖ୍ୟାଗରିଷ୍ଠ ଆସନ ଧରି ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହୋଇସାରିଲେଣି । ମେ ୧୭ ରେ ୟେଦୁରପ୍ପା ଶପଥ ନେବେ ବୋଲି ଖବର ମିଳିଛି ।