– ସଂଖ୍ୟା ନ ଥାଇ ବିଜେପି ଦେଖାଇବ ସଂଖ୍ୟାର ଖେଳ
– ରାଜ୍ୟପାଳଙ୍କ ନିଷତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା କଂଗ୍ରେସ
– ହୋଟେଲରେ ନଜରବନ୍ଦୀରେ ରହିଲେ କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକ
ବେଙ୍ଗାଲୁରୁ: ବି.ଏସ୍. ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଶେଷରେ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ବଜୁଭାଇ ବାଲା । ଆସନ୍ତାକାଲି ସକାଳ ୯ଟାରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତୃତୀୟ ଥର ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ସରକାର ଗଠନ ପାଇଁ ସଂଖ୍ୟା ନ ଥିଲେ ମଧ୍ୟ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେଇଛନ୍ତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ତାଙ୍କୁ ୧୫ ଦିନ ସମୟ ବି ଦେଇଛନ୍ତି । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଆଜି ରାତିରେ ସୁପ୍ରିମକୋର୍ଟରେ ଚାଲେଂଜ କରିଛି କଂଗ୍ରେସ । ଏଇ ରାତିରେ ହିଁ ଏହାର ଫଇସଲା ପାଇଁ ଦଳ ଅଡ଼ିବସିଛି ।
ବିଜେପିର ୧୦୪ ଜଣ ବିଧାୟକ ଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ଦଳକୁ ସମର୍ଥନ କରୁଛନ୍ତି । ତେବେ ମ୍ୟାଜିକ୍ ସଂଖ୍ୟା ପାଇଁ ବିଜେପିକୁ ଆଉ ୭ଟି ଆସନ ଦରକାର । ସେତିକି ନ ଥାଇ ବିଧାନସଭାରେ ସେମାନେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ରାଜ୍ୟପାଳ ବିଜେପିର ସଂଖ୍ୟା ଜାଣି ମଧ୍ୟ ତାଙ୍କୁ ସରକାର ଗଠନର ସୁଯୋଗ ଦେଇଛନ୍ତି । ଏହା ଘୋଡ଼ାବେପାରର ରାସ୍ତା ଦେଖାଇଥିବା କୁହାଯାଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କଂଗ୍ରେସ ଓ ଜେଡ଼ିଏସ୍ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟପାଳ ରୁଲ୍ ବୁକ୍ ଫଲୋ କରିନାହାନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ ବର୍ଷିଛି ।
ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତି କୁ ଦେଶର ସାମ୍ବିଧାନିକ ବିଶେଷଜ୍ଞମାନେ ବିଭିନ୍ନ ଦୃଷ୍ଟିରେ ତର୍ଜମା କରିଛନ୍ତି । ରାଜ୍ୟପାଳ ସଂଖ୍ୟା ଗରିଷ୍ଠ ଦଳକୁ ସରକାର ଗଠନର ଆମନ୍ତ୍ରଣ କରି କିଛି ଭୁଲ୍ କରିନାହାନ୍ତି । ବୋମାଇ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସେମାନେ ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଉଭୟ ନୀତି ଓ ନୈତିକାର ପ୍ରଶ୍ନ ଛାଡ଼ିଛନ୍ତି କିଛି ବିଶେଷଜ୍ଞ । ବିଜେପିର ସଂଖ୍ୟା ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ ଦେଖୁଥିଲେ ମଧ୍ୟ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେବା ଅନୈତିକ କାର୍ଯ୍ୟ । ଏହାଦ୍ୱାରା ଘୋଡ଼ାବେପାରକୁ ପ୍ରୋତ୍ସାହନ କରାଯାଇଛି ବୋଲି ସେମାନେ କହିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଗୋଆ, ମଣିପୁର, ମେଘାଳୟ, ବିହାର ଆଦି ରାଜ୍ୟରେ ବିଜେପିର ସଂଖ୍ୟା ଗରିଷ୍ଠତା ନ ଥିଲେ ମଧ୍ୟ ଦଳ ନେତୃତ୍ୱରେ ନିର୍ବାଚନ ପରବର୍ତ୍ତୀ ଗଠବନ୍ଧନକୁ ସରକାର ଗଠନର କିଭଳି ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ।