ବେଙ୍ଗାଲୁରୁ: କଂଗ୍ରେସ ଓ ଜେଡ଼ିଏସ୍ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଜଣାଇଛନ୍ତି । ଆଜି ଅପରାହ୍ନ ସାଢ଼େ ୫ଟାରେ ଦୁଇ ଦଳର ନେତା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଏଥିସହ ଜେଡ଼ିଏସ ଓ କଂଗ୍ରେସ ମେଣ୍ଟ ବିଜେପିକୁ ଜଳକା କରିଦେଇଛି । ସରକାର ଗଠନ କରିବାକୁ ପାଗ ଭିଡ଼ି ସାରିଥିବା ବିଜେପି ଏବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାହିଁ ବସିଛି । ୧୦୪ ଆସନ ସହ ଏକକ ସଂଖ୍ୟା ଗରିଷ୍ଠତାର ଯୁକ୍ତିରେ ବିଜେପି ସରକାର ଗଢ଼ିବାର ଆଶା ହରାଇନି । ଇତିମଧ୍ୟରେ ବିଜେପିର ପୋଚିଂ ଆଶଙ୍କାକୁ ନେଇ ଜେଡ଼ିୟୁ ଓ କଂଗ୍ରେସ ଶିବିରରେ ଛନକା ପଶିଛି । ଉଭୟ ଦଳର ହାଇକମାଣ୍ଡ ନିଜର ନବନିର୍ବାଚିତ ବିଧାୟକଙ୍କୁ ଏକାଠି କରିବାକୁ ଲାଗିଛନ୍ତି । ବିଜେପି ଶିବିର ପକ୍ଷରୁ କୌଣସି ଯୋଗାଯୋଗ ସମ୍ଭାବନାରେ ଚେକ୍ ଲଗାଯାଇଛି ।
କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ୨୨୨ ଟି ବିଧାନସଭା ଆସନରୁ ୧୦୪ ଆସନ ବିଜେପି ସପକ୍ଷରେ ଯାଇଥିବା ବେଳେ ୭୮ କଂଗ୍ରେସ ଓ ୩୮ ଆସନ ଜେଡ଼ିୟୁ ସପକ୍ଷରେ ଯାଇଛି । ଦୁଇଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ମ୍ୟାଜିକ୍ ନମ୍ବର ୧୧୨ କେହି ଛୁଇଁ ନ ଥିବାରୁ ଝୁଲା ବିଧାନସଭା ହୋଇଛି । ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଅନାଇ ବସିଥିବା ବେଳେ କଂଗ୍ରେସ ଜେଡ଼ିୟୁକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରି ଖେଳ ବୁଲାଇଛି । ସଂଖ୍ୟା ଖେଳରେ କଂଗ୍ରେସ ଓ ଜେଡ଼ିଏସ୍ ମେଣ୍ଟ୧୧୬ ଆସନ ପାଉଥିବାରୁ ସରକାର ଗଠନ ପାଇଁ ଦାବିଦାର ହୋଇଛନ୍ତି । ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରିବେ ବୋଲି ଦୁଇ ଦଳର ନେତା ନିଶ୍ଚିତ ରହିଛନ୍ତି ।
ବିଜେପି ଉପରେ ବଦଲା ନେଲା କଂଗ୍ରେସ
ଦିନ ୨ ଟା ଯାଏଁ କର୍ଣ୍ଣାଟକରେ ବିଜେପି ଏକାକୀ ସରକାର ଗଠନ କରୁଛି ନିର୍ବାଚନ ଫଳାଫଳ ଟ୍ରେଣ୍ଡରୁ ବାତ୍ସ୍ନା ଆସୁଥିଲା । ସମଗ୍ର କର୍ଣ୍ଣାଟକ, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ବିଜୟ ଉତ୍ସବ ମନାଉଥିଲେ । ମାତ୍ର ବିଜେପି ମ୍ୟାଜିକ୍ ନମ୍ବର ନ ଛୁଇଁବା ଓ ଅଚାନକ କଂଗ୍ରେସ ଜେଡ଼ିଏସ୍ କୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିବା ବିଜେପି ଅଙ୍କକୁ ଗଡ଼ବଡ଼ କରିଦେଇଥିଲା । ଖବର ଅନୁଯାୟୀ ଏଭଳି ଏକ ସ୍ଥିତି ଉପୁଜିବ ବୋଲି କଂଗ୍ରେସ ପୂର୍ବରୁ ଅନୁମାନ କରି ନିଜକୁ ପ୍ରସ୍ତୁତ କରିଥିଲା । ସୋନିଆ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍ ଓ ଅଶୋକ ଗେହେଲଟ୍ ଦୁଇ ଦିନ ପୂର୍ବରୁ ବେଙ୍ଗାଲୁରୁରେ ଡେରା ପକାଇଥିଲେ । ଗୋଆ, ମଣିପୁର ଓ ମେଘାଳୟ ଅବସ୍ଥା କର୍ଣ୍ଣାଟକରେ ନଭୋଗିବାକୁ ରଣନୀତି ସ୍ଥିର କରିଥିଲା ।
ସେହି ଅନୁଯାୟୀ, ଆଜି ନିର୍ବାଚନ ଫଳାଫଳ ଆସିବା କ୍ଷଣି ପ୍ରଥମେ ସୋନିଆ ଗାନ୍ଧୀ ଜେଡିଏସ୍ ମୁଖ୍ୟ ଏଚ.ଡ଼ି.ଦେବେଗୌଡ଼ାଙ୍କ ସହ କଥା ହୋଇଥିଲେ । ପରେ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପରମ ଶତ୍ରୁ ଏଚଡ଼ି କୁମାରସ୍ୱାମୀଙ୍କ ସହ ଟେଲିଫୋନ୍ ରେ ଆଲୋଚନା ହୋଇଥିଲା । କୌଣସି ସର୍ତ୍ତ ନ ରଖି ଜେଡିଏସ୍ କୁ କଂଗ୍ରେସ ସମର୍ଥନ ଘୋଷଣା କରିବା ସହ କୁମାରସ୍ୱାମୀଙ୍କ ନେତୃତ୍ୱରେ ସରକାର ଗଠନ ହେଉ ବୋଲି ଇଚ୍ଛା ଜଣାଇଥିଲା । କ୍ଷମତା ସ୍ୱପ୍ନର ବହୁ ଦୂରରେ ଥିବା ଜେଡ଼ିଏସ୍ କଂଗ୍ରେସଠାରୁ ଏଭଳି ପ୍ରସ୍ତାବ ପାଇଲା ପରେ ଉତ୍ସାହିତ ହୋଇପଡ଼ିଥିଲା । ବିଜେପିକୁ ଶାସନଗାଦିରୁ ଦୂରେଇ ରଖିବା ପାଇଁ କଂଗ୍ରେସ ରଣନୀତି କାମରେ ଲାଗିଲା ।
ଆଇନର ଖେଳରେ ବିଜେପି ଓ କଂଗ୍ରେସ
ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଥିଲା ବେଳେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ(ପୋଷ୍ଟ୍ ପୋଲ୍ ଆଲାଏନ୍ସ) ର ବୈଧତାକୁ ନେଇ ବିଜେପି-କଂଗ୍ରେସ ଖେଳ ଆରମ୍ଭ ହୋଇଛି । ବୋମାଇ ମାମଲା ଆଧାରରେ ସଂଖ୍ୟା ଗରିଷ୍ଠ ଦଳକୁ ସରକାର ଗଠନର ସୁଯୋଗ ଦେବାକୁ ବିଜେପି ଯୁକ୍ତି ରଖୁଥିବା ବେଳେ କଂଗ୍ରେସ ବି ସେହି ରାୟର ଅଧିକ ତର୍ଜମା କରି ବିଜେପିକୁ କାଉଣ୍ଟର କରିଛି । ଖାସ୍ କରି ମୋଦି ସରକାର ଅମଳରେ ଅନ୍ୟ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ଦେଶବାସୀଙ୍କ ଆଗରେ ରଖିଛି ।
(୧) ଗତ ଗୋଆ ନିର୍ବାଚନରେ କଂଗ୍ରେସ ୧୮ଟି ଆସନ ପାଇଥିଲା ବେଳେ ବିଜେପି ହାତରେ ୧୨ ଟି ଏବଂ ଅନ୍ୟ ଜଣେ ବିଧାୟକଙ୍କ ସମର୍ଥନ ସହ ୧୩ଟି ଆସନ ଥିଲା । ମାତ୍ର ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରି ବିଜେପି ଶାସନକ୍ଷମତାକୁ ଆସିଲା ।
(୨) ୬୦ ଆସନ ବିଶିଷ୍ଠ ମଣିପୁରରେ କଂଗ୍ରେସ ୨୮ ଟି ଆସନ ପାଇଥିଲା ବେଳେ ବିଜେପିକୁ ୨୧ଟି ଆସନ ମିଳିଥିଲା । ମାତ୍ର ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ।
(୩) ମେଘାଳୟରେ କଂଗ୍ରେସ ୨୧ ଟି ଆସନ ପାଇଥିଲା ବେଳେ ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା । ହେଲେ ପୋଷ୍ଟ ପୋଲ୍ ଆଲାଏନ୍ସରେ ବିଜେପି ସରକାର ଗଠନ କଲା ।