ଜେଡ଼ିଏସ୍ କୁ ସମର୍ଥନ ଦେଲା କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ପୂରା ରୋଚକ ମୋଡ଼ରେ ପହଞ୍ଚିଛି ରାଜ୍ୟ ରାଜନୀତି । ବିଧାନସଭାରେ ବିଜେପି ସଂଖ୍ୟା ଗରିଷ୍ଠ ଆସନ ପାଇଥିଲେ ମଧ୍ୟ ତାକୁ କ୍ଷମତା ଚଉକିରେ ବସାଇ ନ ଦେବା ପାଇଁ କଂଗ୍ରେସ ଚାଲ୍ ଖେଳିଛି । ସଂଖ୍ୟା ଖେଳର ଦ୍ୱିତୀୟରେ ଥିବା କଂଗ୍ରେସ ତୃତୀୟ ପକ୍ଷ ଜେଡ଼ିଏସ୍ ର ସମର୍ଥନ ନ ମାଗି ଓଲଟି ତାକୁ ସମର୍ଥନର ହାତ ବଢ଼ାଇଛି । ଜେଡ଼ିଏସ୍ ସଭାପତି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି । କଂଗ୍ରେସର ସମର୍ଥନ ପ୍ରସ୍ତାବକୁ ଜେଡ଼ିଏସ୍ ଗ୍ରହଣ କରିଛି । ଅପରାହ୍ନ ୫.୩୦ରେ ଉଭୟ ଦଳ ଏକାଠି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । କିଛି ସମୟ ପୂର୍ବରୁ ବେଙ୍ଗାଲୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଲାମନବୀ ଆଜାଦ୍, ଅଶୋକ ଗେହେଲଟ୍ ଏବଂ ସିଦେ୍ଧରମେୟା ଏହି ସୂଚନା ଦେଇଛନ୍ତି ।
ଅପରାହ୍ନ ୪ଟା ସୁଦ୍ଧା ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ୨୨୨ ଆସନରୁ ବିଜେପି ପକ୍ଷକୁ ଯାଇଛି ୧୦୬ ଆସନ । କଂଗ୍ରେସକୁ ୭୭ ଏବଂ ଜେଡ଼ିଏସ୍ ୩୭ ଆସନ ପାଇଛି । ଦୁଇଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୨ ଧରାଯାଉଛି । ଅର୍ଥାତ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବରଠାରୁ ୬ଟି ଆସନ ପଛରେ ଅଛି । ସେପଟେ କଂଗ୍ରେସ ଓ ଜେଡ଼ିଏସ୍ ଉଭୟଙ୍କ ଆସନ ମିଶିଲେ ହେଉଛି ୧୧୪ । ଯାହା ମ୍ୟାଜିକ୍ ନମ୍ବରଠାରୁ ଅଧିକ । ଏହାଛଡ଼ା ବର୍ତ୍ତମାନର ସ୍ଥିତିରେ ଉଭୟ ପକ୍ଷ ନିଜ ପଟକୁ ୨ ସ୍ୱାଧୀନ ବିଧାୟକଙ୍କୁ ଟାଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ସେ ଯାହା ହେଉ, ମ୍ୟାଜିକ୍ ନମ୍ବର ଧରି କଂଗ୍ରେସ ଓ ଜେଡ଼ିଏସ୍ ରାଜ୍ୟପାଳଙ୍କ ପାଖରେ ସରକାର ଗଠନର ଦାବି ଉପସ୍ଥାପିତ କରିବେ ।
ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ବେଳକୁ ଅଚାନକ ନୂଆ ସମୀକରଣର ସୂତ୍ରପାତ ହୋଇଥିଲା । କଂଗ୍ରେସ ହାଇକମାଣ୍ଡ ଟେଲିଫୋନ୍ ଯୋଗେ ଜେଡ଼ିଏସ୍ ମୁଖ୍ୟ ଏଚ.ଡ଼ି.ଦେବଗୌଡ଼ା ଏବଂ ତାଙ୍କ ପୁଅ ତଥା ସଭାପତି କୁମାରସ୍ୱାମୀଙ୍କ ସହ କଥା ହୋଇଥିଲେ । ସେମାନେ ନିଃସର୍ତ୍ତରେ ଜେଡ଼ିଏସ୍ କୁ ସମର୍ଥନ ଦେବେ ବୋଲି କହିଥିଲେ । କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହିଁଥିଲେ କଂଗ୍ରେସ ହାଇକମାଣ୍ଡ । ଏପଟେ ବେଙ୍ଗାଲୁରରେ ଉପସ୍ଥିତ ଥିବା ଦଳୀୟ ପ୍ରଭାରୀ ଗୁଲାମନବୀ ଆଜାଦ ଓ ଅଶୋକ ଗେହେଲଟ୍ ଜେଡ଼ିଏସ୍ ନେତାଙ୍କ ସହ କଥା ହୋଇଥିଲେ । ଏଭଳି ପ୍ରସ୍ତାବ ଜେଡ଼ିଏସ୍ ପାଇଁ ସ୍ୱର୍ଗ ରୁ ଚାନ୍ଦ ଖସିଲା ଭଳି ହୋଇଛି । ତୃତୀୟ ସ୍ଥାନରେ ରହି ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳଠାରୁ ନିଃସର୍ତ୍ତ ସମର୍ଥନର ପ୍ରସ୍ତାବ ଦେବେଗୈାଡା ବାପପୁଅଙ୍କୁ ଉଲ୍ଲସିତ କରିଛି । ଶେଷ ଖବର ଆନୁଯାୟୀ ଅପରାହ୍ନ ୫.୩୦ରେ ସେମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସରକାର ଗଠନର ଦାବି ଜଣାଇବେ । ସେଥିପାଇଁ ରାଜ୍ୟପାଳଙ୍କଠାରୁ ସମୟ ମାଗିଛନ୍ତି ।
ସେପଟେ ବିଜେପି ସରକାର ଗଠନ ପାଇଁ ପ୍ରଥମରୁ ନିଶ୍ଚିତ ରହିଥିଲେ ମଧ୍ୟ କଂଗ୍ରେସର ଗୋଟିଚାଳନା ଅଡୁଆରେ ପକାଇଦେଇଛି । ତେବେ ଅପରାହ୍ନରେ ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବ ବୋଲି ପ୍ରସ୍ତୁତି ଚଳାଇଛି । ରାଜ୍ୟପାଳ ଏହି ପରିସ୍ଥିତିକୁ କିଭଳି ସମ୍ଭାଳୁଛନ୍ତି ଏବଂ କି ନିଷ୍ପତ୍ତି ନେଉଛନ୍ତି ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି ।